ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସେମି ଫାଇନାଲ୍‍ ଭାବେ ପରିଚିତ ଏବର୍ଷର ଶେଷ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ୫ରୁ ୪ଟି ରାଜ୍ୟ ନିର୍ବାଚନ ଫଳାଫଳରୁ ଯାହା ସଙ୍କେତ ମିଳୁଛି ତାହାକୁ ରାଜ୍ୟ ଓ କେନ୍ଦ୍ରୀୟ ରାଜନୀତିକ ପଟ୍ଟଭୂମିରେ ଆଲୋଚନା କରାଯାଇପାରେ। ବାସ୍ତବରେ ଏ ନିର୍ବାଚନ ଆମକୁ କ’ଣ ଶିଖାଇଲା? ଏ ନିର୍ବାଚନ ଫଳାଫଳ ଆଗକୁ କି ସମୀକରଣ ସୃଷ୍ଟି କରିବ?  ଓଡ଼ିଶା ରାଜନୀତିରେ ଏହାର ପ୍ରଭାବ ପଡ଼ିବ କି?  ଏହି ପ୍ରଶ୍ନଗୁଡ଼ିକୁ ଆସନ୍ତୁ ଗୋଟିକ ପରେ ଗୋଟିଏ ଅନୁଶୀଳନ କରିବା। 


COMMERCIAL BREAK
SCROLL TO CONTINUE READING

ପ୍ରଥମେ ଏ ନିର୍ବାଚନ ଫଳାଫଳ କ’ଣ ଶିଖାଇଲା? 
ଯେଉଁ ୪ ରାଜ୍ୟର ନିର୍ବାଚନ ଫଳାଫଳ ଆଜି ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି ସେଥିରୁ ୩ଟି ହେଉଛନ୍ତି ହିନ୍ଦି ଭାଷାଭାଷୀ ବା ଉତ୍ତର ଭାରତ ରାଜନୀତିର ଅଂଶ ବିଶେଷ। କେବଳ ତେଲେଙ୍ଗାନା ଭାରତର ଦକ୍ଷିଣ ଭାଗରେ ରହିଛି। ଏହି ୪ ରାଜ୍ୟରୁ ତିନୋଟିରେ ବିଜେପି ସରକାର ଗଢ଼ିବାକୁ ଯାଉଛି କହିଲେ ଭୁଲ୍‍ ହେବ ନାହିଁ। ଅପରପକ୍ଷେ କଂଗ୍ରେସ ଗୋଟିଏ ରାଜ୍ୟ ହରାଇଲେ ବି ଅନ୍ୟ ଏକ ରାଜ୍ୟରେ ନିଜର ଆଧିପତ୍ୟକୁ ପ୍ରଦର୍ଶିତ କରିଛି। ଅର୍ଥାତ୍‍ କଂଗ୍ରେସ ପାଇଁ ଏହି ନିର୍ବାଚନ ଫଳାଫଳ ନା କ୍ଷତି ବା ଲାଭ ଆଣିଛି। 


ବିଜେପି ଏ ନିର୍ବାଚନରେ ଦୁଇଟି ରାଜ୍ୟ ହାସଲ କରିଛି।  ରାଜସ୍ଥାନ ଓ ଛତିଶଗଡ଼ ଏହାର ଉଦାହରଣ। ଅପରପକ୍ଷେ  ୩ ବର୍ଷ ତଳେ ଯେଉଁ ରାଜ୍ୟରେ ଏକ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାରେ ବିଜେପି ହୀନ ଭୂମିକା ନେଇଥିଲା ବୋଲି ଚର୍ଚ୍ଚା ହେଉଥିଲା ସେଠାରେ ନିଜର ପରାକ୍ରମ ଦେଖାଇଛି। ଅର୍ଥାତ୍‍ ମଧ୍ୟପ୍ରଦେଶକୁ ନିଜ ପକେଟରେ ରଖିବାରେ ସକ୍ଷମ ହୋଇପାରିଛି ବିଜେପି। ଏଥିରୁ ସ୍ପଷ୍ଟ ଯେ, ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନ ଲୋକଙ୍କ କଥାକୁ ଠିକଣା ଭାବେ ବୁଝି ତାହାକୁ ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ଠିକଣା ଭାବେ ମଧ୍ୟପ୍ରଦେଶର ଜନତାଙ୍କ ପାଖରେ ପହଞ୍ଚାଇ ଡବଲ୍‍ ଇଞ୍ଜିନ୍କୁେ ସାକାର କରିଛନ୍ତି ଶିବରାଜ। 


