MI vs PBKS Match Result: ମେ ୩ ତାରିଖ ବୁଧବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍, ପଞ୍ଜାବ କିଙ୍ଗ୍ସ ଦଳକୁ ୬ ୱିକେଟ୍ ବ୍ୟବଧାନରେ ପରାସ୍ତ କରିଛି। ରେକର୍ଡ ସଂଖ୍ୟକ ପାଞ୍ଚ ଥରର ଆଇପିଏଲ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୧୬ ତମ ସଂସ୍କରଣର ୪୬ ମୁକାବିଲାରେ ପଞ୍ଜାବ ଦଳ ବିପକ୍ଷରେ ଏକ ବିଜୟ ପଞ୍ଜୀକରଣ କରିଛି। ଏହି ମ୍ୟାଚ୍ ମୋହାଲି ସ୍ଥିତ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା। ମୁମ୍ବାଇ ଟିମ୍ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ପଞ୍ଜାବ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ପାଇଁ ୨୧୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ  ୧୮.୫ ଓଭରରେ ୪ ୱିକେଟ୍ ହରାଇ ୨୧୬ ରନ ସ୍କୋର କରିବା ସହ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। 


COMMERCIAL BREAK
SCROLL TO CONTINUE READING

ବୁଧବାର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ବିରୋଧରେ ମିଳିଥିବା ବିଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ, ଏହାର ପ୍ଲେ ଅଫ୍ ଯିବାର ଆଶାକୁ ଜୀବନ୍ତ ରଖିଛି। ମୁମ୍ବାଇ ୯ ମ୍ୟାଚ ଖେଳି ପଞ୍ଚମ ବିଜୟ ପଞ୍ଜୀକରଣ କରିବା ସହ ୧୦ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ୧୦ ମ୍ୟାଚ ଖେଳିଥିବା ପଞ୍ଜାବ କିଙ୍ଗ୍ସ ପଞ୍ଚମ ପରାଜୟ ବରଣ କରିଛି। ପଏଣ୍ଟ ଟେବୁଲ ଅନୁସାରେ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଏବଂ ପଞ୍ଜାବ କିଙ୍ଗ୍ସ ସପ୍ତମ ସ୍ଥାନରେ ରହିଛି। ସେହି ପରି ୧୨ ପଏଣ୍ଟ ହାସଲ କରିଥିବା ଗୁଜରାଟ ଟାଇଟାନ୍ସ ଶୀର୍ଷ ସ୍ଥାନରେ ରହିଛି।


ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଦିଆଯାଇଥିବା ୨୧୫ ରନ୍‌ ବିଜୟ ଲକ୍ଷ୍ୟକୁ ପିଛ କରି ମୁମ୍ବାଇ ଟିମ୍ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଇଶାନ କିଶାନ୍ ଏବଂ ସୂର୍ଯ୍ୟ କୁମାର ଯାଦବ ଦଳ ପାଇଁ ଚମତ୍କାର ଇନିଂସ ଖେଳିଥିଲେ। ଇଶାନ କିଶନ ୪୧ ବଲ ଖେଳି ୭ ଚୌକା ଏବଂ ୪ ଛକା ସହାୟତାରେ ୭୫ ରନ ସ୍କୋର କରିଥିଲେ। ତାଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ୩୧ ବଲ ଖେଳି ୬୬ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପାଳିରେ ୮ ଚୌକା ଏବଂ ୨ ଛକା ଅନ୍ତର୍ଭୂକ୍ତ ରହିଛି। ତାଙ୍କ ପରେ ଟିମ୍ ଡେଭିଡ୍ ଏବଂ ବଲକ ଭର୍ମା ଦଳୀୟ ବିଜୟରେ ନିଜର ସହଯୋଗ ପ୍ରଦାନ କରିଥିଲେ। ଟିମ୍ ଡେଭିଡ୍ ୧୦ ବଲ ଖେଳି ୩ ଚୌକା ସହାୟତାରେ ୧୯ ରନ ସ୍କୋର କରିବା ସହ ଅପରାଜିତ ଫେରିଥିଲେ। ଅନ୍ୟପଟେ ତିଲକ ବର୍ମା ୧୦ ବଲ ଖେଳି ଗୋଟିଏ ଚୌକା ଏବଂ ତିନୋଟି ଛକା ସହାୟତାରେ ୨୬ ରନ୍ ସଂଗ୍ରହ କରିବା ସହ ଅପରାଜିତ ରହିଥିଲେ।


ଏହା ପୂର୍ବରୁ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା  ପଞ୍ଜାବ କିଙ୍ଗ୍ସ ଧାର୍ଯ୍ୟ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୪ ରନ୍ ସ୍କୋର କରିଥିଲା। ପଞ୍ଜାବ ଦଳ ପକ୍ଷରୁ ଲିଆମ୍ ଲିଭିଙ୍ଗଷ୍ଟୋନ୍  ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ସେ ୪୨ ବଲ ଖେଳି ୭ ଚୌକା ଏବଂ ୪ ଛକା ସହାୟତାରେ ୮୨ ରନ୍ ସ୍କୋର କରି ଅପରାଜିତ ରହିଥିଲେ। ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା ୨୭ ବଲ ଖେଳ ୪୯ ରନ ସହିତ  ଅପରାଜିତ ଇନିଂସ ଖେଳିଥିଲେ। ମିଳିତ ଭାବେ ସେମାନେ ୧୧୯ ରନର ଏକ ଅପରାଜିତ ଭାଗିଦାରୀ କରିଥିଲେ। ମୁମ୍ବାଇ ପାଇଁ ସ୍ପିନର ପୀୟୁଷ ଚାୱଲା ୨୯ ରନ୍ ବ୍ୟୟ କରି ୨ ୱିକେଟ୍ ନେଇଥିବା ବେଳେ ଜୋଫ୍ରା ଆର୍ଚର ଗୋଟିଏ ୱିକେଟ୍ ନେଇଥିଲେ।