ମାଲକାନାଗିରି: ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ମାଲକାନଗିରି ଜିଲାର ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇବାରୁ ନଦୀ ଉପରେ ପ୍ରାୟ ୩ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁ ନଦୀର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ବନ୍ଦରହିଛି। ଆଜି ସକାଳୁ ଜିଲ୍ଲାରେ ପ୍ରବଳ ବେଗରେ ବର୍ଷା ଲାଗିରହିଛି। ସହରର ଥାନା ଛକ, ହୋଟେଲ କୁଇନାଇ ଛକ, ବାଲିସାଗର ସାହି, ବସ ଷ୍ଟାଣ୍ଡ ବିଭିନ୍ନ ସ୍ଥାନରେ ପାଣିର ସୁଅ ଚାଲିଥିବାରୁ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନ ବାହନ ଚଳାଚଳ ସହିତ ଯାତାୟତ ବନ୍ଦ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ସେହିପରି ସେହିପରି ସୋମବାର ସକାଳ ୮ଟା ସୁଦ୍ଧା ମାଲକାନଗିରି ବ୍ଲକରେ ୨୫୩.୦ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୧୫୦.୦ ଖଇରପୁଟ ବ୍ଲକରେ ୨୧୭.୦ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୨୨୫.୦ ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୨୦୦ ମିଲିମିଟର, କାଲିମେଳା ବ୍ଲକରେ ୧୨୭.୦ ମିଲିମିଟର, ପଡ଼ିଆ ବ୍ଲକରେ ୯୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। 


ବର୍ଷା ଦ୍ୱାରା ପୁଣି ଥରେ ସାବେରୀ, ସିଲେରୁ, ତମସା, ପୋଟେରୁ, ପାଙ୍ଗମ ନଦୀ ଫୁଲି ପୋଲ ଉପରେ ପାଣି ପ୍ରଭାହିତ ହେଉଛି। ବିଶେଷ କରି ପାଙ୍ଗମ ନଦୀ ପୋଲ ଉପରେ ଦୁଇଫୁଟ ଉଚ୍ଚର ପାଣି ଚାଲିଥିବାରୁ ମାଲକାନଗିରି ଠୁ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଦୁଇ ପାର୍ଶ୍ବରେ ଶତାଧିକ ଯାନ ବାହନ ଅଟକି ରହିଛି। 


ସେହିପରି ଆନ୍ଧ୍ର ଓଡ଼ିଶା ସୀମାନ୍ତ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପିଲିଗଡା କଲଭର୍ଟର ଗୋଟିଏ ପାର୍ଶ୍ୱ ବର୍ଷାଜଳରେ ଧୋଇ ହୋଇ ଯିବାରୁ ଆନ୍ଧ୍ର ଓଡ଼ିଶାକୁ ମଧ୍ୟ ଯୋଗାଯୋଗ ବନ୍ଦ ହୋଇଯାଇଛି। ଜିଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଥିବା, କେତେକ ଲୋକଙ୍କ ଘର କାନ୍ଥ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ମାଲକାନଗିରି ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ୍‌ ମଧ୍ୟ ସମସ୍ତ ଅଞ୍ଚଳରେ ସଜାଗ ହୋଇ ରହିବା ସହ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ବିଶେଷ ଦୃଷ୍ଟି ଦେଉଥିବା ଦେଖିବାକୁ ମିଳିଛି।