ଭୁବନେଶ୍ବର: ଟ୍ରେନ୍ ରେ ଟିକଟ ବିହୀନ ଓ ଅନିୟମିତ ଟିକଟ ଯାତ୍ରାକୁ ରୋକିବା ପାଇଁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ବାଣୀବିହାର ପାସେଞ୍ଜର ହଲ୍ଟରେ ଏକ ଆମ୍ବୁଶ୍ (ଅଚାନକ) ଟିକଟ୍ ଯାଞ୍ଚ କରାଯାଇଛି। ଆଜି ବାଣିଜ୍ୟି ଅଧିକାରୀ, ଟିକଟ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷାବଳଙ୍କୁ ନେଇ ବାଣୀବିହାର ପାସେଞ୍ଜର ହଲ୍ଟରେ ଏବଂ ପାସେଞ୍ଜର ହଲ୍ଟ ଦେଇ ଯାଉଥିବା ଟ୍ରେନ୍ ରେ ଅଚାନକ ଟିକଟ ଯାଞ୍ଚ କରାଯାଇଛି। ଟିକଟ ଯାଞ୍ଚ ବେଳେ ସମୁଦାୟ ୨୧୮ଜଣ ବିନା ଟିକଟଯାତ୍ରୀ ଧରା ପଡ଼ିଥିଲେ।


COMMERCIAL BREAK
SCROLL TO CONTINUE READING

ଏମାନଙ୍କଠାରୁ ଭଡ଼ା ସହ ୫୧ହଜାର ୫୫୦ଟଙ୍କା ଜରିମାନା ଆଦାୟ କରାଯାଇଛି। ବାଣୀବିହାରରେ ଏହି ଅଚାନକ ଟିକଟ ଯାଞ୍ଚ ଅଭିଯାନ ଯୋଗୁ ବାଣୀବିହାର ଏବଂ ନିକଟସ୍ଥ ଷ୍ଟେସନ୍ ଗୁଡ଼ିକର କାଉଣ୍ଟରସ୍ ଟିକଟ ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଛି। ସେହିପରି କିଛି ଅନଧିକୃତ ବିକ୍ରେତା, ଯେଉଁମାନେ ବିନା ଲାଇସେନ୍ସରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିଲେ, ସେମାନଙ୍କୁ ଅଭିଯାନ ସମୟରେ ଦଣ୍ଡିତ କରାଯାଇଛି।


ଏହି ଅଭିଯାନ ସମୟରେ ଟ୍ରେନ୍ ରେ ଯାତ୍ରା କରୁଥିବା ଜଣେ ନାବାଳକକୁ ବାଣୀବିହାର ପାସେଞ୍ଜର ହଲ୍ଟରୁ ଉଦ୍ଧାର କରାଯାଇ ଆରପିଏଫ୍ କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ପ୍ରକୃତ ଟିକଟଧାରୀ ଯାତ୍ରୀମାନଙ୍କ ଆରାମଦାୟକ ଯାତ୍ରା ପାଇଁ ଏବଂ ରେଳ ରାଜସ୍ୱରେ ହ୍ରାସକୁ ରୋକିବା ପାଇଁ ଆଗାମୀ ଦିନରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଥିବା ସମସ୍ତ ରେଳ ଷ୍ଟେସନ୍ ରେ ଏଭଳି ଟିକଟ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି କୁହାଯାଇଛି।