Srimandir: ଅଣହିନ୍ଦୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ଏହି ପ୍ରସଙ୍ଗକୁ ନେଇ ଅନେକ ଥର ବିବାଦ ହୋଇଥିବା ବେଳେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ୧୪ ତାରିଖଠାରୁ ସିଂହଦ୍ବାରରେ ପ୍ରହରା ଦେବେ ଜେଟିପିଙ୍କ ସହ ପ୍ରତିହାରୀ ସେବକ। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର। ତେବେ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ଶ୍ରୀମନ୍ଦିର ସ୍ବତ୍ବଲିପିର ପାରା-୧୯ରେ ସମ୍ପୂର୍ଣ୍ଣ ଉଲ୍ଲେଖ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଶ୍ରୀମନ୍ଦିରରେ ବାରମ୍ବାର ଅଣହିନ୍ଦୁ ପ୍ରବେଶ ଘଟଣା ଘଟିବା ପରେ ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗରେ ଗମ୍ଭୀର ଆଲୋଚନା କରାଯାଇଥିଲା। ସିଂହଦ୍ବାର ପ୍ରତିହାରୀ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଯେଉଁ ପ୍ରସ୍ତାବରେ ସମ୍ମତି ଜଣାଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି। ତେଣୁ ଆସନ୍ତା ୧୪ ତାରିଖରୁ ସିଂହଦ୍ବାରରେ ଜଗିବେ ପ୍ରତିହାରୀ ସେବକ। ପ୍ରାଥମିକ ପର୍ଯ୍ୟାୟରେ ୪ ଜଣ ପ୍ରତିହାରୀ ସିଂହଦ୍ବାରରେ ଜଗିବେ। ପରବର୍ତ୍ତୀ ସମୟରେ ଅନ୍ୟ ଦ୍ବାରରେ ପ୍ରତିହାରୀମାନେ ଜଗିବା ବ୍ୟବସ୍ଥା କରାଯିବା ନେଇ ସୂଚନା ଦିଆଯାଇଛି।


ତେବେ ଗତ ଦୁଇମାସ ମଧ୍ୟରେ ୩ରୁ ଅଧିକ ଅଣହିନ୍ଦୁ ଶ୍ରୀମନ୍ଦିରରେ ପଶିଥିବା ଘଟଣା ସାମ୍ନାକୁ ଆସିଛି। ଜଣେ ବିଦେଶୀ ମହିଳା ଶ୍ରୀମନ୍ଦିରରେ ପଶି ବାଇଶିପାହାଚ ଦେଇ ଯାଉଥିବା ବେଳେ ସେବାୟତଙ୍କ ହାତରେ ଧରାପଡ଼ିଥିଲେ। ପୁଲିସ ଉକ୍ତ ବିଦେଶୀ ପର୍ଯ୍ୟଟକ((Foreign Tourist)ଙ୍କୁ ଥାନାକୁ ଆଣି ପଚରାଉଚରା ଓ କାଗଜପତ୍ର ଯାଞ୍ଚ ପରେ ଛାଡ଼ିଥିଲେ। ଏହାର କିଛିଦିନ ପରେ କିଛି ବାଂଲାଦେଶୀ ଶ୍ରୀମନ୍ଦିରରେ ପଶିଥିଲେ। ସେମାନଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରି ଛାଡ଼ିଥିଲା। ସେହିପରି, ଇଂଲଣ୍ଡର ଜଣେ ଯୁବକ ଶ୍ରୀମନ୍ଦିରରେ ପଶି ଉନ୍ମତ୍ତକାଣ୍ଡ ଭିଆଇଥିଲା। ବେହେରଣ ଦ୍ବାର ନିକଟକୁ ଯାଇ ଶ୍ରୀମନ୍ଦିର ଭିତରକାଠକୁ ପଶିବାକୁ ଚେଷ୍ଟା କରୁଥିଲା। ପୁଲିସ ଓ ସେବାୟତମାନେ ଅଟକାଇବାକୁ ଚେଷ୍ଟା କରିବାରୁ ସେ ସେବାୟତ ଓ ପୁଲିସଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।