ଭୁବନେଶ୍ୱର: ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି। ଉଭୟ ସରକାରୀ ଓ ସମସ୍ତ ବିରୋଧୀ ଦଳ ଏଥିରେ ଯୋଗ ଦେବେ। ଏହି ସମୟରେ ଗୃହରେ ସରକାରୀ କାର୍ଯ୍ୟକ୍ରମ ବାବଦରେ ସବୁ ବିେରାଧୀ ଦଳର ନେତାଙ୍କୁ ଅବଗତ କରାଯିବ। ଏହାର ଗୁରୁତ୍ୱ ଏବଂ ବିଧେୟକ ପାରିତ ହେବାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବାଚସ୍ପତି ଓ ସମସ୍ତ  ସଦସ୍ୟଙ୍କୁ ଜଣାଇବେ। ବାଚସ୍ପତି ଏହାର ଅଧ୍ୟକ୍ଷତା ରହିବେ। 

 

ଏହି ବୈଠକ ଆଜି ଦିନ ସାଢ଼େ ୧୦ଟା ବେଳେ ଡକାଯାଇଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକ ପୂର୍ବରୁ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଦଳୀୟ ଆଲୋଚନା ହୋଇଛି। ଗୋଟିଏ ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ଲାଗି କ’ଣ ରଣନୀତି ରହିବ ସେ ସମ୍ପର୍କରେ ବିଜେଡିର ବରିଷ୍ଠ ନେତାମାନେ  ଆଲୋଚନା କରିଛନ୍ତି। ଏହି ପ୍ରସ୍ତାବକୁ ଦଳର ନେତା ତଥା ରାଜ୍ୟ ବିରୋଧୀ ଦଳ ନେତାଙ୍କୁ  ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। 

 

ଆସନ୍ତା କାଲି ଅର୍ଥାତ ନଭେମ୍ବର ୨୬ ତାରିଖରୁ ଏହି ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବା ଲାଗି ସମୟ ନିର୍ଘଣ୍ଟ କରାଯାଇଛି। ଏଥିରେ ସମୁଦାୟ ୩୦ଟି କାର୍ଯ୍ୟ ଦିବସ ରହିଛି। ସୂଚନା ଅନୁସାରେ ରାଜ୍ୟ ସରକାର ପ୍ରଥମ ଦିନ ହିଁ ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିବେ। ଏହା  ସରକାରଙ୍କ ପ୍ରଥମ ଅତିରିକ୍ତ ବଜେଟ ହେବ। ଏହା ପୂର୍ବରୁ  ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ ସରକାର।