Ratna Bhandar: ରତ୍ନ ଭଣ୍ଡାର କେମିତି ଖୋଲାଯିବ? କିଏ କେଉଁ ଭଳି ପୋଷାକୁ ପିନ୍ଧିବେ? କେଉଁ ମସିନ୍‍ ଯିବ ଆଉ କିଏ ନେବେ? ଘଟଣାର ଭିଡିଓଗ୍ରାଫି ହେବ ନା ନାହିଁ? ଏମିତି ଅନେକ ପ୍ରଶ୍ନ ଏବେ ଶ୍ରୀ ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ହେଲେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ‘ସାଧାରଣ ରୂପାୟନ ନିୟମାବଳୀ’ ଉପରେ ମୋହର ବାଜି ପାରୁନାହିଁ। ଆଜି ଏ ବିଷୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ୧୪ ତାରିଖ ଅର୍ଥାତ୍‍ ସପ୍ତମୀ ତିଥି ସନ୍ଧ୍ୟା ଦର୍ଶନ ରବିବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଖୋଲାଯିବା ପ୍ରାୟ ନିଶ୍ଚିତ। ସରକାରଙ୍କ ପକ୍ଷରୁ ଗଠିତ ଜଷ୍ଟିସ ବିଶ୍ୱନାଥ ରଥଙ୍କ କମିଟିର ସୁପାରିସ ଆଧାରରେ ସରକାର ଅନୁମତି ଦେବା ପ୍ରାୟ ନିଶ୍ଚିତ। ରତ୍ନ ଭଣ୍ଡାର ତାରିଖ ପ୍ରାୟତଃ ସ୍ଥିର ହୋଇ ସାରିଛି କିନ୍ତୁ କେଉଁ ଭଳି ଭାବେ ଖୋଲାଯିବ ତାହା ଶଅୀମନ୍ଦିର ରୀତି ନୀତି ସହ ଖାପ ଖାଉଛି କି ନାହିଁ ତାହାକୁ ଆଇନ ବିଭାଗ ଯାଞ୍ଚ କରୁଛି ଏବଂ ଆଜି ଏହାର ଚୂଡ଼ାନ୍ତ ନିଷ୍ତ୍ତି ଆସିପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏସ୍‍ଓପି ବା ସାଧାରଣ ରୂପାୟନ ନିୟମାବଳୀ ଆସିବା ପୂର୍ବରୁ ରତ୍ନ ଭଣ୍ଡାର କମିଟି ସଦସ୍ୟ  ଏବଂ ସେବାୟତମାନେ ଏ ନେଇ କିଛି ସୂଚନା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। 


ଏହି ନିୟମାବଳୀ ଅନୁସାରେ, ସମସ୍ତ ପରିଚାଳନା କମିଟି ସଦସ୍ୟ ତଥା ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିବାକୁ ଥିବା ବ୍ୟକ୍ତି ବିଶେଷ ଶୁଦ୍ଧ ଜୀବନଯାପନ କରିବେ। ଭକ୍ତି ସହକାରେ ରହିବା ସହ ଆମିଷ ବା ନିଶା ସେବନ କରିବେ ନାହିଁ। ସେଦିନ ମନ୍ଦିରକୁ ପ୍ରବେଶ ସମୟରେ ସେମାନେ ସେବାୟତଙ୍କ ଭଳି ବସ୍ତ୍ର ପିନ୍ଧିବେ। ଅର୍ଥାତ୍‍ ଦେହରେ ଗାମୁଛା ବା ପାଟ ମକୁଟା ରହିବ। ଓଦା କପଡ଼ା ବି ପିନ୍ଧି ପାରନ୍ତି। କୌଣସି ଭାବେ ପ୍ୟାଣ୍ଟ ସାର୍ଟ ଗ୍ରହଣୀୟ ରହିବ ନାହିଁ। 


ତାଲା ଭାଙ୍ଗିବା, ରତ୍ନ ଗଣତି କରିବା, ଭଣ୍ଡାର ପରିସ୍ଥିତି ଯାଞ୍ଚ କରିବା ତଥା ଆନୁସଙ୍ଗିକ କାର୍ଯ୍ୟ ଲାଗି ଆବଶ୍ୟକ ସମସ୍ତ ଇଞ୍ଜିନିୟର, କର୍ମଚାରୀ ଉପକରଣ ପ୍ରବେଶ ପୂର୍ବରୁ ବିଧିବଦ୍ଧ ଭାବେ ଯାଞ୍ଚହେବ। ସୁରକ୍ଷା ଯାଞ୍ଚ ପରେ ସେମାନଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ରହିବ। ସମସ୍ତ ଉପକରଣ ନୂତନ ଟେକ୍ନୋଲୋଜି ଓ ଆବଶ୍ୟକତା ଅନୁସାରେ ରହିବ। କିନ୍ତୁ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ଚମଡ଼ା ଯାତ ଦ୍ରବ୍ୟ ହେଉ ବା ଯୋତା ହେଉ ପିନ୍ଧିବାକୁ ବାରଣ କରାଯାଇଛି। 


ଗଣତି ପରେ ଭଣ୍ଡାର ଘରର ପରିସ୍ଥିତିକୁ ଯାଞ୍ଚ କରିବା ଲାଗି ବିଶେଷଜ୍ଞ ଦଳକୁ ଛଡ଼ାଯିବ। ସେମାନେ ପରିସ୍ଥିତି ଅନୁଧ୍ୟାନ କରି ମରାମତି ପାଇଁ ଯେତିକି ଦିନ ନେବେ ସେହି ସମୟରେ ରତ୍ନ ଓ ଅଳଙ୍କାରକୁ ଏକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତର ହେବ। ଏହି ରତ୍ନ ଓ ଅଳଙ୍କାରକୁ ୧୯୭୮ ମସିହାରେ ହୋଇଥିବା ଗଣତି ରିପୋର୍ଟ ଅନୁସାରେ ମେଳକ ହେବ। ଯେଉଁ ଅଳଙ୍କାରର ସ୍ଥିତି ଖରାପ ଥିବ ତାହାର ମରାମତି ତଥା ସଂରକ୍ଷଣ ପାଇଁ ରତ୍ନ ଭଣ୍ଡାର କମିଟି ନିଷ୍ପତ୍ତି ନେବେ। 


୧୯ ତାରିଖରେ ନିଳାଦ୍ରୀ ବିଜେ  ଅନୁଷ୍ଠିତ ହେବ। ଅର୍ଥାତ୍‍ ୫ ଦିନ ଭିତରେ ଯଦି କାର୍ଯ୍ୟ ନସରେ ତେବେ ମରାମତି ପାଇଁ ଅଧିକ ସମୟ ନିଆଯିବ। ଠାକୁର ଶ୍ରୀମନ୍ଦିର ଭିତରେ ଥିବା ବେଳେ ନୀତି କାନ୍ତିକୁ ସଅଳ କରି ମରାମତି କାର୍ଯ୍ୟ ଅପରାହ୍ଣରେ କରିବା ଲାଗି ଯୋଜନା କରାଯାଇଛି। ଅର୍ଥାତ୍‍ ରାତି ୪ଟାରୁ ପ୍ରଭୁଙ୍କ କବାଟ ଖୋଲି ନୀତି କାନ୍ତି ଆରମ୍ଭ ହେବ। ଅପରାହ୍ଣ ୧ଟା ସୁଦ୍ଧ ସମସ୍ତ ନୀତି କାନ୍ତି ଶେଷ ହେବ। ୧ଟାରୁ ୫ଟା ଯାଏ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ମରାମତି ଲାଗି ଶ୍ରମିକ ଓ ବିଶେଷଜ୍ଞ ପ୍ରବେଶ କରିବେ। ଏହି ସମୟରେ କାର୍ଯ୍ୟ ଶେଷ କଲାପରେ ଅପରାହ୍ଣ ୫ଟାରୁ ପୁଣିଥରେ ସାନ୍ଧ୍ୟକାଳୀନ ନୀତି ଆରମ୍ଭ ହେବା ସମ୍ଭାବନା ରହିଛି। 


୧୯୭୮ ମସିହାରେ ରତ୍ନ ଭଣ୍ଡାରରର ଗଣତି ଭଣତି ହୋଇଥିଲା। ଏହାପରେ ଏବେଯାଏ ତାହା ବନ୍ଦ ଅବସ୍ଥାରେ ରହିଛି। ଏହାର ଚାବି ତିନିଜଣଙ୍କ ପାଖରେ ରହିଛି। ଗୋଟିଏ ଚାବି ଗଜପତି ମହାରାଜାଙ୍କ ପାଖରେ ଥିବାବେଳେ ଅନ୍ୟ ଗୋଟିଏ ଭଣ୍ଡାର ମେକାବ ଏବଂ ଗୋଟିଏ ପ୍ରଶାସନିକ ଅଧିକାରୀଙ୍କ ପାଖରେ ରହିଛି।  ଏହି ଚାବି ନମିଳିବାରୁ ୨୦୧୮ ମସିହାରେ ରତ୍ନ ଭଣ୍ଡାରର ଭିତର ଗୃହ ଖୋଲିବା ନେଇ ଯାଇଥିବା କମିଟି ଫେରି ଆସିଥିଲେ। ଏହାପରେ ଚାବି ଖୋଜିବା ଲାଗି ଏକ କମିଶନ ଗଢ଼ାଯାଇଥିଲା। କମିଶନ ଏ ଚାବି ପ୍ରଶାସନ ପାଖରେ ଥିବା ଦର୍ଶାଇଥିଲେ। ଏବେ ନବ ଗଠିତ କମିଟି ଆଗରେ ଏହି ଚାବି ପ୍ରଶାସନ ପକ୍ଷରୁ ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ତାହା ହୋଇ ନାହିଁ। ଅପରପକ୍ଷେ ଯଦି ଚାବି ନମିଳିବ ତେବେ ମଧ୍ୟ ତାଲା ଭାଙ୍ଗି ରତ୍ନ ଭଣ୍ତଡାର ଖୋଲିବା ଲାଗି ସରକାରଙ୍କ ଅନୁମତି ମଗାଯାଇଛି। 


୧୯୭୮ ମସିହାରେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରି ଥିବା ସମୟରେ ଶେଷଥର ପାଇଁ ଖୋଲାଯାଇଥିବା ରତ୍ନ ଭଣ୍ଡାରରେ ଥିବା ରତ୍ନ ଓ ଗହଣାର ଏକ ହିସାବ ତାଲିକା ସରକାରଙ୍କ ପାଖରେ ରହିଛି। ଏହି ଅନୁସାରେ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାରରେ ୪୫୪ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର, ୨୨ହଜାର ୧୫୩ ଭରିର ରୂପା ଅଳଙ୍କାର ରହିଛି। ଏହାବାଦ ହୀରା, ମୋତି, ମାଣିକ ସଜ୍ଜିତ ଅଳଙ୍କାର ମଧ୍ୟ ରହିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। 


ଏହା ପୂର୍ବରୁ ୧୮୦୫ ମସିହାରେ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିଲା। ଇଂରେଜ ସରକାର ୧୮୦୩ରେ ଓଡ଼ିଶା ବିଜୟ କରିବା ପରେ ଏହି ରତ୍ନ ଭଣ୍ଡାର ଗଣତି କରି ତତ୍‍କାଳୀନ ପୁରୀ ଜିଲ୍ଲାପାଳ ଚାର୍ଲସ ଗ୍ରୋମ ରିପୋର୍ଟ ରଖିଥିଲେ। ସେତେବଳେ ଉଲ୍ଲେଖ ଥିବା ରତ୍ନ ୧୯୭୮ ମସିହାର ରିପୋର୍ଟଠାରୁ ଯଥେଷ୍ଟ ଅଧିକ ଥିଲା। ଏଣୁ ଏହି ରତ୍ନ ଏବଂ ଅଳଙ୍କାର ଏବେ କେଉଁ ଅପସ୍ଥାରେ ରହିଛି ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ। ପୁଣି ୨୦୧୮ ମସିହାରେ ରତ୍ନ ଭଣ୍ଡାର ଖୋଲିବା ଲାଗି ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ କମିଟି ଭିତର ରତ୍ନ ଭଣ୍ଡାରରେ ପହଞ୍ଚିଥିଲେ ମଧ୍ୟ ଚାବି ନ ମିଳିବାରୁ ଫେରି ଆସିଥିଲେ। ଏଣୁ ଲୋକଙ୍କ ମନରା ରତ୍ନ ଭଣ୍ଡାରକୁ ନେଇ ଅନେକ ଉତ୍କଣ୍ଠା ରହିଛି।