Srimandir: ପୁରୀ ଶ୍ରୀମନ୍ଦିରରେ ପୁଣି ଦର୍ଶନ ବ୍ଯବସ୍ଥାକୁ ନେଇ ବିକଳ ଚିତ୍ର। ଲୁହା ବେରିକେଡ୍ ମଧ୍ୟରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଭକ୍ତ ଦର୍ଶନାର୍ଥି। ଏମାନଙ୍କ ମଧ୍ୟରେ ବହୁ ବରିଷ୍ଠ ନାଗରିକ ମଧ୍ୟ ବେରିକେଡରେ ଗହଳି ମଧ୍ୟରେ ରହି ଅଣନିଶ୍ୱସୀ ହୋଇପଡୁଥିବା ଜଣାପଡିଛି। ପିଇବା ପାଇଁ ମାଗିଲେ ୩୦ଟଙ୍କିଆ ପାଣି ବଢାଇ ଦେଉଛନ୍ତି। ବେରିକେଡରେ ବିସ୍କୁଟ ଆଦି ଖାଦ୍ୟ ଦ୍ରବ୍ଯ ବଜାର ଦର ଅପେକ୍ଷା ଦ୍ୱିଗୁଣ ନିଆଯାଉଛି। ତେବେ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ୭୦ ବର୍ଷୀୟା


COMMERCIAL BREAK
SCROLL TO CONTINUE READING

ମହିଳା ହାରାମଣି ବେରିକେଡ୍ ମଧ୍ୟରେ ଫସିଯାଇଥିଲେ। ଯେତେ ନେହୁରା ହେଲେ ମଧ୍ୟ ବେରିକେଡରୁ ବାହର କରିନଥିଲେ ପୁଲିସ। ଏମିତିକି ତାଙ୍କ ପାଖକୁ କେହି ଯାଇନଥିଲେ କି ସହାୟତା ବି କରିନଥିଲେ। ଗଣମାଧ୍ୟମର ହସ୍ତକ୍ଷେପ ପରେ ପୁଲିସର ଚେତା ପସିଲା। ଲୁହାବେରିକେଡ ହଟାଇ ଉଦ୍ଧାର କଲେ ମହିଳା ଭକ୍ତଙ୍କୁ। ପାଣି ପିଆଇଲେ। ବସାଇଲେ। ତାପରେ ହାରାମଣିଙ୍କୁ ଜଗା ଦର୍ଶନ କରାଇଲେ। ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ସେ ଖୁସିଥିଲେ । ମାତ୍ର ଆଉ ଜଗାକୁ ଦେଖିବା ପାଇଁ ଆସିବେ ନାହିଁ ବୋଲି ଅଭିମାନ ଭରା କଣ୍ଠରେ କହିଲେ। ଏତେ ଭିଡକୁ ଆସିବେ ନାହିଁ କି ଦର୍ଶନ କରିବେ ନାହିଁ।


ବେରିକେଡରେ କିଭଳି କଷ୍ଟ ପାଇଲେ ତାହା ବର୍ଣ୍ଣନା କରିଥିଲେ ହାରାମଣି। କେବଳ ହାରାମଣି କାହିଁକି ଅତ୍ଯଧିକ ଭିଡ ଯୋଗୁଁ ଅନେକ ଭକ୍ତ ଓ ଦର୍ଶନାର୍ଥି ଆଜି ଆହତ ହୋଇଥିବା ନଜରକୁ ଆସିଛି। ଛୋଟ ପିଲାଟିଏ ମଧ୍ୟ ଆଜି ଆହତ ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ତେବେ ଆଜି ବଡଠାକୁରଙ୍କର ହରିହର ବେଶ ଓ ମହାପ୍ରଭୁଙ୍କ ରାଧାଦାମୋଦର ବେଶ। ଏଣୁ ଭୋରୁ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା।


ଅଧିକ ନିତି ଯୋଗୁଁ ଦର୍ଶନ ବିଳମ୍ବ ହେବା କାରଣରୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିଲା। ଫଳରେ ସିଂହଦ୍ଵାର ସମ୍ମୁଖ ବେରିକେଡରେ ହଜାର ହଜାର ଭକ୍ତ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥିଲେ। ଏଥିରେ ବହୁ ସଂଖ୍ୟକ ବରିଷ୍ଠ ନାଗରିକ, ହବିଷ୍ଯାଳୀ ଆଦି ରହିଯାଇଥିଲେ। ଛୋଟଛୋଟ ପିଲାଙ୍କୁ ମାଆମାନେ କାଖରେ ଧରି ଅପେକ୍ଷା କରିଥିଲେ। ଫଳରେ ଅନେକ ସମସ୍ଯା ସୃଷ୍ଟି ହୋଇଥିଲା।


Also read: Srimandir: ସମ୍ପୂର୍ଣ୍ଣ ଉତ୍କଳୀୟ ଭାସ୍କର୍ଯ୍ୟ କଳାରେ ନିର୍ମିତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଜାଣନ୍ତୁ ଏହାର ସ୍ୱତନ୍ତ୍ରତା