ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ଉପକୂଳ ଓଡ଼ିଶାର ୩ଟି ଜିଲା ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଝଡ଼ ଯୋଗୁଁ ଗଛ ଓ ବିଜୁଳି ଭିତ୍ତିଭୂମି ବ୍ୟାପକ ନଷ୍ଟ ହୋଇଛି। ବାଲେଶ୍ବର ଜିଲାର ଅଧା ଅଞ୍ଚଳ ଅନ୍ଧାରରେ ରହିଛି। ପଡୋଶୀ ଭଦ୍ରକ ଜିଲା ସହ ସଂଲଗ୍ନ ବାଲେଶ୍ବର ଜିଲାର ୬ଟି ବ୍ଲକ୍‌ରେ ବ୍ୟାପକ ବିଜୁଳି ଭିତ୍ତିଭୂମି ଉଜୁଡ଼ି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟା ୩୫ରୁ ପ୍ରାୟ ୨ ଘଣ୍ଟା ଧରି ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ବିଭୀଷିକା ଓ କ୍ଷୟକ୍ଷତିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାପରେ ଅପରାହ୍ନରେ ଲୋକସେବା ଭବନରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ନେଇ ସୂଚନା ରହିଛି।


COMMERCIAL BREAK
SCROLL TO CONTINUE READING

ବାଲେଶ୍ବର ଜିଲାର ସୋର, ସିମୁଳିଆ, ବାହାନଗା, ଔପଦା, ଖଇରା ଓ ନୀଳଗିରି ବ୍ଲକ ଅଞ୍ଚଳରେ ବାତ୍ୟା ସର୍ବାଧିକ କ୍ଷତି ଘଟାଇଛି। ସୋର ବ୍ଲକ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ବିଦ୍ୟୁତ ବିଭାଗର ସୂଚନା ଅନୁସାରେ, ବାତ୍ୟା ଯୋଗୁଁ ଗଛ ଉପୁଡ଼ି ପଡ଼ିଛି। ଉପରୋକ୍ତ ବିଭିନ୍ନ ବ୍ଲକରେ ବିଦ୍ୟୁତ ସରବରାହ ସ୍ବାଭାବିକ ହେବାକୁ ୨୪ ଘଣ୍ଟାରୁ ଏକ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ। ତିନିଟି ଜିଲାରେ ଶହ ଶହ କଚ୍ଚାଘର ଭାଙ୍ଗିଛି। ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କୃଷିକ୍ଷେତ୍ର। ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଲକ୍ଷାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ଏହାବ୍ୟତୀତ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। 


ଅନ୍ୟପଟେ ପୂର୍ବରୁ ମୁଖ୍ୟମନ୍ତ୍ରୀ ବାତ୍ୟା ସମୀକ୍ଷା କରି କହିଥିଲେ ଯେ, ବାତ୍ୟା ଓ ବର୍ଷା ଯୋଗୁ ୧ ଲକ୍ଷ ୭୫ ହଜାର ଫସଲ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି । ରିପୋର୍ଟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ଘର ଭଙ୍ଗା ସହାୟତା ନେଇ ବି ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ । ୭ ଦିନ ଭିତରେ ବାତ୍ୟା କ୍ଷୟକ୍ଷତି ଆକଳନ କରି ଖୁବଶୀଘ୍ର କ୍ଷୟକ୍ଷତି ସହାୟତା ରାଶି ଦିଆଯିବ। ଶୁକ୍ରବାର ବର୍ଷା, ପବନ ଓ ଅନ୍ଧାର ବିଦ୍ୟୁତ ମରାମତି କାର୍ଯ୍ୟରେ ବାଧା ହୋଇଥିଲା । ଶନିବାର ଅପରାହ୍ନ ସୁଦ୍ଧା ଶତ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ ।