Subhadra Yojana : ମହିଳାଙ୍କ ପାଇଁ ଖୁସି ଖବର : ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ଯୋଜନା ଟଙ୍କା
Subhadra Yojana: ରାଜ୍ୟରେ ଶୀଘ୍ର କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କେବେ ଏହି ଯୋଜନାରେ ଟଙ୍କା ମିଳିବ ? ପଢ଼ନ୍ତୁ...
Subhadra Yojana: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ । ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନାରେ କ୍ୟାବିନେଟ୍ ମୋହର ବାଜିବା ପରେ ଏହି ଯୋଜନା ଡ୍ରାଫ୍ଟିଂ ଷ୍ଟେଜ୍ରେ ଅଛି । ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ ବୋଲି କହିଛନ୍ତି ପ୍ରଭାତୀ ।
ଖୁବଶୀଘ୍ର ଓଡ଼ିଶାର ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍ ମିଳିବ । ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ସ୍କିମ୍ ଟଙ୍କା ମିଳିବ । ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଆଉ ସ୍କିମ୍ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି ସେନେଇ ଆମେ ଜିଏସ୍ଟି କାଉନସିଲ ବୈଠକରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ ।
ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଜିଏସଟି ପରିଷଦ ବୈଠକରେ ଯୋଗ ଦେଇଛନ୍ତି । ଏହି ଯୋଜନା ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇଥିବେ । କିନ୍ତୁ କାହାକୁ ଅପେକ୍ଷା ନକରି ଓଡିଶା ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା ସବୁକୁ ରଦ୍ଦ କରାଯିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ବଡ଼ ପଦକ୍ଷେପ ନେଇଛି । ଛୋଟ ଛୋଟ ଘଟଣାରେ ମହିଳାଙ୍କ ଉପରେ ୩୫୪, ୩୭୬ ଭଳି ଦଫା ଲାଗିବା ଠିକ୍ ନୁହେଁ । ମହିଳାଙ୍କ ଉପରେ ଲାଗିଥିବା ସବୁ ମିଛ ମାମଲାକୁ ଖୁବଶୀଘ୍ର ରଦ୍ଦ କରାଯିବ । ଏଭଳି ମିଛ କଥାରେ ସଙ୍ଗୀନ ଦଫା ଲାଗୁଥିବାରୁ ଗୃହ ବିଭାଗକୁ ଚିଠି ଲେଖି ଅବଗତ କରାଯାଇଛି । ମହିଳା ଶକ୍ତି ଜାଗୃତ ହେବା ପାଇଁ ମିଶନ ଶକ୍ତି ପୁରା ଦମରେ କାମ କରିବ ।