ଭୁବନେଶ୍ଵର: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ଆଧାରରେ ନିଯୁକ୍ତି ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା‌ ଆଚାର୍ଯ୍ୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌. ନାଗରାଜୁ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ହାତରେ ଆଉ ମାତ୍ର ଦେଢ଼ ମାସ ସମୟ ରହିଥିବା ବେଳେ କୁଳାଧିପତିଙ୍କ କାର୍ଯ୍ୟାଳୟ ତଥା ରାଜଭବନ ପକ୍ଷରୁ ନୂତନ କୁଳପତି ଚୟନ ପ୍ରକ୍ରିୟା ହୋଇନାହିଁ। ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏ ନେଇ ନିରବ। କାର୍ଯ୍ୟକାଳ ଶେଷ ହେବା ପରେ ସେହି ତିନି ବିଶ୍ୱବିଦ୍ୟାଳୟର କୁଳପତି କିଏ ହେବେ? ରାଜ୍ୟପାଳ ବର୍ତ୍ତମାନର କୁଳପତିଙ୍କ କାର୍ଯ୍ୟକାଳ ବଢ଼ାଇବେ ନା ଆଉ କାହାକୁ ଭାରପ୍ରାପ୍ତ ଦାୟିତ୍ବ‌ରେ ରଖିବେ, ତାକୁ ନେଇ ସରଗରମ ଆଲୋଚନା ଚାଲିଛି। 


COMMERCIAL BREAK
SCROLL TO CONTINUE READING

ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧିନିୟମକୁ ବିଚାରକୁ ନିଆଯାଏ, ତେବେ ଅଧ୍ୟାଦେଶର ୬(ଏଫ୍‌)-୨ ଅନୁଯାୟୀ ପଡ଼ୋଶୀ ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବରେ ରହିବେ। ନୂତନ କୁଳପତି କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ରହିପାରିବେ। ଯାହାକି ଏବେ ରାଜ୍ୟର ତିନିଟି ବିଶ୍ବବିଦ୍ୟାଳୟରେ ଜାରି ରହିଛି। ୨୦୨୧ରେ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ଦାୟିତ୍ବରେ ରହିଥିଲେ। ସେହି ଅନୁଯାୟୀ ଉତ୍କଳ, ରମା‌ଦେବୀ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଦା‌ୟିତ୍ବରେ ନିକଟସ୍ଥ ବିଶ୍ବବିଦ୍ୟାଳୟର କୁଳପତି ରହିବେ। ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧିନିୟମ ବଳରେ କୁଳପତି ଚୟନ ପ୍ରକ୍ରିୟା ହେଉଥିବାରୁ ବର୍ତ୍ତମାନର କୁଳପତିଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରିବା କିମ୍ବା ଜିଲ୍ଲାପାଳ, ଆରଡିସିଙ୍କୁ ଦାୟିତ୍ବ ଦେବା ଆଇନର ଉଲ୍ଲଂଘନ ହେବ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।


ସେପଟେ ନିୟମ ଅନୁଯାୟୀ କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବାର ତିନି ମାସ ପୂର୍ବରୁ ପ୍ରକ୍ରିୟା ହେବା କଥା। ମାତ୍ର ଏବେ ସୁଦ୍ଧା ସେଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଆବେଦନ କରିବାକୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇନାହିଁ। ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ମାର୍ଚ୍ଚ ମାସରେ ଏମ୍‌ଏସ୍‌ସିବି ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ଚୟନ ନେଇ ଆବେଦନ ପ୍ରକ୍ରିୟା ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରର ଯୋଗ୍ୟ ପ୍ରଫେସରମାନେ ଆବେଦନ କରିଥିଲେ ମଧ୍ୟ ତାହା ନାଲି ଫିତା ତଳେ ରହିଯାଇଛି।


୫ଟି ବିଶ୍ବବିଦ୍ୟାଳୟର ସ୍ଥାୟୀ କୁଳପତି ନାହାନ୍ତି। ଆଉ ୩ଟି ବିଶ୍ବବିଦ୍ୟାଳୟ ମୁରବି ଶୂନ୍ୟ ହେଲେ ସଂଖ୍ୟା ୮ରେ ପହଞ୍ଚିବ। ଅର୍ଥାତ୍‌ ରାଜ୍ୟର ଅଧା ସରକାରୀ ବିଶ୍ବବିଦ୍ୟାଳୟ ବିନା ମୁରବିରେ ଚାଲିବ। ଦେଢ଼ବର୍ଷ ହେଲା ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ (ଏମ୍‌ଏସ୍‌ସିବି)ରେ କୁଳପତି ନାହାନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏବେ ଏମ୍‌ଏସ୍‌ସିବିର ଭାରପ୍ରାପ୍ତ ଦାୟିତ୍ବରେ ରହିଛନ୍ତି। ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ଏବେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଦାୟିତ୍ବ ସମ୍ଭାଳୁଛନ୍ତି। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳପତି ନ ଥିବାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏଠାରେ ଭାରପ୍ରାପ୍ତ ଦାୟିତ୍ବରେ ରହିଛନ୍ତି। କଥା ଏତିକିରେ ସରିନି।