ଭୁବନେଶ୍ୱର: ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଅଧିକାରୀମାନେ ‘ଟିମ୍‍ ୱାର୍କ’ କରିବାକୁ କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ଲୋକସଭା ଭବନର କନଭେନସନ ହଲରେ ସହରାଞ୍ଚଳ ପ୍ରଶାସନର ପ୍ରାଥମିକତା ନେଇ ପୌର ଅଧିକାରୀମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡାକ୍ତର ମହାପାତ୍ର ଏହା କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ମନ୍ତ୍ରୀ ପୌରସଂସ୍ଥାରେ ବ୍ୟାପକ ପରିମାଣରେ ବୃକ୍ଷ ରୋପଣ କରିବା ସହିତ ସ୍ୱଚ୍ଛ ଭାରତ ଅଭିଯାନର ଆଭିମୁଖ୍ୟ ଅନୁଯାୟୀ ରାସ୍ତାଘାଟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ସହରାଞ୍ଚଳ ବିଶେଷକରି ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟଗୁଡିକ ଜଳଉତ୍ସକୁ ଦୂଷିତ କରୁଥିବାରୁ ଏ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ କହିଛନ୍ତି । ବିଭାଗୀୟ ଅଧିକାରୀମାନେ ଦପ୍ତରରେ ବସି ନରହି କ୍ଷେତ୍ର ଗସ୍ତରେ ଯିବାକୁ ମନ୍ତ୍ରୀ ପରାମର୍ଶ ଦେବା ସହିତ ଦିନ ଅତି କମ୍‍ରେ ତିନି ଚାରି ଘଣ୍ଟା ୱାର୍ଡ ପରିଦର୍ଶନ ପାଇଁ କହିଛନ୍ତି । ସହରାଞ୍ଚଳର ଟ୍ରାଫିକ ବ୍ୟବସ୍ଥା ଉପରେ ମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଲୋକେ ଅଳ୍ପ ସମୟ ମଧ୍ୟରେ ଯେଭଳି ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି । ଏଥି ସହିତ ସହରାଞ୍ଚଳରେ ଆଇନ୍‍ଶୃଙ୍ଖଳା ପାଇଁ ଅଧିକରୁ ଅଧିକ ସିସିଟିଭି ଲଗାଇବା ଉପରେ ମତ ଦେଇଛନ୍ତି ।


ସହରାଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ରକ୍ଷଣା ବେକ୍ଷଣ ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଓ ଠିକାଦାରମାନେ କରିବା ଉପରେ ମନ୍ତ୍ରୀ ଜୋର ଦେଇଛନ୍ତି । ଏମାନେ ଅତି କମ୍‍ରେ ତିନି ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ କରିବେ । ଯଦି ଏଥିରେ କେହି ଖିଲାପ ପରେ ତେବେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯିବ ବୋଲି ମନ୍ତ୍ରୀ ଚେତାଇ ଦେଇଛନ୍ତି । ଭୁବନେଶ୍ୱରେ ଆରମ୍ଭ ହୋଇଥିବା ମେଟ୍ରୋ ରେଳ ଯୋଜନା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିବା ସହିତ ସହରାଞ୍ଚଳର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଟକ-ଭୁବନେଶ୍ୱର-ପୁରୀକୁ ସଂଯୋଗ କରି ‘ଟ୍ରିପିଲ ସିଟି’ ଗଠନ ଉପରେ ଜୋର ଦେଇଛନ୍ତି । 


