Odisha News: ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଦା ହେଲେ ୪ ବରିଷ୍ଠ ଅଧିକାରୀ। ଏହି ୪ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗ ଫେରାଇ ନେଇଛି। ଏହି ଅଧିକାରୀମାନେ ନବୀନ ପଟ୍ଟନାୟକଙ୍କ ଅମଳରେ ସୁପର ଚିଫମିନିଷ୍ଟର ଭାବେ କାର୍ଯ୍ୟ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଏଠାରେ କହି ରଖୁ କି ଆଜି ଦୀର୍ଘ ୨୨ ଦିନ ପରେ ଆଜି ଲୋକସେବା ଭବନର ତୃତୀୟ ମହଲାରୁ ଆଜିଠୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ପୂଜାର୍ଚ୍ଚନା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜିଠୁ ସିଏମଓ(ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ)ରେ ପ୍ରବେଶ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ରାଜ୍ୟ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଓଏଏସ ଲାଲା ମନୋଜ କୁମାର ରାୟ, ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର, ଯୁଗ୍ମ ସଚିବ ମନୋଜ କୁମାର ସ୍ୱାଇଁ ଓ ଓଏସଡି ରବୀନ୍ଦ୍ର କୁମାର ସେଠୀଙ୍କୁ ତତ୍କାଳ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇ ଅଣାଯାଇଛି। ଏହି 4 ଜଣ ଅଫିସର ନବୀନ ପଟ୍ଟନାୟକଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ରହି ସୁପର ଚିଫ ମିନିଷ୍ଟର ଭଳି କାର୍ଯ୍ୟ କରୁଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଥିଲା। 


ସୂଚନା ଅନୁସାରେ, ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ରହି ସାଧାରଣ ପ୍ରଶାସନ, ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ ବିଭାଗର ଫାଇଲ୍ ଦେଖୁଥିଲେ। ତାଙ୍କ ବାଟ ଦେଇ ଏହି ସମସ୍ତ ବିଭାଗର ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲା।