Tales From the Land of Jagannatha Devdutt Pattanaik: ଭାରତ ବର୍ଷର ସବୁ ରାଜ୍ୟରେ ପ୍ରସିଦ୍ଧ ଠାକୁରଙ୍କ ମନ୍ଦିର ରହିଛି। ହେଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ନିଜର ଆରାଧ୍ୟ ଦେବତାଙ୍କ ଦ୍ବାରା ପରିଚିତି ପାଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ରାଷ୍ଟ୍ରଦେବତା। ଜଗନ୍ନାଥ ଦେଶ କହିଲେ ସାରା ଓଡ଼ିଶାକୁ ବୁଝାଏ। ଏପରି ଦୃଷ୍ଟାନ୍ତ ଅନ୍ୟତ୍ର ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରମର୍ଶଦାତା ତଥା ପ୍ରସିଦ୍ଧ ଲେଖକ ଏବଂ ଗବେଷକ ଆର୍‌.ବାଲାକ୍ରୀଷ୍ଣନ୍।


COMMERCIAL BREAK
SCROLL TO CONTINUE READING

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ତଥା ପୁରାଣବିତ ଦେବଦତ୍ତ ପଟ୍ଟନାୟକଙ୍କ (Writer and Mythologist Devdutt Pattanaik) ସଦ୍ୟତମ ପୁସ୍ତକ ''ଟେଲ୍‌ସ ଫ୍ରମ୍‌ ଦ ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ'' (Tales From the Land of Jagannatha ) ଏବଂ ଏହାର ଓଡ଼ିଆ ଅନୁବାଦ ''ଜଗନ୍ନାଥ ଦେଶର କଥା'' ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ଲେଖକ ଏବଂ ଗବେଷକ ଆର୍‌.ବାଲାକ୍ରୀଷ୍ଣନ୍ କହିଛନ୍ତି ଯେ ସମସ୍ତ ମନ୍ଦିରରେ ଥରେ ପ୍ରତିଷ୍ଠା ପାଇବା ପରେ ଦେବ ବିଗ୍ରହଙ୍କର ନିର୍ମାତା-ମହାରଣାଙ୍କ ସହ ସମ୍ପର୍କ ସରିଯାଏ। ହେଲେ ଜଗନ୍ନାଥ ଏକମାତ୍ର ବିଗ୍ରହ ଯିଏ ନିତ୍ୟ ସଞ୍ଚରଣଶୀଳ। ତାଙ୍କୁ ବାରମ୍ବାର ଗଢ଼ାଯାଏ ଏବଂ ସେ ବାରମ୍ବାର ଯାତ୍ରା କରନ୍ତି। ଏହା ଦ୍ବାରା ସବୁ ଗୋଷ୍ଠୀ ସହ ସେ ନିରନ୍ତର ସମ୍ପର୍କରେ ରହିଥାନ୍ତି। ସଂସ୍କୃତିକୁ ଦୁଇଟି ଦୃଷ୍ଟିକୋଣରୁ ଦେଖିହୁଏ। ଗୋଟିଏ ଭିତରେ ରହି ଏବଂ ଗୋଟିଏ ବାହାରୁ ରହି ଦେଖିହୁଏ। ସେ ଦୃଷ୍ଟିରୁ ମୁଁ ଏବଂ ଦେବଦତ୍ତ ପଟ୍ଟନାୟକ ଗୋଟିଏ ଗୋଷ୍ଠୀର ଲୋକ। ଆମେ ଉଭୟେ ନିଜନିଜ ଜନ୍ମଭୂମି ଠାରୁ ଦୂରରେ ରହି ନିଜ ସଂସ୍କୃତିକୁ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛୁ ଏବଂ ଅଧିକ ଜିଜ୍ଞାସୁ ହୋଇଛୁ।


ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅକ୍ଟୋବର ୧ ତାରିଖ ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ଉତ୍ସବରେ ଯୋଗ ଦେଇ ଲେଖକ ଦେବଦତ୍ତ ପଟ୍ଟନାୟକ କହିଥିଲେ ଯେ ମୁଁ ଓଡ଼ିଶା ବାହାରେ ଜନ୍ମହୋଇଛି ଏବଂ ବଢ଼ିଛି। ହେଲେ ସବୁବେଳେ ଆମ ଓଡ଼ିଆ ପରିଚୟର ଭିତ୍ତି ଥିଲେ ଜଗନ୍ନାଥ। ସେ ନିଜ ବକ୍ତବ୍ୟରେ ପୁଣି କହିଲେ ଯେ ବିଜ୍ଞାନ ହେଉଛି ବାହ୍ୟଜ୍ଞାନ। ଯାହା ମାପ ଉପରେ ଆଧାରିତ ଏବଂ ପ୍ରମାଣ କୈନ୍ଦ୍ରୀକ। ହେଲେ ପୁରାଣ ଶାସ୍ତ୍ର ଭାବ କୈନ୍ଦ୍ରୀକ। ରସଗୋଲାରେ କେତେ କ୍ୟାଲୋରି ତାହା ବିଜ୍ଞାନ ମାପ କରିପାରେ। ରସଗୋଲା ସ୍ୱାଦକୁ କେବଳ ଅନୁଭବ କରିହୁଏ। ସ୍ବାଦ ବିଜ୍ଞାନର ପରିଧି ବାହାରେ। ତାହା ହିଁ ପୁରାଣଶାସ୍ତ୍ର ଏବଂ ବିଜ୍ଞାନ ମଧ୍ୟରେ ପ୍ରଭେଦ। 


ରାମାୟଣର ଶବରୀ ଉପାଖ୍ୟାନ ବିଶ୍ବକୁ ଓଡ଼ିଶାର ଅବଦାନ। ସର୍ବପ୍ରଥମେ ଦାଣ୍ଡି ରାମାୟଣରେ ମହାପୁରୁଷ ବଳରାମ ଦାସ ଶବରୀ ଅଇଁଠା କଥା ଲେଖିଥିଲେ। ଆମେ ନିଜ ପରିବାର ଲୋକଙ୍କ କେବଳ ଅଇଁଠା ଖାଉ। ରାମଚନ୍ଦ୍ର ଶବରୀ ଅଇଁଠା ଆମ୍ବ ଖାଇ ସଭିଏଁ ତାଙ୍କର ପରିବାର ଲୋକ ବୋଲି ପ୍ରମାଣ ଦେଇଛନ୍ତି। ପରେ ଓଡ଼ିଆ ରାମାୟଣ ଅନୁସରଣରେ ଅନ୍ୟ ରାମାୟଣରେ ଶବରୀ ଅଇଁଠା କୋଳି ଖାଇବା ପ୍ରସଙ୍ଗ ଆସିଛି। ସେହିପରି ସନ୍ଥ ପଦ୍ମସମ୍ଭବ ଓଡ଼ିଶାରୁ ତିବ୍ବତ ଯାଇ ବୌଦ୍ଧଧର୍ମର ପ୍ରଚାର କରିଥିଲେ କହିଥିଲେ ଲେଖକ ଦେବଦତ୍ତ ପଟ୍ଟନାୟକ।


ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ପୁରୀକୁ ତୀର୍ଥଯାତ୍ରା ନେଇ ନିଜ ଗବେଷଣା ଉପରେ ଆଲୋକପାତ କରିଥିଲେ। ଲେଖକ ଦେବଦତ୍ତ ପଟ୍ଟନାୟକଙ୍କ ''ଟେଲ୍‌ସ ଫ୍ରମ୍‌ ଦ ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ'' ବହିର ଓଡ଼ିଆ ଅନୁବାଦକ ତପନ କୁମାର ପଣ୍ଡା କହିଲେ ଯେ ଉଭୟ ଓଡ଼ିଆ ଏବଂ ଅଣ ଓଡ଼ିଆ ଲୋକଙ୍କ ପାଇଁ ଦେବଦତ୍ତ ପଟ୍ଟନାୟକଙ୍କ ଏହି ବହି ଏକ ଗୁରୁତ୍ବପୂର୍ଣ ଅବଦାନ। ଏହାର ଅନୁବାଦ ପାଇଁ ସେ ଆଗ୍ରହୀ ହେଲେ ବୋଲି କହିଥିଲେ।


କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବ ପରେ ଦେବଦତ୍ତ ପଟ୍ଟନାୟକ ଏବଂ ଆର.ବାଲାକ୍ରୀଷ୍ଣନ୍‌ ଜଗନ୍ନାଥ ପରମ୍ପରା ଉପରେ ଦୀର୍ଘ ଆଲୋଚନା କରିଥିଲେ। ଏହି ଅବସରରେ ଦେବଦତ୍ତ ପଟ୍ଟନାୟକଙ୍କ ପାଠକ ତଥା ପ୍ରଶଂସକ ତାଙ୍କ ବହିରେ ସନ୍ତକ ନେବା ପାଇଁ ଏବଂ  ତାଙ୍କ ସହ ଫଟୋ ଉଠାଇବା ପାଇଁ ଭିଡ଼ ଲଗାଇଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ। ଉତ୍ସବରେ ବହୁ ସଂଖ୍ୟାରେ ଲେଖକ, ପ୍ରଶାସକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।