ବିଭାଗ ଦାୟିତ୍ୱରେ ଥିବା ଅତରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥିଭାଥନନ ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟରେ ସହରାଞ୍ଚଳ ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ନୂତନ ସରକାରଙ୍କ ପାଇଁ ସହରୀ ବିକାଶ ନିମନ୍ତେ ଯେଉଁ କାର୍ଯ୍ୟକ୍ରମ ସ୍ଥିର କରିବେ ସେଥିପାଇଁ ‘ଟିମ୍‍ ଅର୍ବାନ’ ପ୍ରସ୍ତୁତ ଥିବା ସେ କହିଥିଲେ । ସହରାଞ୍ଚଳଗୁଡିକୁ ଉତ୍ତମ ବସବାସର ଉପଯୋଗୀ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ବର୍ଜ୍ୟ ମୁକ୍ତ କରାଯିବ । ୨୦୧୯ ମସିହାରେ ସ୍ୱଚ୍ଛଭାରତ ସର୍ବେକ୍ଷଣରେ ଓଡିଶା ଦେଶର ୩୦ତମ ସ୍ଥାନରେ ଥିବାବେଳେ ୨୦୨୩ରେ ଏହା ଦେଶର ଅଗ୍ରଣୀ ୪ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିଲା । ୨୦୨୪ ମସିହାରେ ଜାତୀୟ ସ୍ତରରେ ଏକ ନମ୍ବରରେ ରହିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରି କାର୍ଯ୍ୟ କରାଯାଉଛି । ଏ କ୍ଷେତ୍ରରେ କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ସମସ୍ତ ୧୧୫ ଟି ପୌରାଞ୍ଚଳକୁ ଗୁରୁତ୍ୱ ଦିଆଯାଇଛି । କୌଣସି ସହରରେ ନୂଆ ବର୍ଜ୍ୟ ଜମା କରିବାକୁ ଅନୁମତି ମିଳିବ ନାହିଁ । ପ୍ରତ୍ୟେକ ସହର ବର୍ଜ୍ୟମୁକ୍ତ ହେବାପାଇଁ ଉଦ୍ୟମ କରାଯିବ । ବର୍ଷାଋତୁରେ ଡ୍ରେନରେ ଦୁର୍ଘଟଣା ପ୍ରତି ସତର୍କ ରହିବାକୁ କୁହାଯାଇଛି । ଯେଉଁଠାରେ ସ୍ଲାବ ପକାଯାଇ ପାରୁନାହିଁ ସେ ସବୁ ସ୍ଥାନରେ ବାଡ ବୁଲାଇବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ବିଭାଗ ତରଫରୁ ପ୍ରତ୍ୟେକ ପୌର ସଂସ୍ଥାକୁ ମାର୍ଗଦର୍ଶିକା ପଠାଯାଇଛି । ଯଦି କୌଣସି ସ୍ଥାନରେ ଦୁର୍ଘଟଣା ଘଟେ ତେବେ ସେହି ସ୍ଥାନ ଦାୟିତ୍ୱରେ ଥିବା ଯନ୍ତ୍ରୀମାନଙ୍କୁ ଦାୟୀ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି । 


ଏହି ପ୍ରଶିକ୍ଷଣ କର୍ମଶାଳାରେ ବିଏମ୍‍ସି କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ, ସୁଡାର ନିର୍ଦ୍ଦେଶକ ତଥା ଅତରିକ୍ତ ଶାସନ ସଚିବ ସାରଦା ପ୍ରସାଦ ପଣ୍ଡା, ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ, ଦେବାଶିଷ ସିଂହ, ସୌରେନ୍ଦ୍ର ରାଉତରାୟ, ସୁଶାନ୍ତ କୁମାର ମିଶ୍ର, ଶ୍ରୀମତୀ ଶିଖା ବିଶ୍ୱାଳ, ଶୁଭେନ୍ଦୁ କାନୁନ୍‍ଗୋ ଏବଂ ସଞ୍ଜୟ ପରମାଣିକ ପ୍ରମୁଖ ବରିଷ୍ଠ ପଦାଧିକାରୀମାନେ କର୍ମଶାଳାରେ ସେମାନେ ଦାୟିତ୍ୱରେ ଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅତିରିକ୍ତ ଶାସନ ସଚିବ ଶ୍ରୀ ପଣ୍ଡା ୨୦୧୩ ମସିହାରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଦୀନ୍‍ ଦୟାଲ ଜାତୀୟ ଜୀବିକା ମିଶନ ଅଧିନରେ ମୁକ୍ତା, ଏନୟୁଏଲଏମ୍‍, ଷ୍ଟ୍ରିଟ୍‍ ଲାଇଟ୍‍, ପିଏମଏସ୍‍ଭିଏ ନିଧି ଏବଂ ଆହାର ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିବାବେଳେ ଅନ୍ୟମାନେ ସେମାନଙ୍କ ସମ୍ପର୍କିତ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ ।


Also Read- ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ


Also Read- ସହରରେ ଯୋଡି ହେବ ଆଉ ୭୧ଟି ଗାଁ, BJP ସରକାରଙ୍କ ଅନୁମତି