Odisha News: କେନ୍ଦୁଝର ଯୋଡ଼ାରେ ଅଘଟଣ । ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ, ସୌଭାଗ୍ୟ ବଶତଃ ଜଣେ ଶ୍ରମିକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ  ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଦୁଇ ଜଣ ହେଲେ ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଚେଭ୍ରୋକ୍ସ୍ କନଷ୍ତ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ ନାମକ ଠିକା କମ୍ପାନୀ ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିଲା। ୧୨ ରୁ ୧୫ ଫୁଟ ଗଭୀରତା ପର୍ଯ୍ୟନ୍ତ ମାଟି ଖୋଳାଯାଇ ଡି ଆଇ ପାଇପ୍ ପକାଯାଉଥିଲା । ଆଜି ଅପରାହ୍ନରେ ୫ ଜଣ ଶ୍ରମିକ ସେଠାରେ ପାଇପ୍ ଲାଇନ୍ ବିଛାଇବା କାମରେ ନିୟୋଜିତ ଥିଲା ବେଳେ, ୩ ଜଣ ଶ୍ରମିକ ଖାଲ ଭିତରକୁ ପଶି ମାଟି ରାମ୍ପି ସାଇଜ କରିବା ସମୟରେ ଉପର ପଟୁ ହଠାତ୍ ମାଟି ଅତଡ଼ା ଧସି ଯାଇଥିଲା । ମୁକେଶ ସର୍ଦ୍ଦାର ନାମକ ଜଣେ ଶ୍ରମିକ ସେଠାରୁ ବାହାରକୁ ଧାଇଁ ନିଜର ଜୀବନ ବଞ୍ଚାଇଥିଲେ । ତେବେ ଅନ୍ୟ ଦୁଇ ଜଣ ଶ୍ରମିକ ଚରଣ ଲୋହାର, ଅର୍ଜୁନ ଲୋହାର ମାଟିରେ ପୋତି ହୋଇ ଯାଇଥିଲେ ।


ତେବେ ପରେ ସତର୍କତାର ସହିତ ଜେସିବି ସାହାଯ୍ୟରେ ମାଟି ବାହାର କରି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ଉଦ୍ଧାର କାର୍ଯ୍ୟ ୧ ଘଣ୍ଟା ବିଳମ୍ବରେ କରାଯାଇଥିଲା ବୋଲି ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଶ୍ରମିକ ମୁକେଶ ସର୍ଦ୍ଦାର କହିଛନ୍ତି । ଏହି ଘଟଣା ପରେ ସଂପୃକ୍ତ ଠିକା କମ୍ପାନୀର ଅଧିକାରୀ ମାନଙ୍କ ଦେଖା ମିଳିନାହିଁ । ସେପଟେ ଉଭୟ ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରବର୍ଗ ମେଡ଼ିକାଲରେ ପହଞ୍ଚିଛନ୍ତି । ପୁରା ଅଞ୍ଚାଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାକୁ ନେଇ ଠିକା କମ୍ପାନୀ ବିରୁଦ୍ଧରେ ଚାପା ଉତ୍ତେଜନା ଦେଖାଦେଇଛି । ଯୋଡ଼ା ପୋଲିସ୍ ଘଟଣା ଉପରେ ନଜର ରଖିଛି ।