Odisha News:: ଆଖି ଖୋସି ହୋଇଯାଉଥିବା ସମ୍ପତ୍ତିର ମାଲିକ ଥିବା ପୂର୍ତ୍ତବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଗତକାଲି ତାଙ୍କ ଘରୁ ଜବତ କରିଥିବା ସମ୍ପତ୍ତି ବାବଦରେ ତଥ୍ୟ ଦେବାରେ ସେ ସଫଳ ହୋଇ ନଥିବାରୁ ତାଙ୍କୁ ଗିରଫ କରାଯାଇଥିବା କୁହାଯାଇଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁସାରେ, ତାରାପ୍ରସାଦଙ୍କ ନାଁରେ ଭୁବନେଶ୍ୱର ଏବଂ ଝାରସୁଗୁଡ଼ାରେ ୧୦ରୁ ଅଧିକ ଫ୍ଲାଟ, ୭ଟି ଦାମିକିଆ ପ୍ଲଟ, ଅଢ଼େଇ କିଲୋ ସୁନା ଅଳଙ୍କାର, ୩୭୦ ଗ୍ରାମ ହୀରା, ୬ ଲକ୍ଷ ନଗଦ ଟଙ୍କା, ଅଢ଼େଇ କୋଟିର ବ୍ୟାଙ୍କ ଜମା, ଦୁଇଟି ସୌଖିନ କାର ରହିଛି। ଏସବୁ ସେ କେମିତି ଅରଜନ କରିଛନ୍ତି, ସେ ବାବଦରେ ଅର୍ଥ ସେ କେଉଁଠୁ ଆଣିଲେ ସେ ବାବଦରେ କୌଣସି ସୂଚନା ଦେଇପାରି ନାହାନ୍ତି ଶ୍ରୀ ମିଶ୍ର। ଏଣୁ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। 


ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି କ୍ରମେ ଭିଜିଲାନ୍ସ ଟିମ୍‍ ତାଙ୍କର ବିଭିନ୍ନ ଆସ୍ଥାନ ଉପରେ ଚଢ଼ଉ କରିଥିଲେ। ଏହା ସହ ତାଙ୍କର ନିକଟ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‍ ଚଢ଼ଉ କରିଥିଲେ। ଶ୍ରୀ ମିଶ୍ର ୧୯୮୪ ମସିହାରେ ଜଣେ ସହକାରୀ ଇଞ୍ଜିନି୍ରୟର ଭାବେ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ଏହାପରେ ଢେଙ୍କାନାଳ, ଭୁବନେଶ୍ୱର ମ୍ୟୁନିସିପାଲିଟି, ଚାରବାଟିଆ, ଭବାନୀପାଟଣା, ପ୍ରଭୃତି ଅଞ୍ଚଳରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି। ୨୦୧୯ ରୁ ୨୧ ଯାଏ କଟକରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ପରେ ଭୁବନେଶ୍ୱରକୁ ମୁଖ୍ୟଯନ୍ତ୍ରୀ ଭାବେ ବଦଳି ହୋଇଥିଲେ। ଗତ ୨୦୨୩ ଜୁଲାଇ ମାସରେ ସେ ଚାକିରିରୁ ଅବସର ନେଇଥିଲେ।