ଖୋର୍ଦ୍ଧା: ଜଟଣୀ ରାଜା ବଜାରରେ ପୁଣି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସରଞ୍ଜାମ ପୋଡ଼ି ପାଉଁଶ ହୋଇଯାଇଛି। ରାଜା ବଜାର ସ୍ଥିତ ବିବେକାନନ୍ଦ ସାହିରେ ଥିବା ଏକ ଆଇସ୍ ଫ୍ୟାକ୍ଟ୍ରିରେ ଆଜି ଅଗ୍ନିକାଣ୍ଡ ଘଟି ବାଇକ ପୋଡ଼ି ଯାଇଥିବା ବେଳେ ଫ୍ୟାକ୍ଟ୍ରିରର ମୂଲ୍ୟବାନ କମ୍ପ୍ରେସର ପୋଡ଼ି ପାଉଁଶ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ଦ୍ଵାରା ନିଆଁକୁ ଆୟତ କରାଯାଇଥିବା ବେଳେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ବାଇକରୁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି। 


COMMERCIAL BREAK
SCROLL TO CONTINUE READING

ଘଟଣାନୁଯାୟୀ, ଆଜି ଭୋର୍ ସମୟରେ ହଠାତ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଉପସ୍ଥିତ ଫ୍ୟାକ୍ଟ୍ରି କର୍ମଚାରୀ ମାନେ ଭୟରେ ବାହାରକୁ ବାହାରି ଯାଇଥିଲେ। କିଛି ସମୟ ପରେ ସେଠାରେ ଛିଡ଼ା ହୋଇଥିବା ବାଇକଟି ନିଆଁରେ ହୁ ହୁ ହୋଇ ଜଳି ଉଠିଥିଲା। ସ୍ଥାନୀୟ ଲୋକ ଓ କର୍ମଚାରୀ ମିଶି ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବାର ବିଳମ୍ବ ଦେଖି ସମସ୍ତେ ମିଶି ଫ୍ୟାକ୍ଟ୍ରିରୁ ନିଆଁ ଲିଭାଇବାରେ ସଫଳ ହୋଇଥିଲେ। ସେତେବେଳେକୁ ବାଇକ୍ ସମେତ ଫ୍ୟାକ୍ଟ୍ରିରର କିଛି ମେସିନ୍ ଓ କମ୍ପ୍ରେସର ପୋଡ଼ି ପାଉଁଶ ହୋଇଯାଇଥିଲା। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସଂପୂର୍ଣ୍ଣ ନିଆଁକୁ ଆୟତ୍ତ କରିଥିଲେ। ତେବେ ଘଟଣାରେ କୌଣସି ବ୍ୟକ୍ତିର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ଅନ୍ୟପଟେ ଅଗ୍ନିଶମ ବିଭାଗ ଗାଡ଼ି ବିଳମ୍ବରେ ଆସିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।