IPL 2023: KKR vs SRH, ଇଣ୍ଡିଆନ୍ ପ୍ରିମିୟର ଲିଗର ୧୯ ତମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୨୨୮ ରନ୍ ସ୍କୋର କରିଥିଲେ କିନ୍ତୁ ଏହାର ଜବାବରେ କୋଲକାତା ଦଳ ଏହି ଲକ୍ଷ୍ୟ ହାସଲ କରିପାରି ନଥିଲା । କୋଲକାତା ଦଳ ମାତ୍ର ୨୦୫ ରନ୍ ସ୍କୋର କରିପାରିବାରେ ସକ୍ଷମ ହୋଇଥିଲା । ହାଇଦ୍ରାବାଦର ବିଜୟର ସ୍କ୍ରିପ୍ଟ ହ୍ୟାରି ବ୍ରୁକ୍ ଓ ଆଡେନ ମାର୍କ୍ରାମ ଲେଖିଥିଲେ । ବ୍ରୁକ୍ ଏକ ଚମତ୍କାର ଶତକ ହାସଲ କରିଥିଲେ । ଏଥି ସହିତ କ୍ୟାପଟେନ ମାର୍କ୍ରାମଙ୍କ ବ୍ୟାଟରୁ ୫୦ ରନ୍‌ର ଦ୍ରୁତ ଇନିଂସ ସାମ୍ନାକୁ ଆସିଥିଲା ।


COMMERCIAL BREAK
SCROLL TO CONTINUE READING

ଇଡେନ୍ ଗାର୍ଡେନ୍ସରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଦଳ ନିର୍ଦ୍ଧାରିତ ୨୦ ଓଭରରେ ଚାରି ୱିକେଟ୍ ହରାଇ ୨୨୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଦଳ ପାଇଁ ଇନିଂସ ଆରମ୍ଭ କରିବାକୁ ଆସିଥିବା ହ୍ୟାରି ବ୍ରୁକ ୫୫ ବଲରେ ୧୦୦ ରନର ଅପରାଜିତ ଶତକ ସ୍କୋର କରିଥିଲେ । ଏହା ବ୍ୟତୀତ କ୍ୟାପଟେନ ଇଡେନ ମାର୍କ୍ରାମ ମଧ୍ୟ ୨୬ ବଲରେ ୫୦ ରନ୍ ସ୍କୋର କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ କେକେଆରକୁ ନିର୍ଦ୍ଧାରିତ ଓଭରରେ ୨୨୯ ରନ୍ ସ୍କୋର ଆବଶ୍ୟକ ଥିଲା । ରିଙ୍କୁଙ୍କ ଲଢୁଆ ଇନିଂସ ସ୍ଵତ୍ତ୍ୱେ କୋଲକାତା ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା ।


କେକେଆର ବିପକ୍ଷରେ ହାଇଦ୍ରାବାଦ ଏକ ଭଲ ଆରମ୍ଭ କରିଥିଲା । ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ ଏହି ମ୍ୟାଚ୍‌ରେ ନିଜ ବିସ୍ଫୋରକ ଇନିଂସ ଖେଳାଇ ଫ୍ରାଞ୍ଚାଇଜି ଦେଇଥିବା ଟଙ୍କାକୁ ପ୍ରମଣିତ କରିଛନ୍ତି । ହାଇଦ୍ରାବାଦ ଏହି ଖେଳାଳିଙ୍କୁ ନିଜଫ୍ରାଞ୍ଚାଇଜରେ ସାମିଲ କରିବା ପାଇଁ ୧୩.୨୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ବ୍ରୁକ୍ ପ୍ରଥମ ୩ଟି ମ୍ୟାଚରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିପାରି ନ ଥିଲେ । କିନ୍ତୁ ଚତୁର୍ଥ ମ୍ୟାଚରେ ଏହି ଖେଳାଳି ପ୍ରତିପକ୍ଷ ଦଳ ଉପରେ ନିଜର ପ୍ରଭାବ ପକାଇଥିଲେ । କିନ୍ତୁ ଏପରି ଏକ ସମୟ ଥିଲା, ଯେତେବେଳେ ସେ କେକେଆରର ଯୁବ ସ୍ପିନର ସୁୟାଶ ଶର୍ମାଙ୍କ ଉଜ୍ଜ୍ୱଳ ବୋଲିଂରେ ଫସି ଯାଇଥିଲେ । ସେ ଏକ ସିଧା ମାରିବାକୁ ଯାଇ ସୁୟାଶଙ୍କୁ ଏକ ସରଳ କ୍ୟାଚ୍ ଦେଇଥିଲେ, କିନ୍ତୁ ସୁୟାଶଙ୍କ ହାତରୁ ବଲ୍ ଖସିଯାଇଥିଲା ଓ ଏହା ପରେ ବ୍ରୁକ୍ ଆଉ ପଛକୁ ଚାହିଁ ନ ଥିଲେ ।