ଏହି ନିର୍ବାଚନ ନିର୍ବାଚନ ଫଳାଫଳ ଦୁଇଟି ଜିନିଷକୁ ବିଶେଷ ଭାବେ ସ୍ପଷ୍ଟ କରିଛି।  ଗୋଟିଏ ହେଲା, ଯେଉଁଠି ବିଜେପି ସରକାର ନାହିଁ ଅର୍ଥାତ୍‍ ଭାରତୀୟ ଜନତା ପାର୍ଟି ଶାସନ କରୁନାହିଁ, ସେଠାରେ ସେଠାରେ ରାଜ୍ୟ ବିରୁଦ୍ଧରେ ସରକାର ବିପକ୍ଷ ମତ ରହିଛି। ରାଜସ୍ଥାନ କୁହନ୍ତୁ କି ଛତିଶଗଡ଼ ବା ତେଲେଙ୍ଗାନା କ୍ଷେତ୍ରରେ ତାହା ସ୍ପଷ୍ଟ ହୋଇଛି। 
ଦ୍ୱିତୀୟ କଥାଟି ହେଉଛି ଯେଉଁଠି କଂଗ୍ରେସ ସରକାରରେ ଅଛି ସେଠାରେ ଲୋକେ ବିଜେପିକୁ ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବିଛନ୍ତି ଏବଂ ଶାସନ ପାଇଁ ସୁଯୋଗ ଦେଇଛନ୍ତି। କିନ୍ତୁ ଯେଉଁଠି ଆଞ୍ଚଳିକ ଦଳ ସରକାରରେ ରହିଛି ସେଠାରେ ବିଜେପି ଲୋକଙ୍କ ମାନସପଟରେ ହିଁ ନାହିଁ। ଏହା  ତେଲେଙ୍ଗନାରୁ ସ୍ପଷ୍ଟ ହୋଇଛି। ଅର୍ଥାତ୍‍ ଯଦି କଂଗ୍ରେସ ଶକ୍ତ ହେଉଛି ତେବେ କୌଣସି ରାଜ୍ୟରେ ତାହା ଆଞ୍ଚଳିକ ଦଳ ପାଇଁ ଶୁଭଙ୍କର ନୁହେଁ ବା ବିପଦ। 


