Odisha News: (ପ୍ରେମାନନ୍ଦ ପୂଜାରୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ବାଘଶାଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ପୁଅ ଓଏଏସ୍ ପାଇଛନ୍ତି। ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ପୁରପଲ୍ଲୀର ପରୀକ୍ଷାର୍ଥୀମାନେ କୃତକାର୍ଯ୍ୟ ହୋଇଛନ୍ତି। ତନ୍ମଧ୍ୟରୁ ବାଘଶାଳା ଗ୍ରାମର ସିଙ୍ଗିପୁରମ୍ ସଞ୍ଜିବଙ୍କ ସାନ ପୁଅ ସିଙ୍ଗିପୁରମ୍ ହରି 421 ରେଙ୍କ ରଖି କୃତୀତ୍ବ ଅର୍ଜନ କରିଥିବା ବେଳେ ସମଗ୍ର ବ୍ଲକ୍ ପାଇଁ ଗୌରବାନ୍ବିତ କରିଛନ୍ତି। ଏଥି ଯୋଗୁଁ ହରିଙ୍କୁ ନିଜ ଜନ୍ମମାଟିରେ ସମ୍ବର୍ଦ୍ଧନା ଦିଆଯାଇଛି। ବାଜାବଜାଣା ସହ ଆତସବାଜି ଫୁଟାଇ ଗ୍ରାମ ପରିକ୍ରମା କରାଇଥିଲେ ଗ୍ରାମବାସୀ। ଏହା ସହ ଫୁଲମାଳ ପିନ୍ଧାଇ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ସମ୍ମାନ ଜଣାଯାଇଥିଲା। ଏପରି ଉତ୍ସାହିତ ଦେଖି ସିଙ୍ଗିପୁରମ୍ ହରି କିଛି ସମୟ ପାଇଁ ଭାବବିହ୍ବଳ ହୋଇଯାଇଥିବାର ଦେଖିବାକୁ ମଧ୍ୟ ମିଳିଥିଲା। 


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ସେ ଉପସ୍ଥିତ କୁନି କୁନି ପିଲା ଏବଂ ଗ୍ରାମବାସୀଙ୍କୁ କହିଥିଲେ ଯେ, ଶିକ୍ଷା ହିଁ ପରିଚୟ ଆଣିଥାଏ, ତେଣୁ ଯାହା କଲେ ମଧ୍ୟ ଶିକ୍ଷାରୁ କେହି ନିବୃତ ନ ହୁଅନ୍ତୁ । ଗ୍ରାମବାସୀ କହିଛନ୍ତି ଯେ, ସିଙ୍ଗିପୁରମ୍ ହରିଙ୍କ ପିତା ସିଙ୍ଗିପୁରମ୍ ସଞ୍ଜୀବ ଓ ତାଙ୍କ ମାତା ଏସ୍.ସୁନା ଆର୍ଥିକ ଅନଟନ ଦେଖି ନିଜର ଦୁଇ ପୁତ୍ର ଓ ଏକମାତ୍ର କନ୍ୟାଙ୍କୁ କକାଙ୍କ ଘରେ ରଖି ପାଠ ପଢାଉଥିଲେ। ପିତା ମାତା ଦାଦନ ଖଟିବା ପାଇଁ ସୁଦୁର ହାଇଦ୍ରାବଦରେ ଏକ କେମିକାଲ କମ୍ପାନୀରେ ଶ୍ରମିକ ଭାବେ ଦାୟିତ୍ବ ତୁଲାଉଥିଲେ। ସେଥିରେ ଯାହା ଗୁଜାରଣ ହେଉଥିଲା ନିଜେ ଚଳିବା ସହ ତିନି ସନ୍ତାଙ୍କ ପାଠ ପଢା ଏବଂ ରହଣି ଚଳନି ପାଇଁ ଟଙ୍କା ପଠାଉଥିଲେ।


 ଏପରି ପରିସ୍ଥିତିରେ ଦୁଇ ପୁତ୍ର ଏବଂ ଝିଅ ପାଠ ପଢି ସୁନାମ ଅର୍ଜନ କରି ଆସିଥିବାର ଜଣାପଡିଛି। ବଡ ପୁଅ ଏସ୍.ରମେଶ ଯିଏକି ବ୍ୟାଙ୍କରେ କାର୍ଯ୍ୟରତ ଥିବା ବେଳେ ସାନ ପୁଅ ସିଙ୍ଗିପୁରମ୍ ହରି ମଧ୍ୟ ଏମ୍.ଏସସି, ଫରେଷ୍ଟ୍ରୀ ଶିକ୍ଷା ସମାପନ ପରେ କୋରାପୁଟ ଜିଲ୍ଲା କର୍ମ କନିଷ୍ଠ ନିୟୋଜନ ଅଧିକାରୀ ଭାବେ ଚାକିରୀ ପାଇଥିଲେ। ବାଲ୍ୟ ଶିକ୍ଷା ବାଘଶଳା ଗ୍ରାମର ପ୍ରାଥମିକ ଏବଂ ହାଇସ୍କୁଲ ଶିକ୍ଷା ସମାପନ ପରେ ଭୁବନେଶ୍ବର ବିଜେବି କଲେଜରେ ଯୁକ୍ତ ଏବଂ ଓୟୁଟି ଭୁବନେଶ୍ବରରେ ସ୍ନାତକୃ-ଫରେଷ୍ଟ୍ରି ଶ୍ (2017-2021) ଏବଂ ଏହା ପରେ ଏମ୍.ଏସସି ଫରେଷ୍ଟ୍ରୀ (2021-2024) ଶିକ୍ଷା ସମାପନ କରି ଚାକିରୀ ପାଇଥିଲେ।