ପୁରୀ: ମୁମ୍ୱାଇରୁ ଫେରି ଆଜି ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୃନ୍ଦାବତୀ ହବିଷ୍ୟାଳି ଶିବିରରେ ପହଞ୍ଚିବା ପରେ ମହିଳାମାନଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କର ଯେପରି କୌଣସି ଅସୁବିଧା ନହୁଏ ଏବଂ କିପରି ସବୁ ସୁବିଧା ସେମାନଙ୍କୁ ମିଳିବ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।


COMMERCIAL BREAK
SCROLL TO CONTINUE READING

କାର୍ତ୍ତିକ ମାସର ପ୍ରଥମ ଦିନରେ ହବିଷ୍ୟାଳିମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ଏଥିସହ ହବିଷ୍ୟାଳିଙ୍କୁ ବ୍ରତ ସାମଗ୍ରୀ ଥିବା ସ୍ବତନ୍ତ୍ର କିଟ୍ ପ୍ରଦାନ କରିଥିଲେ । ଉକ୍ତ କିଟ୍ ରେ ମହିଳାମାନଙ୍କ ପାଇଁ ଶାଢୀ, ଚଦର, ଉତ୍ତରୀୟ, ରାଇଦାମୋଦର ବ୍ରତ ପୁସ୍ତିକା ଏବଂ ନିର୍ମାଲ୍ୟ ରହିଥିବା ଜଣାପଡିଛି । ଶ୍ରୀକ୍ଷେତ୍ରକୁ ଆସିଥିବା ସମସ୍ତ ହବିଷ୍ୟାଳିଙ୍କୁ ଏହି ଉପହାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଅନ୍ୟପଟେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଏବଂ ଉପହାର ପାଇ ମହିଳାମାନେ ଖୁସି ବ୍ୟକ୍ତ କରିଛନ୍ତି ।


ସୂଚନାଯୋଗ୍ୟ, କାର୍ତ୍ତିକ ମାସ ପ୍ରଥମ ଦିନ (ଅକ୍ଟୋବର ୧୮)ରେ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ ଦେଖିବାକୁ ମିଳିଥିଲା । କିନ୍ତୁ ହବିଷ୍ୟାଳି ଶିବିରରେ ଅବ୍ୟବସ୍ଥାକୁ ନେଇ ଆଜି ଅନେକ ମହିଳା ଗଣମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ଅନେକ ମହିଳା ରାତିରେ ଖୋଲା ଆକାଶ ତଳେ ରହିଥିଲେ ଏବଂ ଦିନରେ ଖରାରେ ସିଝୁଥିଲେ । ଏହି ସମ୍ପର୍କରେ ଖବର ପ୍ରସାରଣ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ଗସ୍ତରେ ଯାଇ ବୃନ୍ଦାବତୀ ଶିବିରରେ ପହଞ୍ଚି ମହିଳାଙ୍କ ସହ ଆଲୋଚନା କରିଥିଲେ । ହବିଷ୍ୟାଳିଙ୍କ ପାଇଁ ୨କୋଟି ୫୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଥିଲେ  ।


ହବିଷ୍ୟାଳିମାନେ ରହିବାକୁ ସ୍ଥାନ ଅଭାବ ଥିବା କାରଣରୁ ବୃନ୍ଦାବତୀ ନିବାସ ସାମ୍ନାରେ ଧାରଣାରେ ବସିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଦୂରଦୂରାନ୍ତରୁ ଆସିଥିବା ହବିଷ୍ୟାଳିଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଷ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ହବିଷ୍ୟାଳିଙ୍କ ଭଲ ମନ୍ଦ ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ସୁବିଧା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।


ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ବୃନ୍ଦାବତୀ ନିବାସରେ ରହିବା ପାଇଁ ପଞ୍ଜିକରଣ ବ୍ୟବସ୍ଥା କରାଯାଇଥିଲା । ପୂର୍ବରୁ ଯେଉଁମାନେ ପଞ୍ଜିକରଣ କରିଥିଲେ ସେମାନଙ୍କୁ ହବିଷ୍ୟାଳି କେନ୍ଦ୍ରରେ ରଖାଯାଇଥିଲା କିନ୍ତୁ କିଛି ମହିଳା ବିନା ପଞ୍ଜିକରଣରେ ଆସିବା କାରଣରୁ ସମସ୍ୟା ହୋଇଥିଲା । 


Also Read- Weekly Health Horoscope: ୨୧ରୁ ୨୭ ଅକ୍ଟୋବର, ଜାଣନ୍ତୁ କେମିତି ରହିବ ଆପଣଙ୍କ ସ୍ୱାସ୍ଥ୍ୟ


Also Read- BJP Candidates list: ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