ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଘରୋଇ କଲେଜରେ କାର୍ଯ୍ୟ କରୁଥିବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସେମାନେ ଏଣିକି ଦରମା ଓ ଆନୁଷଙ୍ଗିକ ଭତ୍ତା ପାଇବେ। ଏହା ପିଛିଲା ଭାବେ ଜାନୁୟାରୀ ମାସରୁ ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁର କରିଛନ୍ତି। ଏହାସହ ଘରୋଇ ହାଇସ୍କୁଲ୍‍, ସଂସ୍କୃତ ଟୋଲ୍‍ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ଓ ଭତ୍ତାକୁ ବୃଦ୍ଧି କରି ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ପ୍ରଦାନ ଲାଗି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି।



COMMERCIAL BREAK
SCROLL TO CONTINUE READING

ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଓଡ଼ିଶା ( ବେସରକାରୀ କଲେଜ, ଜୁନିୟର କଲେଜ ଏବଂ ଉଚ୍ଚ ମାଧ୍ୟମିକ କଲେଜ) ସହାୟକ ଅନୁଦାନ ଆଦେଶ-୨୦୧୪ ଦ୍ୱାରା ଅନୁଦାନପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକଙ୍କ ଦରମା ବୃଦ୍ଧି ହେବ। ସେମାନେ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ ୨୦୦୮ ଅନୁସାରେ ପ୍ରାପ୍ୟ ପାଉଛନ୍ତି। ୨୦୨୨ ପରେ ଏହି ଅନୁଷ୍ଠାନ ଗୁଡ଼ିକର କର୍ମଚାରୀମାନେ ସମ୍ପୂର୍ଣ୍ଣ ଦରମା ସରକାରଙ୍କଠାରୁ ପାଉଛନ୍ତି। ଏହିକ୍ରମରେ ସରକାର ୨୦୧୭ ବେତନ ହାର ନିୟମ ତଥା ସପ୍ତମ ବେତନକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ରାଜ୍ୟର ୧୭୮୯ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ।  ଏହାଙ୍କ ସହ ଗଣଶିକ୍ଷା ବିଭାଗର ୬୨୭  ବେସରକାରୀ ହାଇସ୍କୁଲ୍‍ ଏବଂ ୩୯ଟି ସଂସ୍କୃତ ଟୋଲ୍‍ରେ କାର୍ଯ୍ୟ କରୁଥିବା ୭୭୯୬ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ମଧ୍ୟ ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ଦରମା ପ୍ରଦାନ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ୨୭ କୋଟି ୩୭ ଲକ୍ଷ ଟଙ୍କାର ଅତିରିକ୍ତ ଭାର ବହନ କରିବେ।