Asia Cup 2022 Final: ଦୁବାଇରେ ଚାଲିଥିବା ବହୁପ୍ରତିକ୍ଷୀତ ଏସିଆ କପ୍-୨୦୨୨ ଉଦଯାପନ ହୋଇଛି। ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଷଷ୍ଠ ଥର ପାଇଁ ଶ୍ରୀଲଙ୍କା ଏସିଆ କପ୍ ଚମ୍ପିଆନ ଟାଇଟଲ ହାତେଇଛି। ଫାଇନାଲରେ ଭାନୁକା ରାଜପକ୍ଷ ଅପରାଜିତ ୭୧ ରନ ସହ ଶ୍ରୀଲଙ୍କା ପାଇଁ ସର୍ବାଧିକ ସ୍କୋର କରିଛନ୍ତି। ପ୍ରମୋଦ ମଦୁଶନ ଚାରି ଏବଂ ୱାନିନ୍ଦୁ ହାସରାଙ୍ଗା ତିନୋଟି ୱିକେଟ୍ ନେଇଛନ୍ତି। ୨୦୧୪ ପରଠାରୁ ଏହା ଶ୍ରୀଲଙ୍କାର ପ୍ରଥମ ଏସିଆ କପ୍ ବିଜୟ, ଯେଉଁଥିରେ ସେମାନେ ଫାଇନାଲରେ ପାକିସ୍ତାନକୁ ମଧ୍ୟ ପରାସ୍ତ କରିଛନ୍ତି। ଭାନୁକାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଓ ହାସରାଙ୍ଗାଙ୍କୁ ପ୍ଲେୟାର ଅଫ ଦ ସିରିଜ ଆୱାର୍ଡ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତାକୁ ସାମ୍ନା କରୁଥିବା ଶ୍ରୀଲଙ୍କା ପାଇଁ ୧୧ ଖେଳାଳି କ୍ରିକେଟ୍ ପଡ଼ିଆରେ ହିରୋ ଭାବରେ ଉଭା ହୋଇଥିଲେ। ରବିବାର ଦୁବାଇରେ ଦମ୍ଭ ଦେଖାଇ ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଷଷ୍ଠ ଥର ପାଇଁ ଏସିଆ କପ୍ ଜିତି ଦେଶବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି। ତେବେ ଏହି ବିଜୟର କେବଳ ଶ୍ରୀଲଙ୍କା କ୍ରିକେଟ୍ ପାଇଁ ଖୁସିର ଖବର ନୁହେଁ ବରଂ ଐତିହାସିକ ଏବଂ ରାଜନୌତିକ ଦୃଷ୍ଟିରୁ ମଧ୍ୟ ଅନେକ ଗୁରୁତ୍ୱ ବହନ କରୁଛି। ରାଜନୈତିକ ଏବଂ ଅର୍ଥନାତିକ ଅସ୍ଥିରତା ସହ ସଂଘର୍ଷ କରୁଥିବା ଶ୍ରୀଲଙ୍କା ପାଇଁ ଏସିଆ କପ୍ ଟାଇଟଲ୍ ଜିତିବା ଏକ ପ୍ରକାରର ଆଶ୍ୱସ୍ତି ଦେଇଛି। ଗୋଟାବାୟା ରାଜପକ୍ଷ ମଧ୍ୟ ଟ୍ୱିଟ୍ କରି ଶ୍ରୀଲଙ୍କା କ୍ରିକେଟ ଟିମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 


Also Read: Asia Cup 2022 ଟୁର୍ଣ୍ଣାମେଣ୍ଟରେ କାହିଁକି ବିଫଳ ହେଲା ଟିମ୍ ଇଣ୍ଡିଆ? PCB ମୁଖ୍ୟ ଦେଲେ ଏହି କାରଣ


ଏସିଆ କପ୍-୨୦୨୨ର ଫାଇନାଲିଷ୍ଟ ଦଳ ମାଲାମାଲ ହୋଇଛନ୍ତି। ଉଭୟ ବିଜୟ ଶ୍ରୀଲଙ୍କ ଓ ପରାଜିତ ପାକିସ୍ତାନ ଉପରେ ଟଙ୍କାର ବର୍ଷା ହୋଇଛି। ବାସ୍ତବରେ ଏସିଆ କପ୍ ଟାଇଟଲ୍ ଜିତିବା ପାଇଁ ଶ୍ରୀଲଙ୍କା ଦଳକୁ ପ୍ରାୟ ଏକ କୋଟି ୨୦ ଲକ୍ଷ ଟଙ୍କାର ପ୍ରାଇଜ୍ ମନି ବା ଅର୍ଥ ପୁରସ୍କାର ମିଳିଛି। ଏଥି ସହିତ ହାରିଥିବା ଦଳ ଅର୍ଥାତ୍ ପାକିସ୍ତାନକୁ ପୁରସ୍କାର ରାଶି ଭାବରେ ପ୍ରାୟ ୬୦ ଲକ୍ଷ ଟଙ୍କା ଦିଆଯାଇଛି। ଏଥି ସହିତ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳି ମଧ୍ୟ ଲକ୍ଷପତି ହୋଇଛନ୍ତି। ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ ଟାଇଟଲ୍ ୱାନିନ୍ଦୁ ହାସାରଙ୍ଗାଙ୍କୁ ପ୍ରାୟ ୧୨ ଲକ୍ଷ ଟଙ୍କା ଦିଆଯାଇଥିଲା। ଏହା ବ୍ୟତୀତ ପ୍ଲେୟାର ଅଫ୍ ଫାଇନାଲ୍ ଟାଇଟଲ୍ ଭାନୁକା ରାଜପକ୍ଷ ପୁରସ୍କାର ସ୍ୱରୂପ ପ୍ରାୟ ୪ ଲକ୍ଷ ଟଙ୍କା ପାଇଛନ୍ତି।


ସୂଚନାଯୋଗ୍ୟ, ଦୁବାଇରେ ଖେଳାଯାଇଥିବା ଏସିଆ କପ୍-୨୦୨୨ ଫାଇନାଲରେ ପାକିସ୍ତାନକୁ ଶ୍ରୀଲଙ୍କା ୨୩ ରନରେ ପରାସ୍ତ କରିଛି। ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ କେବଳ ୧୪୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଆଠ ବର୍ଷ ପରେ ଶ୍ରୀଲଙ୍କା ଏସିଆ କପ୍ ଟାଇଟଲ୍ ଜିତିଛି। ପରାଜୟ ପରେ ପାକିସ୍ତାନ କ୍ୟାପଟେନ ବାବର ଆଜମ କହିଛନ୍ତି, "ଆମେ ଆମର ସାମର୍ଥ୍ୟ ଅନୁସାରେ ବ୍ୟାଟିଂ କରିପାରିଲୁ ନାହିଁ। ତଥାପି ଏହି ଟୁର୍ନାମେଣ୍ଟରେ ଆମ ପାଇଁ ଅନେକ ସକାରାତ୍ମକ ପ୍ରଭାବ ପଡିଛି। ଆମ ଫିଲ୍ଡିଂ ଦୁର୍ବଳ ଥିଲା। ଏସିଆ କପ୍ ୨୦୨୨ରେ ଉତ୍ଥାନ-ପତନ ଥିଲା, କିନ୍ତୁ ଆମେ ଆମର ଭୁଲରୁ ଶିଖିବା ଏବଂ ଭଲ କରିବା।"