Gajapati News: ଗଜପତି ଜିଲ୍ଲା ସଦର ମହକୁମା ସ୍ଥାନୀୟ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଆବଶ୍ୟକ । ସରକାର ଗଜପତି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନାମାନ କରିଛନ୍ତି ।ଜିଲ୍ଲାପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ତାଙ୍କର ଭରସା ଥିବା’ ମନ୍ତ୍ରୀ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସେ ଆଉ ମଧ୍ୟ କହିଛନ୍ତି, ଏନେଇ ପ୍ରଶାସନର ପୂର୍ଣ୍ଣ ସହଯୋଗ ରହିଛି। ଜିଲ୍ଲାରେ ବିଭିନ୍ନ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ନେଇ ଯୋଜନା କରାଯାଉଛି। ବିଜୁ କନ୍ଧମାଳ ଓ ଗଜପତି ଯୋଜନା ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବାର୍ଷିକ ଯୋଜନାକୁ ଅନୁମୋଦନ ପାଇଁ ମନ୍ତ୍ରୀ ଜନସାଧାରଣଙ୍କ ପରାମର୍ଶ ଲୋଡ଼ିଥିଲେ।


ଅନ୍ୟପଟେ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲାପରିଷଦ ଡ଼ଃ ନାୟକ ଜିଲ୍ଲାର ଅଗ୍ରଣୀ କାର୍ଯ୍ୟକ୍ରମ, ବ୍ଲକର କାର୍ଯ୍ୟ, ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବିଭାଗର ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିବା ବେଳେ କୃଷି ଓ ଅନୁସଙ୍ଗିକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଉନ୍ନୟନ, ବିଶେଷ ଆଞ୍ଚଳିକ କାର୍ଯ୍ୟକ୍ରମ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି ବିଭାଗ, ଶିଳ୍ପ ଓ ଖଣିଜ, ପରିବହନ, ବିଜ୍ଞାନ, ପରିବେଶ, ସାଧାରଣ ଆର୍ଥିକ ସେବା, ସାମାଜିକ ସେବା, ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ସଡ଼କ, ବିଜୁଳି ଓ ପାଣି ଆଦି ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ ।


ପାରଳାଖେମୁଣ୍ଡି ବିଧାୟକ, ମୋହନା ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଜିଲ୍ଲାପରିଷଦ ଉପ-ଅଧ୍ୟକ୍ଷା କୁନ୍ତଳା ମଲ୍ଲିକ, ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼ଃ.ଗୁଣନିଧି ନାୟକ, ଭାରପ୍ରାପ୍ତ ଜିଲ୍ଲା ଯୋଜନା ଅଧିକାରୀ ଭେଙ୍କଟ ରାଓ ଅଚାରୀ ସମେତ ସମସ୍ତ ଜିଲା ପରିଷଦ ସଭ୍ୟ ଓ ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ଯୋଜନା କମିଟିର ସଭ୍ୟ ସଭ୍ୟା ଓ ସମସ୍ତ ଜିଲ୍ଲାସ୍ତୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।