Odisha News: (ପ୍ରେମାନନ୍ଦ ପୂଜାରୀ) ସାପ କାମୁଡାରେ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଅଙ୍ଗନବାଡ଼ି କର୍ମୀ ମେଡିକାଲ ନ ନେଇ ଝାଡଫୁଙ୍କ କରିବା ବେଳେ ମୃତ୍ୟୁ ଘଟିଛି ।‌ ଆଧୁନିକତା ର ସଭ୍ୟ ସମାଜରେ ଆଜିବି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ଲୋକେ ଅନ୍ଧବିଶ୍ୱାସ ର କୁସଂସ୍କାର ବସବର୍ତ୍ତି ହୋଇ ରହିଛନ୍ତି। ଯାହାଫଳରେ ସାମାନ୍ୟ ସଚେତନତା ଅଭାବରୁ ଅକାଳରେ ଚାଲିଯାଉଛି ନିରିହ ପ୍ରାଣର ଜୀବନ । ତେବେ ଚିକିତ୍ସା ପଦ୍ଧତିକୁ ଭରଷା ନକରି ଗୁଣିଗାରେଡି ଓ ଝାଡଫୁଙ୍କର ସାହାରା ନେବାକୁ ଯାଇ ଏଥର ଜଣେ ସମାଜରେ ସ୍ବାସ୍ଥ୍ୟ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧତା ପ୍ରତି ସର୍ବଦା ସଚେତନତା କରିଆସୁଥିବା ଜଣେ ଅଙ୍ଗନବାଡି କର୍ମୀଙ୍କ ଜୀବନ ଅକାଳରେ ଚାଲିଯାଇଛି। 


COMMERCIAL BREAK
SCROLL TO CONTINUE READING

ମୃତ ଅଙ୍ଗନବାଡ଼ି କର୍ମୀ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅର୍ନ୍ତଗତ ଦମାଦୁଆ ଗ୍ରାମପଞ୍ଚାୟତ ଘୋଡାପଙ୍କା ଗ୍ରାମର ସରସ୍ୱତୀ ମଲ୍ଲିକ। ମିଳିଥିବା ସୂଚନା ଅନୁଯାୟୀ ଅଡବା ଥାନା ଉପାନ୍ତ ଗ୍ରାମାଞ୍ଚଳ ଘୋଡାପଙ୍କା ଗ୍ରାମରେ ସରସ୍ଵତୀ ମଲ୍ଲିକ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟରତ ଥିଲେ।‌ ଗତକାଲି ମଧ୍ୟରାତ୍ରିରେ ନିଜ ଘରେ ସରସ୍ଵତୀ ପରିବାର ସହ ଶୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ ଦୁର୍ଭାଗ୍ୟ ବଶତଃ କାମୁଡି ଦେଇଥିଲା। ସରସ୍ଵତୀଙ୍କୁ ସାପ କାମୁଡିବା ପରେ ନିଦରୁ ଉଠି ଚିତ୍କାର‌ କରିବା ପରେ ପାଖରେ ଥିବା ସ୍ବାମୀ ବିପିନ କୁମାର ପାଟମାଝୀ ଗୁରୁତର ଭାବେ ଝଟପଟ ହେଉଥିବା ସ୍ତ୍ରୀ ସରସ୍ବତୀଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ନ ନେଇ ଗ୍ରାମ ଠାରୁ ଅନେକ ଦୁରରେ ଅବସ୍ଥିତ ରାଣ୍ଡିପଙ୍କା ଗ୍ରାମକୁ ନେଇଥିଲେ ଏବଂ ସେଠାରେ ସରସ୍ଵତୀଙ୍କୁ ଝାଡଫୁଙ୍କ କରିଥିଲେ।‌ ହେଲେ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଭଲ ହେବା ବଦଳରେ ଅଧିକ ଗୁରୁତର ହୋଇପଡିଥିଲେ । ଏହାପରେ ମଧ୍ୟ ଆଜି ପରିବାର ଲୋକେ ଗୁଣିଗାରେଡ଼ି ଉପଚାର କରୁଥିବା ଅନ୍ୟ ଏକ ଲୋକ ପାଖକୁ ଯାଉଥିବା ବେଳେ ରାସ୍ତାରେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ଘଟିଥିଲା।‌ 


ଅନ୍ୟ ପକ୍ଷରେ ଘଟଣା ସମ୍ପର୍କରେ ଅଡବା ଥାନାକୁ ପୋଲିସକୁ ପଚାରିବାରେ ଘଟଣା ନେଇ ପରିବାର ପକ୍ଷରୁ କିମ୍ବା ଗ୍ରାମବାସୀ ପକ୍ଷରୁ କୈାଣସି ସୂଚନା ମିଳିନଥିବା କୁହାଯାଇଛି। ସାପ କାମୁଡ଼ାରେ ମୃତ୍ୟୁ ବ୍ୟକ୍ତିଙ୍କୁ ସରକାରୀ ଅନୁକମ୍ପା ମୂଳକ ସହାୟତା ରାଶି ଦିଆଯିବା ପ୍ରାବିଧାନ ରହିଛି। ହେଲେ ସଚେତନତା ଅଭାବରୁ ଏଭଳି ଅଭାବନୀୟ ଘଟଣା ଘଟୁଥିଲେ ମଧ୍ୟ ଲୋକଲୋଚନକୁ ଆସିବାରୁ ନାହିଁ। ଏନେଇ ମୃତକଙ୍କ ପରିବାର ଲୋକଙ୍କ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଗୁରୁତର ସହ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହୋଇଛି । ନଚେତ୍ ଆଗାମୀ ଦିନରେ ଅନେକ ଘଟଣା ଘଟିବାର ଆଶଙ୍କା ରହିଛି।