Balasore Crime News: ବାଲେଶ୍ଵର (Balasore) ଜିଲ୍ଲା ଅନନ୍ତପୁର ଗାଁରେ ଏକ ଛାତ ଉପରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ମହିଳା ଜଣଙ୍କ ଆତ୍ମହତ୍ୟା (suicide) କରିଥିବା ନେଇ ଶାଶୁ ଘର ଲୋକେ କହୁଥିବା ବେଳେ ଝିଅକୁ ହତ୍ୟା ପରେ ପୋଡ଼ି ଦେଇଥିବା ନେଇ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଭୋଗରାଇ ପୋଲିସ (Bhograi police) ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିଥିଲା ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ୭ ବର୍ଷ ତଳେ ବାଲିଆପାଳ ଥାନା ପାଳଜାମକୁଣ୍ଡା ଗ୍ରାମର ହରିଶ୍ଚନ୍ଦ୍ର ବେହେରାଙ୍କ ମଝିଆ ଝିଅ ମିଲି ଭୋଗରାଇ ଥାନା ଦେହୁର୍ଦ୍ଦା ପଞ୍ଚାୟତ ଅନ୍ତର୍ଗତ ଅନନ୍ତପୁର ଗାଁର ହେମନ୍ତ ପରିଡାଙ୍କ ପୁଅ ଭଗିରଥକୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଭଗିରଥ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ମିଲି ଶାଶୁ ଶଶୁରଙ୍କ ସହିତ ଗାଁରେ ରହୁଥିଲେ। ଉଭୟଙ୍କର ଏକ ୬ ବର୍ଷର ପୁଅ ଓ ଦେଢ ବର୍ଷର ଝିଅ ମଧ୍ଯ ରହିଛି । ତେବେ ବିବାହ ସମୟରେ ମିଲିଙ୍କ ବାପଘର ଲୋକେ ନିଜ ସାମର୍ଥ ଅନୁଯାୟୀ ଝିଅକୁ ଯୌତୁକ (Dowry) ଦେଇଥିଲେ । କିନ୍ତୁ ବିବାହ ଦିନଠାରୁ ଯୌତୁକକୁ ନେଇ ଶାଶୁଘର ଲୋକେ ମିଲିକୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏପରିକି ଏକ ମଟର ସାଇକେଲ ଦାବି କରି ମିଲିକୁ ମାରପିଟ୍ ମଧ୍ୟ କରୁଥିଲେ। ଏନେଇ ଉଭୟ ପରିବାର ପକ୍ଷରୁ ବହୁବାର ଭଦ୍ର ବ୍ୟକ୍ତିଙ୍କୁ ଡ଼କାଯାଇ ସମାଧାନ କରାଯାଇଥିଲେ ସୁଦ୍ଧା ମିଲିଙ୍କ ଉପରେ ନିର୍ଯାତନା କମିନଥିଲା।


ରବିବାର ଦିନ ସକାଳେ ମିଲି ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ନେଇ ଶଶୁର ଲୋକେ ମିଲିଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ । ମିଲିଙ୍କ ପରିବାର ଲୋକଙ୍କ ସମେତ କିଛି ଗ୍ରାମବାସୀ ଅନନ୍ତପୁର ଗାଁରେ ପହଞ୍ଚି ଛାତ ଉପରେ ଝିଅର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିଥିଲେ। ଝିଅକୁ ପିଟି ପିଟି ହତ୍ୟା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ନେଇ ପରିବାର ଲୋକେ ଭୋଗରାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚିବା ପରେ ସେଠାରେ ପୋଲିସ ଓ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରି ଉତ୍ତ୍ୟକ୍ତ ମହିଳା ମାନେ ପୋଲିସ ଗାଡିକୁ ଅଟକ ରଖିବା ସହ ରାସ୍ତା ଅବୋରୋଧ କରିଥିଲେ। ଖବର ପାଇ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ କୁମାର ସାହୁ, ଭୋଗରାଇ ତହସିଲଦାର ସୁଶାନ୍ତ ପଟ୍ଟନାୟକ,ଅତିରିକ୍ତ ତହସିଲଦାର ଗଦାଧର ସେଠୀ,କମର୍ଦ୍ଦା ଥାନା ଅଧିକାରୀ ବାରିଣି ଦାସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅପରାହ୍ନରେ ସାଇଣ୍ଟିଫିକ ଟିମ୍ (Scientific Team) ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Also Read- ସତରେ ପ୍ରେମ ଅନ୍ଧ ! ପାକିସ୍ତାନୀ ଯୁବତୀକୁ ଅନଲାଇନରେ ବିବାହ କଲେ ରାଜସ୍ଥାନ ଯୁବକ


ପ୍ରକାଶ ଥାଉ କି, ମିଲିଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଭୋଗରାଇ ପୋଲିସ (Bhograi police) କେସ ନମ୍ବର ୨୫୫/୨୩ ରେ ମାମଲା ରୁଜୁ କରିବା ସହ ଶଶୁର ଓ ଶାଶୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ଅନ୍ୟପଟେ ମିଲିଙ୍କ ସ୍ଵାମୀ ଘରେ ପହଞ୍ଚି ନଥିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଉକ୍ତ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।


Also Read- ​QR Code: ଏଣିକି ସ୍କାନ୍ କରି ଜାଣିପାରିବେ ଆପଣ ଖାଉଥିବା ମେଡ଼ିସିନ ଅସଲି ନା ନକଲି?