ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଶ୍ରୀ ଜଗନ୍ନାଥ ମନ୍ଦିର (Jagannath temple) ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭୋଟରଙ୍କ ଆସ୍ଥା, ବିଶ୍ୱାସ ଓ ଧର୍ମୀୟ ଭାବନା ସହ ଜଡ଼ିତ ଏହି ସ୍ପର୍ଶକାତର ବିଷୟକୁ ରାଜନୀତିକ ପ୍ରସଙ୍ଗ ଭାବେ ଧରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। କଂଗ୍ରେସ ନିର୍ବାଚନ ପୂର୍ବରୁ ପୁରୀରେ ଶୋଭାଯାତ୍ରା, ଧାରଣା, ବିକ୍ଷୋଭ କରି ଏହାର ରାଜନୀତିକ ରୂପ ଆଣିଥିବା ବେଳେ ଏବେ ଏହାକୁ ବିଜେପି ଅଧିକ ସମ୍ବେଦନଶୀଳ କରିବାକୁ ପଛାଇ ନାହିଁ। ଆଉ ଦୁଇଦିନ ପରେ ଭୋଟ ଦେବାକୁ ଯାଉଥିବା ପୁରୀ ତଥା ସାରା ଓଡ଼ିଶା ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ, ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ବିନ୍ଦୁ ଉପରେ: 

 

1. ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗରେ ଲାଗି ହେଉଥିବା ସମସ୍ତ ଅଳଙ୍କାରକୁ ଗଚ୍ଛିତ କରି ରଖିଛି। ଏହା ଦୁଇଟି ଭାଗରେ ବିଭକ୍ତ। ଗୋଟିଏ ଭିତର ରତ୍ନ ଭଣ୍ଡାର ଆଉ ଗୋଟିଏ ବାହାର ରତ୍ନ ଭଣ୍ଡାର। ବାହାର ରତ୍ନ ଭଣ୍ଡାର ସହ ଏ ପ୍ରସଙ୍ଗର କୌଣସି  ସମ୍ପର୍କ ନାହିଁ। ଭିତର ରତ୍ନ ଭଣ୍ଡାରର ଗଣତି, ମଣତି ଓ ଭଣତି ହିଁ ହୋଇଛି ମୁଖ୍ୟ ପ୍ରସଙ୍ଗ। 

 

2. ୧୯୭୮ ପରେ ଏହାର ଗଣତି ବା ଭଣ୍ଡାରର ମରାମତି ହୋଇ ନାହିଁ। ୧୯୮୪ ମସିହାରେ ଏହି ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିଲେ ମଧ୍ୟ ସେତେବଳେ କିଛି ଗଣତି ବା ମରାମତି ପ୍ରତି ଧ୍ୟାନ ଦିଆଯାଇ ନଥିଲା। ଏହା ପୂର୍ବରୁ ଇଂରେଜ ଶାସନ ସମୟରେ ୧୯୦୫ ଏବଂ ୧୯୨୬ ମସିହାରେ ଏହାକୁ ଖୋଲାଯାଇ ଗଣାଯାଇଥିଲା। 

 

3. ୧୯୭୮ ମସିହାର ଗଣତି ଅନୁସାରେ ଏଠାରେ ୧୪୯ କିଲୋଗ୍ରାମରର ସୁନା ଅଳଙ୍କାର ରହିଛି। ୨୫୮ କିଲୋଗ୍ରାମ ରୂପା ଅଳଙ୍କାର ବା ବାସନକୁସନ ରହିଛି। ଏଗୁଡ଼ିକ ବ୍ୟବହାରରେ ଆସୁ ନାହିଁ। ଏହା ସହ ୧୪ଟି ଏମିତି ଅତିରିକ୍ତ ଜିନିଷ ରହିଛି ଯାହାକୁ ତାଲିକାରେ ସାମିଲ କରାଯାଇ ନାହିଁ। 

 

4. ଏଏସ୍‍ଆଇର ସନ୍ଦେହ ଏବଂ ମନ୍ଦିରର ପ୍ରାଚୀନତାକୁ ଦେଖି ଏହି ରତ୍ନ ଭଣ୍ଡାର ଖୋଲିବା ଏବଂ ତାହାକୁ ମରାମତି କରିବା ଆବଶ୍ୟକତା ଥିବାରୁ ଭଣ୍ଡାର ଖୋଲିବା ପାଇଁ ଦାବି ହୋଇଥିଲା। ଯେଉଁଥିପାଇଁ ସରକାର ୧୬ ଜଣିଆ କମିଟି ଗଠନ କରିଥିଲେ। ୨୦୧୮ ମସିହା ଏପ୍ରିଲ୍‍ ୪ ତାରିଖରେ ସରକାର ଏକ ୧୬ ଜଣିଆ କମିଟି କରି ଏହି ରତ୍ନ ଭଣ୍ଡାରର ଗଣତି ଓ ଭଣତି ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରଶାସନ ପାଖରେ ଚାବି ନଥିବାରୁ ଗଣତି ଦଳ ଫେରି ଆସିଥିଲେ। ୨୦୧୯ ନିର୍ବାଚନ ଥିବାରୁ ଏହା ଏକ ରାଜନୀତିକ ପ୍ରସଙ୍ଗ ହୋଇଥିଲା। କିନ୍ତୁ ତାହାକୁ ମହାପ୍ରଭୁଙ୍କ ଇଚ୍ଛା କହି ଶାସକ ଦଳ ଚପାଇବାରେ ସକ୍ଷମ ହୋଇଥିଲେ। ଅପରପକ୍ଷେ ବିରୋଧି ଦଳ ସଂଗଠିତ ନଥିବାରୁ ଏହା ରାଜନୀତିକ ମୋଡ଼ ନେଇପାରି ନଥିଲା। 