ହ୍ୟାରି ବ୍ରୁକ୍ କେକେଆର୍ ବୋଲରମାନଙ୍କୁ ନିର୍ଦ୍ଧୁମ ପିଟିଥିଲେ । ଏହି ବ୍ୟାଟ୍ସମ୍ୟାନ୍ ୧୨ ଟି ଚୌକା ଓ ୩ଟି ଛକା ସହାୟତାରେ ମାତ୍ର ୫୫ ବଲରେ ଏକ ଜବରଦସ୍ତ ଶତକ ମାରିଥିଲେ । ସୁୟାଶ ଶର୍ମାଙ୍କଠାରୁ ଲାଇଫ୍ ଲାଇନ୍ ପାଇବା ପରେ ଏହି ବ୍ୟାଟ୍ସମ୍ୟାନ୍ ବୋଲରମାନଙ୍କୁ ଧୋଇଦେଇଥିଲେ ଓ ଦଳକୁ ୨୦୦ ରୁ ଅଧିକ ସ୍କୋରକୁ ନେଇ ଯାଇଥିଲେ । ବ୍ରୁକ୍ ବ୍ୟତୀତ ଅଧିନାୟକ ଆଡାମ ମାର୍କ୍ରାମ ମଧ୍ୟ ଏକ ଅର୍ଦ୍ଧଶତକ ସ୍କୋର କରିଥିଲେ । ଏଥି ସହିତ ଅଭିଷେକ ଶର୍ମା ମଧ୍ୟ ୧୭ଟି ବଲରେ ୩୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।


ରିଙ୍କୁ-ନୀତୀଶ ଦଳ ପାଇଁ ଖେଳିଥିଲେ ଲଢୁଆ ଇନିଂସ
କୋଲକାତା ଦଳ ହାରିଗଲା କିନ୍ତୁ ରିଙ୍କୁ ସିଂ ଓ ନୀତୀଶ ରାଣା ଏଥିପାଇଁ କଠିନ ପରିଶ୍ରମ କରିଥିଲେ । କୋଲକାତାର ରହମାନୁଲ୍ଲା ଗୁରୁବାଜ ଖାତା ନ ଖୋଲି ତୃତୀୟ ବଲରେ ଆଉଟ ହୋଇ ଯାଇଥିଲେ । ଏଥି ସହିତ ଭେଙ୍କଟେଶ ଆୟର୍ ମଧ୍ୟ ୧୦ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ । ପ୍ରଥମ ବଲରେ ସୁନୀଲ ନାରିନ ମଧ୍ୟ ୱିକେଟ୍ ହରାଇଥିଲେ । କିନ୍ତୁ ଜଗଦୀଶନ ୩୬ ରନ ସ୍କୋର ଖେଳିଥିଲେ । ଏହା ପରେ ନୀତୀଶ ରାଣା ୬ଟି ଛକା ଓ ୫ଟି ଚୌକା ସାହାଯ୍ୟରେ ୭୫ ରନ ସ୍କୋର କରିଥିଲେ । ୩୧ ଟି ବଲରେ ରିଙ୍କୁ ସିଂ ମଧ୍ୟ ୫୮ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଏହି ଉଭୟ ବ୍ୟାଟ୍ସମ୍ୟାନଙ୍କ ଲଢୁଆ ଇନିଂସ ଶେଷରେ କାମ ଦେଇନଥିଲା ।


ଏହା ବି ପଢ଼ନ୍ତୁ: IPL ରେ କେଉଁ ଖେଳାଳି GOAT? ଏବି ଡି ଭିଲିୟର୍ସ ନେଲେ ଏହି ଭାରତୀୟ ଭେଟେରାନଙ୍କ ନାମ