୨୦୨୪ରେ ଓଡ଼ିଶା ସାଧାରଣ ନିର୍ବାଚନ ସହ ବିଧାନସଭା ଲଢ଼ିବାକୁ ଯାଉଛି। ଏଠାରେ ବ୍ୟାପକ ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି। ପିଲାଙ୍କ ଏନ୍ତୁଡ଼ିଶାଳରୁ ବୟସ୍କଙ୍କ ଜୁଈ ଯାଏ ଯୋଜନା ଖୁନ୍ଦି ହୋଇ ରହିଛି। ସବୁଥିପାଇଁ ସରକାର ଭଣ୍ଡାର ଖୋଲି ଦେଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ଏଠାରେ ଲୋକେ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ବାରମ୍ବାର ପ୍ରଦର୍ଶନ କରିଛନ୍ତି।  ଏବେ ସେ ଭାରତର ଦ୍ୱିତୀୟ ଦୀର୍ଘକାଳ ସେବା ପ୍ରଦାନକାରୀ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଛନ୍ତି ଆଗକୁ ସବୁଠାରୁ ଦୀର୍ଘକାଳ ମୁଖ୍ୟମନ୍ତ୍ରୀ ପାଇଁ ଶାସକ ଦଳର ପ୍ରସ୍ତୁତି ଚାଲିଛି। ଗାଁ ଗହଳିର କାଁ ଭାଁ ନିର୍ବାଚନକୁ ଛାଡ଼ିଲେ ଯେତେବେଳେ ବି କୌଣସି ନିର୍ବାଚନ ହୋଇଛି ସେଠାରେ ବିଜୁ ଜନତା ଦଳ ପରାକ୍ରମ ଦେଖାଇବା ସହ ବିଜୟୀ ହୋଇଛି। ଏପରି କ୍ଷେତ୍ରରେ ଓଡ଼ିଶାରେ ସରକାର ବିରୋଧୀ ତତ୍ତ୍ୱ ଏଯାଏ ସାମ୍ନାକୁ ଆସି ନାହିଁ। କିନ୍ତୁ ରାଜସ୍ଥାନ ହେଉ କି ତେଲେଙ୍ଗାନା ବା ମଧ୍ୟପ୍ରଦେଶକୁ ଦେଖିଲେ ଅଣ ବିଜେପି ଶାସିତ ରାଜ୍ୟ ଭାବେ ଏଠାରେ ଅବସ୍ଥିତ ସରକାର ବିରୁଦ୍ଧରେ ଜନମତ ନିଶ୍ଚିତ ରହିଛି। କେନ୍ଦ୍ର ସରକାରଙ୍କ ସହଯୋଗୀ ଭାବେ ରାଜନୀତିକ ପଟ୍ଟଭୂମିରେ ପରିଚିତ ହେଉଥିଲେ ମଧ୍ୟ ଏଠାରେ କେନ୍ଦ୍ରୀୟ ଯୋଜନାକୁ ମଧ୍ୟ ପ୍ରଣୟନ କରାଯାଇ ନାହିଁ। 


ଅନେକ ସମୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଏଠାରେ ବିରୋଧ କରାଯାଇଛି। ଆୟୁଷ୍ମାନ ଭାରତ, ପିଏମ୍‍ ଶ୍ରୀ ସ୍କୁଲ୍‍ଭଳି ଅନେକ ଯୋଜନାକୁ ରାଜ୍ୟରେ ପ୍ରୋତ୍ସାହନ ମିଳିପାରି ନାହିଁ। ତଥାପି ବିଜେପି ଏଠାରେ ବିଜେଡିର ବିକଳ୍ପ ନୁହେଁ। ଆଞ୍ଚଳିକ ଦଳ ଭାବେ ବିଜେଡି ଲୋକଙ୍କ ଆବଶ୍ୟକତାକୁ ଠିକ୍‍ ଅନୁଭବ କରିଛି ଯାହା ବିଜେପି ଠଉରେଇବାରେ ବାରମ୍ବାର ବିଫଳ ହୋଇଥିବା କୁହାଯାଏ। 


କିନ୍ତୁ ଯଦି ତେଲେଙ୍ଗାନାକୁ ଉଦାହରଣ ଭାବେ ନିଆଯାଏ ଆଉ କଂଗ୍ରେସର ବିକାଶ ଘଟେ, ତେବେ ବିଜେଡି ପାଇଁ ମହଙ୍ଗା ହୋଇପାରେ। ହେଲେ, କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ଧୋକାଦାରୀ, କେନ୍ଦ୍ରୀୟ ନେତୃତ୍ୱଙ୍କ ବାରମ୍ବାର ହସ୍ତକ୍ଷେପ କଂଗ୍ରେସ ନେତୃତ୍ୱକୁ ଲୋକଙ୍କ ପାଖରେ ଏକଜୁଟ କରିବାରେ ସହାୟକ ହୋଇପାରିବ କି?