ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣାକୁ ନେଇ ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୪ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲ୍‌ର ଦ୍ଵିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ନେଇ ୟୁଜିସିର ଆଣ୍ଟିରାଗିଂ ସେଲ୍ ରେ ଅଭିଯୋଗ ହୋଇଥିଲା। ଗତ ୨୩ତାରିଖ ଦିନ କୁଳପତି ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶ କ୍ରମେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ଅଧକ୍ଷତାରେ ଶୃଙ୍ଖଳା କମିଟି ଏବଂ ଆଣ୍ଟିରାଗିଂ କମିଟିର ଦାୟିତ୍ବରେ ଥିବା ସଦସ୍ୟଙ୍କ ସହ ଆଲୋଚନା ହୋଇଥିଲା। ଘଟଣାର ତଦନ୍ତ କରିବା ପାଇଁ ଆଣ୍ଟିରାଗିଂ କମିଟିର ୧୨ଜଣିଆ ଦଳ ଏବଂ ସିକ୍ୟୁରିଟି ଅଫିସର ତଥା ଡିଏସ୍‌ପି ଦୀପ୍ତିକାନ୍ତ ପ୍ରଧାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ସିସି କ୍ୟାମେରା ଫୁଟେଜ୍‌କୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲେ। ଏହି ଘଟଣାରେ ତଦନ୍ତ ରିପୋର୍ଟ ଗତକାଲି କୁଳପତିଙ୍କୁ ପ୍ରଦାନ କରିଥିଲେ। ରିପୋର୍ଟକୁ ଆଧାର କରି ୪ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଏ ନେଇ କୁଳପତି ଗୀତାଞ୍ଜଳି ଦାଶଙ୍କ ସହ ଯୋଗାଯୋଗ କରିବାରେ ରିପୋର୍ଟ ଆଧାରରେ ତଦନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା କହିଛନ୍ତି। ଏହାର ୟୁଜିସିକୁ ପ୍ରଦାନ ରିପୋର୍ଟ କରାଯାଇଛି।