India Cricket Schedule 2023: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଖେଳିବା ପରେ ଭାରତୀୟ ଦଳ (Team India) କିଛି ସମୟ ବିଶ୍ରାମ ନେବ ଓ ତା’ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଟିମ୍ ଇଣ୍ଡିଆ ଖେଳାଳିମାନେ ବିଭିନ୍ନ ଫ୍ରାଞ୍ଚାଇଜ୍ ଦଳ ତରଫରୁ ଖେଳୁଥିବା ଦେଖିବାକୁ ମିଳିବ । ମାର୍ଚ୍ଚ ଶେଷରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ (ODI Cricket Series) ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହି କାରଣରୁ ଦଳର ଏକଦିବସୀୟ ବିଶ୍ୱକପ (Cricket World Cup 2023) ପ୍ରସ୍ତୁତି ଏକ ଅସୁବିଧାର ସମ୍ମୁଖୀନ ହୋଇଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ଆସନ୍ତା ୪ ମାସ ପାଇଁ ଏହି ଏକଦିବସୀୟ ଫର୍ମାଟରେ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବ ନାହିଁ ।


COMMERCIAL BREAK
SCROLL TO CONTINUE READING

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ୨୨ ମାର୍ଚ୍ଚ ବୁଧବାର ଦିନ ଚେନ୍ନାଇରେ ଖେଳାଯାଇଥିଲା । ଟିମ୍ ଇଣ୍ଡିଆକୁ ଏଠାରେ ୨୧ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଭାରତ ପ୍ରଥମ ମ୍ୟାଚ୍ ଜିତିଥିବାବେଳେ, ଅଷ୍ଟ୍ରେଲିଆ ଶେଷ ଦୁଇଟି ମ୍ୟାଚ୍ ଜିତି ସିରିଜ୍କୁ ୨-୧ ରେ ଜିତି ନେଇଥିଲା ।


ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟରୁ କିଛି ସମୟ ପାଇଁ ବିରତି ପାଇବାକୁ ଯାଉଛି । ଟିମ୍ ଇଣ୍ଡିଆ ଖେଳାଳିମାନେ ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗରେ ନିଜ ନିଜ ଫ୍ରାଞ୍ଚାଇଜ୍ ଦଳ ତରଫରୁ ଖେଳୁଥିବା ଦେଖିବାକୁ ମିଳିବ । ଏଥର ଆଇପିଏଲ୍ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି ଓ ଫାଇନାଲ୍ ମ୍ୟାଚ୍ ୨୧ ମେ'ରେ ଖେଳାଯିବ ।


ଟିମ୍ ଇଣ୍ଡିଆ ବର୍ତ୍ତମାନ ଦିନିକିଆ ମ୍ୟାଚ ଖେଳିବା ପୂର୍ବରୁ ଟି-୨୦ ଓ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଭାରତୀୟ ଖେଳାଳିମାନେ ଆଇପିଏଲ ସମୟରେ ଟି-୨୦ ମ୍ୟାଚରେ ନିଜର ଚମକ ଦେଖାଇବାକୁ ସୁଯୋଗ ପାଇବେ । ଏଥି ସହିତ, ୭ ରୁ ୧୧ଜୁନ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଂଚିଥିବା ଭାରତୀୟ ଦଳ ଏଥର ଏହି ଆଇସିସି ଟ୍ରଫି ନିଜ ନାମରେ କରିବାକୁ ଚାହୁଁଛି ।


ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ପରେ ଜୁଲାଇ-ଅଗଷ୍ଟରେ ଟିମ୍ ଇଣ୍ଡିଆକୁ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାକୁ ପଡିବ । ଏଠାରେ ଭାରତୀୟ ଦଳ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ । ସେହି ମ୍ୟାଚଗୁଡ଼ିକର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତେଣୁ ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବା ପରେ ଭାରତୀୟ ଦଳ ଅଗଷ୍ଟରେ ଯାଇ ଦିନିକିଆ ଫର୍ମାଟରେ ଖେଳୁଥିବାର ନଜର ଆସିବ ।


ଚଳିତ ବର୍ଷ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଦଳ ପୁଣିଥରେ ଭାରତ ଗସ୍ତ କରିବାକୁ ଯାଉଛି । ଏଠାରେ ପୁଣିଥରେ ଦୁଇ ଦଳ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହେବ । ଏହି ସିରିଜ୍ ପରେ ହିଁ  ଆଇସିସି ଦିନିକିଆ ବିଶ୍ୱ ମ୍ୟାଚ୍ ଆରମ୍ଭ ହେବ । ତେଣୁ ଦିନିକିଆ ବିଶ୍ୱକପରେ ପ୍ରବେଶ କରିବା ପୂର୍ବରୁ ଏହି ସିରିଜ୍ ଭାରତ ପାଇଁ ଶେଷ ସିରିଜ୍ ହେବ ।