RR vs RCB Match Result: ରବିବାର ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରୁ ୭ ରନ ବ୍ୟବଧାନରେ ପରାସ୍ତ ହୋଇଛି ରାଜସ୍ଥାନ ରୟାଲ୍ସ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଆରସିବି ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆରଆର ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୨ ରନ୍ ସ୍କୋର କରିଥିଲା।


COMMERCIAL BREAK
SCROLL TO CONTINUE READING

ଚଳିତ ଆଇପିଏସଲ ସଂସ୍କରଣରେ ଜବରଦସ୍ତ ଫର୍ମ ରଖିଥିବା ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ପୁଣି ଥରେ ଚମତ୍କାର ବ୍ୟାଟିଂ କରିଥିଲେ। ଆରସିବି ପାଇଁ ଓପନିଂ କରିବାକୁ ଆସିଥିବା ବିରାଟ କୋହଲି (୦) ଏବଂ ଶାହୱାଜ ଅହମ୍ମଦ (୨) ରନ୍ ସ୍କୋର କରିବା ପରେ ପାଭିଲିୟନ ଫେରିଯାଇଥିଲେ। ଏହା ପରେ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଫାଫ୍ ଡୁ ପ୍ଲେସିସ୍  ଜୋରଦାର ବ୍ୟାଟିଂ କରିଥିଲେ। ମ୍ୟାକ୍ସୱେଲ ୬ ଚୌକା ଏବଂ ୪  ଛକା ସହାୟତାରେ ୭୭ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ ଡୁ ପ୍ଲେସିସ୍ ୬୨ ରନ୍ ସ୍କୋର କରିଥିଲେ। ଯେଉଁଥିରେ ୮ ଚୌକା ଏବଂ ୨ ଛକା ଅନ୍ତର୍ଭୂକ୍ତ ରହିଥିଲା। ଦୀନେଶ କାର୍ତ୍ତିକ ମଧ୍ୟ ୧୬ ରନ୍ କରିଥିଲେ। ଏହା ବ୍ୟତୀତ ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ।


ରାଜସ୍ଥାନ ରୟାଲ୍ସ ପକ୍ଷରୁ ପେସର୍ ଟ୍ରେଣ୍ଟ ବୋଲ୍ଟ ଜବରଦସ୍ତ ବୋଲିଂ ଅଭିଯାନ ଆରମ୍ଭ କରିଥିଲେ। ଚଳିତ ଆଇପିଏଲ ସଂସ୍କରଣରେ ମାରାତ୍ମକ ବ୍ୟାଟିଂ କରୁଥିବା ବିରାଟ କୋହଲିଙ୍କ ଖାତା ନ ଖୋଲି ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହା ପରେ ସେ ୨ ରନ ସ୍କୋର କରିଥିବା ଶାହୱାଜ ଅହମ୍ମଦଙ୍କୁ ଆଉଟ୍ କରି ଦେଇଥିଲେ। ୪ ଓଭର ବୋଲିଂ କରି ୪୧ ରନ ବ୍ୟୟ କରି ୨ ୱିକେଟ୍ ନେଇଥିଲେ। ସନ୍ଦୀପ ଶର୍ମା ମଧ୍ୟ ସମାନ ସଂଖ୍ୟକ ୱିକେଟ୍ ନେଇଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନୀ ଏବଂ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ।


ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ମିଳିଥିବା ୧୯୦ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ଜୋସ୍ ବଟଲର୍ (୦) ରୂପରେ ପ୍ରଥମ ଝଟକା ପାଇଥିଲା। ଏହା ପରେ ରାଜସ୍ଥାନ ପାଳିକୁ ପରିଚାଳନା କରିବା ପାଇଁ ଯଶସ୍ୱୀ ଜୈସ୍ୱାଲ ଏବଂ ଦେବଦତ୍ତ ପାଡିକଲ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ଯଶସ୍ୱୀ ୪୭ ରନ୍ ସ୍କୋର ହର୍ଷଲ ପଟେଲଙ୍କ ଶିକାର ହୋଇଥିବାବେଳେ, ୫୨ ରନ ସ୍କୋର କରିଥିବା ପାଡିକକଙ୍କୁ ଡେଭିଡ ୱିଲି ଆଉଟ କରି ଦେଇଥିଲେ। ଏହା ବ୍ୟତୀତ ଅଧିନାୟକ ସଞ୍ଜୁ ସାମସନ୍ ମଧ୍ୟ ୨୨ ରନ୍ କରି ଆଉଟ ହୋଇଯାଇଥିଲେ। ହେଲେ ଯୁବ ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲ ୧୬ ବଲରେ ୩୪ ରନର ଅପରାଜିତ ଇନିଂସ ଖେଳିଥିଲେ ମଧ୍ୟ ସେ ଦଳକୁ ବିଜୟ ଆଡକୁ ନେଇପାରିନଥିଲେ। ଏହା ବ୍ୟତୀତ ଅଶ୍ୱିନୀ ୧୨ ରନ୍ ସ୍କୋର କରିଥିଲେ।


ବାଙ୍ଗାଲୋର ଦଳର ଦ୍ରୁତ ବୋଲର ହର୍ଷଲ ପଟେଲ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪ ଓଭର ବୋଲି କରି ୩୨ ରନ୍ ବ୍ୟୟରେ ୩ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ମହମ୍ମଦ ସିରାଜ ଏବଂ ଡେଭିଡ ୱିଲିଙ୍କୁ ଗୋଟିଏ ଲେଖାଁଏ ୱିକେଟ୍ ମିଳିଥିଲା।