 

5. ଏବେ ୬ ବର୍ଷ ପରେ ମଧ୍ୟ ସରକାରଙ୍କୁ ଚାବି ମିଳିବା ବିଷୟ ସ୍ପଷ୍ଟ ହୋଇ ନାହିଁ। ଏପରିକି ସରକାର ଚାବି ଖୋଜିବା ଲାଗି ଗଠନ କରିଥିବା ଜଷ୍ଟିସ ରଘୁବୀର ଦାସ କମିଟି ରିପୋର୍ଟ ଦେଇଥିଲେ ବି ତାହାକୁ ସାର୍ବଜନୀନ କରିପାରି ନାହିଁ। ଏଥିରେ ଶାସକ ଦଳର କିଛି ସମସ୍ୟା ରହିଛି ବୋଲି ଆଶଙ୍କା କରାଯାଉଛି। 

 

6. ଏ ଭିତରେ ସରକାର ରତ୍ନ ଭଣ୍ଡାର ଖୋଲିବା ପାଇଁ ଏକ କମିଟି ସୁପ୍ରିମ୍‍ କୋର୍ଟଙ୍କ ପୂର୍ବତନ ଜଷ୍ଟିସ୍‍ ଅରିଜିତ ପସାୟତଙ୍କ ନେତୃତ୍ୱରେ ଗଠନ କରିଛନ୍ତି। ଏହା ଶ୍ରୀଗୁଣ୍ଡିଚା ସମୟରେ ଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଇଛି। ହେଲେ ଏହାକୁ ଏକ ରାଜନୀତିକ ଚାଲ ବୋଲି ଗ୍ରହଣ କରିଛନ୍ତି ରାଜନୀତିକ ବିରୋଧୀ, ଯାହାକୁ ଜନତା ବି ଗ୍ରହଣ କରିବା ଆରମ୍ଭ କରିଛନ୍ତି। 

 

7. ରତ୍ନ ଭଣ୍ଡାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସରକାରୀ କଳକୁ ଦାୟୀ କରିଛନ୍ତି। ଏପରିକି ରତ୍ନ ଭଣ୍ଡାର ଚାବି ତାମିଲନାଡ଼ୁ ଚାଲିଯାଇଛି ବୋଲି ବି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଏପରି ସନ୍ଦେହ ସାରା ଦେଶରେ ବିଜେଡିର ଶାସନକୁ ପ୍ରଶ୍ନବାଚୀ ଭିତରକୁ ଆଣିଛି। ଏପରିକି ଦୀର୍ଘଦିନ ହେଲା ଚାପି ହୋଇ ରହିଥିବା ରତ୍ନ ଭଣ୍ଡାର ପ୍ରସଙ୍ଗ ରାଜନୀତିକ ରଙ୍ଗ ନେଇଛି। ଭାବାବେଗ ସହ ଜଡ଼ିତ ଥିବାରୁ ରତ୍ନଭଣ୍ଡାର ଆଗକୁ ବିଜେଡି ବା ବିଜେପିର ଭୋଟକୁ ପ୍ରଭାବିତ କରିବାରେ ବୋଲି ଆଶଙ୍କା ଜନ୍ମିଛି। 

 

8. ସରକାରୀ ପ୍ରୋଟୋକଲ ଅନୁସାରେ ଭିତର ରତ୍ନ ଭଣ୍ଡାର ଚାବି ସରକାରଙକ୍ ପାଖରେ ରହିଥାଏ। ସ୍ୱତନ୍ତ୍ର ଅନୁମତି ଦ୍ୱାରା ଏହା ଖୋଲାଯାଇଥାଏ। କିନ୍ତୁ ଏପ୍ରିଲ୍‍ ୪, ୨୦୧୮ ମସିହାରେ ସରକାରୀ କଳ କିପରି ଏ ଚାବି ପାଇଲେ ନାହିଁ ଏବଂ ପରବର୍ତ୍ତୀ ସମୟରେ ଏକ ଡୁପ୍ଲିକେଟ୍‍ ଚାବି ପାଇଲେ ତାହାକୁ ନେଇ ରହସ୍ୟ ଜନ୍ମିଛି। 

 

9. ଜଷ୍ଟିସ ରଘୁବୀର ଦାସ କମିଶନ ତଦନ୍ତ ସମୟରେ ରେକର୍ଡ ରୁମ୍‍ରେ ଏହି ଚାବି ଏକ ବନ୍ଦ ଲଫାପାରେ ଥିବା ମିଳିଥିବା ଚର୍ଚ୍ଚା ହୋଇଛି। ହେଲେ ରାଜ୍ୟ ସରକାର ଏ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି। 

 

10. ଶ୍ରୀମନ୍ଦିର ପରିଚାଳନା ନିୟମାବଳୀ ୧୯୬୦ ଅନୁସାରେ ପ୍ରତି ୬ ମାସରେ ଥରେ ମହାପ୍ରଭୁଙ୍କ ଗହଣା, ଏବଂ ମୂଲ୍ୟବାନ ପଦାର୍ଥର ଗଣତି ହେବା କଥା। କିନ୍ତୁ ଏହା ହୋଇପାରି ନାହିଁ। ଶ୍ରୀ ଜଗନ୍ନାଥ ମନ୍ଦିରର ବାହାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସରକାର ଭିତର ସୁରକ୍ଷା ପାଇଁ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି। ଖିଲି ସେତିକି ନୁହେଁ ଡୁପ୍ଲିକେଟ ଚାବି ଦ୍ୱାରା ରତ୍ନ ଭଣ୍ଡାରରୁ ଗହଣା ଗାଏବ ହୋଇଥିବା ବି ସନ୍ଦେହକୁ ଆସିଛି।