Odisha News: ଓଡ଼ିଶାରେ ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ମଇ ୨୫ ତାରିଖରେ ଛଅଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି । ଏଥିପାଇଁ ୬ଟି ଲୋକସଭା ଅଧିନ ୪୨ଟି ବିଧାନସଭା ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କିଛି ସମ୍ବେଦନଶୀଳ ତଥା ଅତି ସମ୍ବେଦନଶୀଳ ବୁଥରେ ରାଜନୈତିକ ହିଂସା କିମ୍ବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଜନସାଧାରଣଙ୍କ ଅବଗତି ନିମନ୍ତେ ଏହା ସ୍ପଷ୍ଟ ଭାବେ ଜଣାଇ ଦିଆଯାଉଛି ଯେ ଭାରତ ନିର୍ବାଚନ ଆୟୋଗ ରାଜନୈତିକ ହିଂସା ଓ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ‘ଶୂନ୍ୟ ସହନଶୀଳତା ନୀତି’ ଅବଲମ୍ବନ କରି ଆସିଛନ୍ତି। ତେଣୁ ଏଭଳି ସମସ୍ତ ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହି ଶାନ୍ତିଶୃଙ୍ଖଳା ବଜାୟ ରଖି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ରାଜନୈତିକ ଦଳ ଓ ରାଜ୍ୟର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। 



COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ଶ୍ରୀ ଧଳ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ନେଇ ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି ଓ ଯେଉଁ ଛଅଟି ଲୋକସଭା ଓ ତାହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି ସେଠାରେ ୧୨୧ କମ୍ପାନୀ ସିଏପିଏଫ୍‌ ମୁତୟନ ହୋଇଥିବା ସୂଚିତ କରିଛନ୍ତି । ଉକ୍ତ ୧୨୧ ସିଏପିଏଫ୍‌ କମ୍ପାନୀ ନିମ୍ନମତେ ମୁତୟନ ହୋଇଛନ୍ତି । ଶ୍ରୀ ଧଳ ଦେଇଥିବା ସୂଚନା ଅନୁଯାୟୀ ସମ୍ବଲପୁରରେ ୪ଟି ବିଧାନସଭା କ୍ଷେତ୍ର ରହିଥିବା ବେଳେ ଏଠାରେ ୧୨ କମ୍ପାନୀ ପୋଲିସ ସୁରକ୍ଷା କର୍ମୀ ନିୟୋଜିତ ହେବେ। ସେହିପରି ଗୋଟିଏ ବିଧାନସଭା ଆସନ ଥିବା ଦେଓଗଡ଼ରେ ୨ କମ୍ପାନୀ ଓ ମୟୂରଭଞ୍ଜରେ ୨ କମ୍ପାନୀ, ୫ ବିଧାନସଭା ଆସନ ଥିବା ଅନୁଗୋଳରେ ୧୨ କମ୍ପାନୀ, ୪ ବିଧାନସଭା ଆସନଥିବା ଢେଙ୍କାନାଳରେ ୮ କମ୍ପାନୀ, ୬ଟି ବିଧାନସଭା ଆସନ ଥିବା କେନ୍ଦୁଝରରେ ୧୭ କମ୍ପାନୀ, ୩ ବିଧାନସଭା ଆସନ ଥିବା କଟକ ଗ୍ରାମୀଣରେ ୧୧ କମ୍ପାନୀ ଓ କଟକ ଅର୍ବାନ ପୋଲିସ ଡିଷ୍ଟିରକଫରେ ୮ କମ୍ପାନୀ, ୫ ବିଧାନସଭା ଆସନ ଭୁବନେଶ୍ୱର ଅର୍ବାନ ପୋଲିସ ଡିଷ୍ଟିରକଫ ଆସନରେ ୧୩ ପ୍ଲାଟୁନ, ୩ ବିଧାନସଭା ଆସନ ଥିବା ଖୋର୍ଦ୍ଧାରେ ୧୧ କମ୍ପାନୀ, ପୁରୀରେ ୧୧ କମ୍ପାନୀ ଓ ନୟାଗଡ଼ରେ ୧୪ କମ୍ପାନୀ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।