Stop Clock Trial will begin in Cricket: ଓଭର ମଧ୍ୟରେ ସମୟ ସୀମିତ କରିବାକୁ "ଷ୍ଟପ୍ କ୍ଲକ୍" ପରୀକ୍ଷଣ ଆରମ୍ଭ ହେବ। ଏହି ପରୀକ୍ଷଣ ୱେଷ୍ଟଇଣ୍ଡିଜ୍-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ରହିଥିବା ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ସହିତ ଆରମ୍ଭ ହେବ। ଓଭର ମଧ୍ୟରେ ସମୟ ହ୍ରାସ କରିବା ନେଇ "ଷ୍ଟପ୍ କ୍ଲକ୍" ପରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନେଇ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ପକ୍ଷରୁ ସୋମବାର ଜଣାଇ ଦିଆଯାଇଛି। ବାର୍ବାଡୋସ ଠାରେ ୱେଷ୍ଟଇଣ୍ଡିଜ୍-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଡିସେମ୍ବର ୧୨ ତାରିଖ ମଙ୍ଗଳବାର ଖେଳାଯିବ।


COMMERCIAL BREAK
SCROLL TO CONTINUE READING

ଆଇସିସି ପକ୍ଷରୁ ଜାରି ହୋଇଛି ବିବୃତ୍ତି 
ଓଭର ମଧ୍ୟରେ ସମୟ ସୀମିତ କରିବାକୁ "ଷ୍ଟପ୍ କ୍ଲକ୍" ପରୀକ୍ଷଣ ଆରମ୍ଭ କରାଯିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ। ଏନେଇ ଆଇସିସି ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ "ଷ୍ଟପ୍ କ୍ଲକ୍" ଓଭର ମଧ୍ୟରେ ନିଆଯାଇଥିବା ସମୟକୁ ସୀମିତ କରିବ। ଯାହାର ଅର୍ଥ ହେଉଛି ଯେ ପୂର୍ବ ଓଭର ସମାପ୍ତ ହେବାର ୬୦ ସେକେଣ୍ଡ ମଧ୍ୟରେ ବୋଲିଂ ଦଳ ପରବର୍ତ୍ତୀ ଓଭର ପ୍ରଥମ ବଲ ବୋଲିଂ କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ। ପାଳିରେ ତୃତୀୟ ଥର ପାଇଁ ଏହି ନିୟମ ପାଳନ କରିବାରେ ବିଫଳ ହେଲେ ଫିଲ୍ଡିଂ କରୁଥିବା ଦଳ ବିରୋଧରେ ୫ ରନ୍ ର ଜରିମାନା ଲଗାଯିବ। ଜରିମାନା ଲଗାଯିବା ପୂର୍ବରୁ ବୋଲିଂ କରୁଥିବା ଦଳକୁ ପଡ଼ିଆରେ ଦୁଇଟି ଆଗୁଆ ଚେତାବନୀ ଦିଆଯିବ।


ପ୍ରତିକ୍ରିୟା ରଖିଲେ ଆଇସିସି ଜେନେରାଲ ମ୍ୟାନେଜର ୱାସିମ ଖାନ
ଏନେଇ ପ୍ରତିକ୍ରିୟା ରଖି ଆଇସିସି ଜେନେରାଲ ମ୍ୟାନେଜର ୱାସିମ ଖାନ କହିଛନ୍ତି ଯେ ଅନ୍ତର୍ଜାତୀୟ କ୍ରିକେଟ୍ ର ସମସ୍ତ ଫର୍ମାଟ୍ ରେ ଖେଳର ଗତି ବଢାଇବାକୁ ଉପାୟ ଖୋଜିବା ଉପରେ ଆମର ଧ୍ୟାନ ରହିଛି। ସେ କହିଛନ୍ତି ଯେ, ହ୍ୱାଇଟ୍ ବଲ୍ ଆନ୍ତର୍ଜାତୀୟ କ୍ରିକେଟ୍ ମୁକାବିଲାରେ "ଷ୍ଟପ୍ କ୍ଲକ୍" ପରୀକ୍ଷଣ ପୂର୍ବରୁ ୨୦୨୨ ବର୍ଷରେ ନୂତନ ଖେଳ ଅବସ୍ଥା ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିଲା। ଯାହା ଅନୁଯାୟୀ ଯଦି କୌଣସି ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ଓଭର୍ ର ପ୍ରଥମ ବଲ୍ ବୋଲିଂ ସ୍ଥିତିରେ ନଥାଏ, ତାହେଲେ ସେହି ଦଳକୁ କେବଳ ୪ ଜଣ ଫିଲ୍ଡରଙ୍କୁ ବାହାରେ ରଖିବାକୁ ଅନୁମତି ଦିଆଯିବ। "ଷ୍ଟପ୍ କ୍ଲକ୍" ପରୀକ୍ଷଣ ଶେଷ ହେବା ପରେ ଏହି ପରୀକ୍ଷାର ଫଳାଫଳ ସମ୍ପର୍କରେ ଆକଳନ କରାଯିବ।


୫ ମ୍ୟାଚ୍ ବିଶିଷ୍ଟ ହେବ ଟି-୨୦ ସିରିଜ୍ 
ୱେଷ୍ଟଇଣ୍ଡିଜ୍-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍  ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହେବ। ପୂର୍ବରୁ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳା ଯାଇସାରିଛି। ଯାହାକୁ ଆୟୋଜକ ୱେଷ୍ଟଇଣ୍ଡିଜ୍ ୨-୧ ବ୍ୟବଧାନରେ ଜିତିନେଇଛି​। ପ୍ରାୟ ୨୫ ବର୍ଷ ପରେ ୱେଷ୍ଟଇଣ୍ଡିଜ ଦଳ ଇଂଲଣ୍ଡ ଟିମ୍ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ନିଜର ଘରୋଇ ମଇଦାନରେ ଜିତିଛି।


ୱେଷ୍ଟଇଣ୍ଡିଜ୍ ବନାମ ଇଂଲଣ୍ଡ ଟି୨୦ ସିରିଜ୍ କାର୍ଯ୍ୟସୂଚୀ 


  • ପ୍ରଥମ ଟି୨୦: ୧୨ ଡିସେମ୍ବର କେନ୍ସିଙ୍ଗଟନ୍ ଓଭାଲ୍, ବାର୍ବାଡୋସ୍

  • ଦ୍ୱିତୀୟ ଟି୨୦: ୧୪ ଡିସେମ୍ବର, ଜାତୀୟ ଷ୍ଟାଡିୟମ୍, ଗ୍ରେନାଡା

  • ତୃତୀୟ ଟି୨୦: ୧୬ ଡିସେମ୍ବର, ଜାତୀୟ ଷ୍ଟାଡିୟମ୍, ଗ୍ରେନେଡା

  • ଚତୁର୍ଥ ଟି୨୦: ୧୯ ଡିସେମ୍ବର ବ୍ରାଏନ୍ ଲାରା ଏକାଡେମୀ, ତ୍ରିନିଦାଦ

  • ପଞ୍ଚମ ଟି୨୦: ୨୧ ଡିସେମ୍ବର, ବ୍ରାଏନ୍ ଲାରା ଏକାଡେମୀ, ତ୍ରିନିଦାଦ