Ganja Sized: ଧାନ ଖଳାରୁ ବିପୁଳ ପରିମାଣର ଗଞ୍ଜେଇ କୁ ଜବତ କରିଛି ପୋଲିସ୍। ଗୋଟିଏ ପଟେ ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ ଚାଲିଥିବା ବେଳେ ଅନ୍ୟପଟେ ଚୋରା ଚାଲାଣ ପାଇଁ ଗଚ୍ଛିତ କରି ରଖା ଯାଇଥିବା ଗଞ୍ଜେଇକୁ ଜବତ କରିଛି ମୋହନା ପୋଲିସ୍। ମୋହନା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇ ଲବାରସିଂ ପଞ୍ଚାୟତ ଅନ୍ତର୍ଗତ ରାଙ୍କୁଡ଼ା ଗ୍ରାମ ନିକଟ ରେ ଏକ ଧାନ ଖଳାରେ ପହଞ୍ଚି ତନଖି କରିବା ବେଳେ ମକା ବସ୍ତା ସହ ଗଞ୍ଜେଇ ବସ୍ତା ଥିବାର ଜଣାପଡିଥିଲା। ଯାହାକୁ ନେଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ଉକ୍ତ ଖଳାରେ ଚଢ଼ାଉ କରାଯାଇଥିଲା।
 


 

 ଚଢାଉ ବେଳେ ପୋଲିସ୍ ଗାଡ଼ି କୁ ଦେଖି ସେଠାରେ ଥିବା ଗଞ୍ଜେଇ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ଉକ୍ତ ଖଳାରେ ତଲାସୀ କରାଯାଇଥିଲା। ଲଗାଣ ବର୍ଷା ଯୋଗୁଁ ଖଳାରେ ମକା ୧୪୦ ବସ୍ତା ସହ ଗଞ୍ଜେଇ ୨୨ ବସ୍ତା ଜରି ପାଲ ଘୋଡାଇ ରଖା ଯାଇଥିଲା। ଉକ୍ତ ଗଞ୍ଜେଇକୁ ଜବତ କରି ମୋହନା ତହସିଲଦାର ଙ୍କ ଉପସ୍ଥିତି ରେ ଓଜନ କରାଯାଇଥିଲା ଯାହାର ପରିମାଣ ୬୯୨ କିଲୋ ବୋଲି ଜଣାପଡ଼ିଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ପାଖା ପାଖି ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏନେଇ ମୋହନା ଥାନା ରେ ୨୩୨/୨୪ ରେ ଏକ ମାମଲା ରୁଜୁ କରି ଅଧିକା ତଦନ୍ତ ଜାରି ରହିଛି।