ଭୁବନେଶ୍ବର, ଆସନ୍ତା ଜୁନ ମାସ ୭ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ହେବାକୁ ଯାଉଛି ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ। ଏହି ଉତ୍ସବରେ କେବଳ ଓଡ଼ିଶା ସିନେମା ପ୍ରଦର୍ଶିତ ହେବ। ଅନେକ କଳାତ୍ମକ ଚଳଚ୍ଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ଓ ପୁରସ୍କାର ପାଇଥିଲେ ବି ବିଭିନ୍ନ କାରଣରୁ ଓଡ଼ିଆ ଦର୍ଶକ ସେସବୁ ଚଳଚ୍ଚିତ୍ର ଦେଖିବାକୁ ହୁଏତ ସୁଯୋଗ ପାଇପାରି ନାହାନ୍ତି। ଆଜି ସ୍ଥିତି ଏପରି ଏକ ସଙ୍କଟଜନକ ଅବସ୍ଥାରେ ପହଞ୍ଚିଛି ଯେ ଓଡ଼ିଆ ଭାଷାରେ ବହୁ ସଂଖ୍ୟାରେ ଚଳଚ୍ଚିତ୍ର ନିର୍ମିତ ହେଉଥିଲେ ମଧ୍ୟ ମୁଖ୍ୟତଃ ପ୍ରଦର୍ଶନ ସୁବିଧା ଅଭାବରୁ ଓଡ଼ିଆ ସିନେମା ଶିଳ୍ପ କ୍ଷତି ସହିବାକୁ ବାଧ୍ୟ ହେଉଛି। ଏଭଳି ଏକ ସ୍ଥିତିରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକମାନଙ୍କ ଦୃଷ୍ଟି ପୁନଃଆକର୍ଷିତ କରିବା ପାଇଁ ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ଉତ୍ସବର ଆୟୋଜନ ଏକ ନୂଆ ପଦକ୍ଷେପ ନିଶ୍ଚୟ। ତେବେ ଏହାର ଉଦଘାଟନ ଉତ୍ସବରେ ହିନ୍ଦୀ ସିନେମାର ଲୋକପ୍ରିୟ ନିର୍ଦ୍ଦେଶକ କେତନ ମେହଟ୍ଟା, ଦୀପା ସାହି, ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର ଏବଂ ପ୍ରଶାନ୍ତ ନନ୍ଦ ପ୍ରମୁଖ ଯୋଗଦେବେ। 
 
ଏହି ଅବସରରେ ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବରେ ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ରାତି ୯ଟା ମଧ୍ୟରେ ବିଭିନ୍ନ କ୍ଲାସିକ୍ ତଥା ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ରର ପ୍ରଦର୍ଶନ କରାଯିବ। ତିନିଦିନ ମଧ୍ୟରେ ଦର୍ଶକମାନେ ସମୁଦାୟ ୧୫ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବେ। ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ' ମାୟା ମିରିଗ' ପରି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ରହିଥିଲା ବେଳେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ 'ଜୀଅନ୍ତା ଭୂତ', 'ହେଲୋ ଆରସି’ ଏବଂ 'ମଲା ଜହ୍ନ’ ପରି କାଳଜୟୀ ଓଡ଼ିଆ ସିନେମା ଗୁଡ଼ିକୁ ସାମିଲ କରାଯାଇଛି। ଏହା ଟିକେ ନିଆରା ଯେ ଏହି ତିନିଦିନିଆ ଉତ୍ସବରେ ପ୍ରମୁଖ କାର୍ଯ୍ୟକ୍ରମ ସହିତ କେବଳ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। 


COMMERCIAL BREAK
SCROLL TO CONTINUE READING

ଏହି ଉତ୍ସବର ଅନ୍ୟତମ ଆକର୍ଷଣ ହେଉଛି ଚଳଚ୍ଚିତ୍ର ଅଭିନୟ ଓ ଚିତ୍ରନାଟ୍ୟ ରଚନା ଭଳି ଦୁଇଟି ବିଷୟକୁ ନେଇ ଦୁଇଟି ମାଷ୍ଟରକ୍ଲାସ କରାଯିବ। ଏଥିପାଇଁ ଦୁଇଟିରେ ଯଥାକ୍ରମେ ବଲିଉଡ୍ ଖ୍ୟାତିସମ୍ପନ୍ନ ଚିଳଚ୍ଚିତ୍ର ନିର୍ମାତା ଓ କାଷ୍ଟିଙ୍ଗ ନିର୍ଦ୍ଦେଶକ ମୁକେଶ ଛାବରା ଏବଂ 'ଓଃ ମାଇଁ ଗଡ ୨’ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅମିତ ରାୟ ଯୋଗଦେଇ ଅଭିନୟ ଓ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଗ୍ରହ ରଖିଥିବା ଯୁବ ପ୍ରତିଭାମାନଙ୍କୁ ବିଶେଷ ତାଲିମ ଓ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି।


(Written By: Debabrata)