ଭୁବନେଶ୍ଵର: ଭରତପୁର ଥାନାରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ମାଡ଼ ଘଟଣାର ନ୍ୟାୟିକ ତଦନ୍ତ ପକ୍ରିୟା ଆରମ୍ଭ ହୋଇଯାଇଛି। ଗତକାଲି ସ୍ପେସାଲ ସର୍କିଟ ହାଉସ୍‌ର ପ୍ରଥମ ମହଲା ରୁମ ନମ୍ବର ୧୦, ୧୧, ୧୨ ଓ ସମ୍ମିଳନୀ କକ୍ଷରେ କମିସନଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ବୈଠକ ହୋଇଛି। ପୁଲିସ ଡିଜି ୱାଇ.ବି ଖୁରାନିଆ, ଅତିରିକ୍ତ ଡିଜି ବିନୟତୋଷ ମିଶ୍ର, କ୍ରାଇମବ୍ରାଞ୍ଚ, ଗୃହ ସଚିବ, ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ସୂଚନା ଓ ଲୋକସଂପର୍କ ସଚିବ ଓ କ୍ରାଇମବ୍ରାଞ୍ଚ ଆଇଜି ସପିନ ଅହମ୍ମଦ ବୈଠକରେ ଯୋଗ ଦେଇଥିଲେ। କମିସନ କେଉଁ ଭଳି ଭାବରେ କାର୍ଯ୍ୟ କରିବ ସେ ବିଷୟରେ ଆଲୋଚନା ହୋଇଛି। ତେବେ ଆଜି ଭରତପୁର ଥାନା ନିର୍ଯାତନା ଓ ମାଡ଼ ଘଟଣା ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ବିଜ୍ଞାପନ ମାଧ୍ୟମରେ ସତ୍ୟପାଠ ଆହ୍ବାନ କରାଯିବ ବୋଲି କମିସନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏଥିରେ ଉଲ୍ଲେଖ କରାଯାଇଛି ଯେ, ଘଟଣା ସଂପର୍କରେ ପ୍ରଥମେ ସତ୍ୟପାଠ ପାଇଁ ଆହ୍ୱାନ ଆଜି କରାଯିବ। ସତ୍ୟପାଠ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରାଯିବ। ଏହାସହ ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ। ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସତ୍ୟପାଠ ଦେବେ। ସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରାଯାଇ ତଦନ୍ତ ଆଗେଇବ। ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ ବୋଲି କୁହାଯାଇଛି। ଏଥିସହ ନିଲମ୍ବିତ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରାଯିବ। ଏହା ସହ ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରିବା ସହ ସାକ୍ଷ୍ୟଗ୍ରହଣ ଏବଂ ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ କୁହାଯାଇଛି । 


ଅପରପକ୍ଷରେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ସତ-ମିଛ ପରୀକ୍ଷା ପାଇଁ ୫ଜଣ ପୁଲିସ କର୍ମଚାରୀ ଗୁଜରାଟ ଯାଇଛନ୍ତି। ଗାନ୍ଧୀନଗରସ୍ଥିତ ଷ୍ଟେଟ ଫରେନସିକ୍ ଲାବରେଟୋରିରେ ଭରତପୁର ଥାନାର ପୂର୍ବତନ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ତିନିଜଣ ମହିଳା ପୁଲିସ କର୍ମଚାରୀଙ୍କ ସମେତ ଜଣେ ସ୍ବାଧୀନ ସାକ୍ଷୀଙ୍କର ଆଜି ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସତମିଛ ପରୀକ୍ଷା ଯାଞ୍ଚ ପାଇଁ ତଦନ୍ତକାରୀ ଅଫିସର ସ୍ବତନ୍ତ୍ର ପ୍ରଶ୍ନବଳୀ ପ୍ରସ୍ତୁତ କରିଛନ୍ତି। ପରୀକ୍ଷା ପୂର୍ବରୁ କେତେଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି। ପରୀକ୍ଷା ସରିବା ପରେ କ୍ରାଇମବ୍ରାଞ୍ଚ ଏ ସଂପର୍କିତ ତଥ୍ୟ ଭୁବନେଶ୍ଵର ଏସ୍‌ଡିଜେଏମ୍ କୋର୍ଟରେ ଦାଖଲ କରିବ।