Odisha News: କଟକ: ମଙ୍ଗଳବାର ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଗସ୍ତ କରି ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବୁଲି ଦେଖିଛନ୍ତି ରାଜ୍ୟର ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ ସପରିବାର ତ୍ରିଶୂଳିଆସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ ବସ୍ତୁ ବୁଲି ଦେଖିଥିବା ବେଳେ ଏଠାରେ ଦଶଦିନ ଧରି ଆୟୋଜିତ ହେଉଥିବା ଗଣେଶ ପୂଜାରେ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସପତ୍ନୀକ ଗଣପତିଙ୍କ ଦର୍ଶନ କରିଥିବା ବେଳେ ଉଭୟଙ୍କୁ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ କେନ୍ଦ୍ର ନିର୍ଦ୍ଦେଶିକା ଡଃ. ବିଜୟଲକ୍ଷ୍ମୀ ମହାନ୍ତି ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ସ୍ୱରୁପ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ଚାରାଗଛ ପ୍ରଦାନ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବିଶ୍ୱବିଦ୍ୟାଳୟରେ ଥିବା ଆୟୂର୍ବେଦ ଚିକିତ୍ସାଳୟ ଅନ୍ତର୍ଗତ ଅଷ୍ଟିଓପ୍ୟାଥି ସେସନ୍ ମଧ୍ୟ ନେଇଥିଲେ । ଉପସ୍ଥିତ ଚିକିତ୍ସକମାନଙ୍କଠାରୁ ଏ ସମ୍ପର୍କରେ ଅଧିକ ବିବରଣୀ ପଚାରି ବୁଝିବା ସହ ଏହାର ଉପାଦେୟତା ସମ୍ପର୍କରେ ଜାଣି ଏହାକୁ ଭୁରି ଭୁରି ପ୍ରଶଂସା କରିଥିଲେ । ସ୍ୱୟଂ ଆୟୂର୍ବେଦ ବିଭାଗର ଡିନ୍ ଡଃ. ପ୍ରଦୀପ କୁମାର ପଣ୍ଡା ଓ ଡଃ. ସଞ୍ଜିବ କୁମାର ଦାସ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ସେମାନେ ଆୟୂର୍ବେଦକୁ ନେଇ ବିଭିନ୍ନ ବିଷୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସନ୍ଦେହମୋଚନ କରିଥିଲେ ।


ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ଗଣପତି ଦର୍ଶନ ସମୟରେ ଇଶାନ ହାଲୱାଇ, ହରଗୁନ କାପୁର, କୁଶି ଅମୀନ୍, ସୌମ୍ୟରଞ୍ଜନ ମିଶ୍ର, କୁଶାଲ ଦେବନାଥ, ଆନନ୍ଦ ଲୁମ୍ବା ଏବଂ ଆଦିତ୍ୟ ଯୁବରାଜ ପ୍ରମୁଖ ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ । ସେମାନେ ମନ୍ତ୍ରୀଙ୍କୁ ଗଣେଶ ମେଢ଼ ବୁଲାଇ ଦେଖାଇଥିଲେ ।