Sports News: ଆଇପିଏଲ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟରେ କେବଳ ତିନୋଟି ଦଳ ବାକି ଅଛନ୍ତି। ଯେଉଁଥିରେ କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ। ଟିମ୍ କେକେଆର୍ ଫାଇନାଲରେ ନିଜର ସ୍ଥାନ ପକ୍କା କରି ସାରିଛି। କିଛି ଦଳ ଏବଂ ଖେଳାଳିଙ୍କ ପାଇଁ ସିଜନ-୧୭ ବହୁତ ଖରାପ ହୋଇଛି। ଏପରି ପରିସ୍ଥିତିରେ, ଅନେକ ଖେଳାଳିଙ୍କ ପାଇଁ ଏହି ଆଇପିଏଲ ସିଜିନ୍ ଶେଷ ସିଜିନ୍ ହେବାକୁ ଯାଉଛି। ଗୋଟିଏ ପଟେ ଆରସିବିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଆଇପିଏଲକୁ ବିଦାୟ ଦେଇଥିବା ବେଳେ ବର୍ତ୍ତମାନ ଅନ୍ୟ ଜଣେ ଷ୍ଟାର କ୍ରିକେଟର ତାଙ୍କ ଅବସର ବିଷୟରେ ସୂଚନା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଶିଖର ଧାୱନ ଅବସର ନେଇପାରନ୍ତି:


ଆଇପିଏଲ୍ ୨୦୨୪ର ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନ ଏବଂ ଦଳ ପାଇଁ କିଛି ଖାସ୍ ନଥିଲା। ଶିଖର ଧାୱନ ଆହତ କାରଣରୁ ପୂରା ସିଜିନରୁ ବାହାରେ ରହିଥିଲେ। ଯାହା ପରେ ଦଳର କ୍ୟାପଟେନ ଦାୟିତ୍ୱ ନିର୍ବାହ କରିଥିଲେ ସାମ କୁରାନ। ବର୍ତ୍ତମାନ ତାଙ୍କ ଅବସର ସମ୍ପର୍କରେ ଶିଖର ଧାଓ୍ୱନ ANIକୁ କହିଛନ୍ତି ଯେ ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଯେଉଁଥିପାଇଁ ତାଙ୍କର କ୍ରିକେଟ୍ ଯାତ୍ରା ଶେଷ ହୋଇପାରେ। ଧାୱନ କହିଛନ୍ତି ଯେ ମୁଁ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। ଯେତେବେଳେ ଆପଣ କ୍ରିକେଟ୍ ଖେଳୁଛନ୍ତି ଏହାର ଏକ ନିର୍ଦ୍ଦିଷ୍ଟ ବୟସ ରହିଛି ଯାହା ମୋ ପାଇଁ ଏକ ବର୍ଷ କିମ୍ବା ଦୁଇ ବର୍ଷ କିମ୍ବା XYZ କିଛି ବି ହୋଇପାରେ।



ଆଇପିଏଲରେ ଶିଖର ଧାୱନ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ଧାୱନ ଆଇପିଏଲରେ ୨୨୨ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୨୨୧ ଇନିଂସରେ ସେ ୬ ହଜାର ୭୬୯ ରନ୍ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ଶିଖର ଧାୱନ ୫୧ ଅର୍ଦ୍ଧଶତକ ଏବଂ ୨ ଶତକ ହାସଲ କରିଛନ୍ତି। ସିଜନ-୧୭ ଧାୱନ ମାତ୍ର ୫ଟି ମ୍ୟାଚ୍ ଖେଳିଛନ୍ତି। ଶିଖର ୫ଟି ମ୍ୟାଚରେ ୧୫୨ ରନ୍ କରିଛନ୍ତି।


ଚଳିତ ଆପିଏଲ ସିଜିନରେ ପଞ୍ଜାବ କିଙ୍ଗ୍ସ ର ପ୍ରଦର୍ଶନ ଖୁବ୍ ଖରାପ ଥିଲା। ଏହି ସିଜିନରେ ମାତ୍ର ୧୪ଟି ମ୍ୟାଚ୍ ମଧ୍ୟରୁ ୫ଟି ମ୍ୟାଚ୍ ଜିତିଥିଲା ଦଳ। ଏହା ବ୍ୟତୀତ ଦଳକୁ ୯ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ  ପଡ଼ିଥିଲା। ଯେଉଁ କାରଣରୁ ଦଳ ପଏଣ୍ଟ ଟେବୁଲରେ ନବମ ସ୍ଥାନରେ ରହିଥିଲା।