Illegal Sanda lifting: ଦିବାଲୋକରେ ବେଧଡକ ଭାବେ ଉତ୍ତୋଳନ ହେଉଛି ନଦୀଗର୍ଭରୁ ବାଲି ଏବଂ ସେହି ବାଲିକୁ ଟ୍ରାକ୍ଟର ଯୋଗେ ହେଉଛି ଚାଲାଣ। ନାଁ କଟାଯାଉଛି ରୟାଲଟି , ନାଁ ଅଛି ପ୍ରଶାସନର ଜରିମାନାକୁ ଭୟ । ଗଜପତି ଜିଲ୍ଲା ରେ ପ୍ରଶାସନର ଦୁର୍ବଳତାର ସୁଯୋଗ ନେଇ ବେଫିକର୍ ଏବେ ବାଲି ମାଫିଆ। ଫଳରେ ପ୍ରାକୃତିରୁ ଲଘୁଖଣିଜ ସମ୍ପଦ ଲୁଟ ହେବା ସଙ୍ଗେ ସଙ୍ଗେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ଘଟିଚାଲିଛି । ଗଜପତି ଜିଲ୍ଲା ର ମୋହନା ତହସିଲ ଅଧିନସ୍ଥ ଖସଡ଼ା ଠାରୁ ସଂଯୁକ୍ତ ଆର ଉଦୟଗିରିର ଅଞ୍ଜରବା ଗ୍ରାମ ଦେଇ ପ୍ରବାହିତ ରାମ ନଦୀର ବିଭିନ୍ନ ସ୍ଥାନରେ ଗଢିଉଠିଛି ବେଆଇନ ବାଲି ଖାଦାନ । ଅଞ୍ଜରବା ଗ୍ରାମର କିଛି ଯୁବକ ନଦୀମଧ୍ୟରେ ଜେସିବି ଦ୍ବାରା ବାଲି ଉତ୍ତୋଳନ କରି ପ୍ରତି ଟ୍ରାକ୍ଟର ପିଛା ୫୦୦-୮୦୦ ଟଙ୍କା ବିକ୍ରୀ କରୁଥିବା ବେଳେ କୌଣସି ରୟାଲଟି ଦେବାକୁ ପଡୁନଥିବା କହିଛନ୍ତି ବାଲି ଟ୍ରାକ୍ଟର ଡ୍ରାଇଭର । ଦୈନିକ ଶହ ଶହ ଟ୍ରାକ୍ଟର ଅଞ୍ଜରବା ଗ୍ରାମ ଦେଇ ବାଲି କୁ ବାହାରକୁ ଚାଲାଣ ହେଉଥିବା ବେଳେ ଗ୍ରାମର କିଛି ଯୁବକ ବାଲି ବିକ୍ରିକୁ ଏବେ ଅର୍ଥ ଉପାର୍ଜନର ମାଧ୍ୟମ ରୁପେ ବାଛି ନେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

 



 ଅନ୍ୟପଟେ ନଦୀ ଗର୍ଭରୁ ବାଲି ମାତ୍ରାଧିକ ଭାବେ ଉତ୍ତୋଳନ ଯୋଗୁଁ ନଦୀ ଦୁଇ ପାର୍ଶ୍ଵ କୁଳ ର ମାଟି ଅତଡା ଧସି ବିପଦ ପୁର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି । ଯାହାକୁ ନେଇ ଭୟଭୀତ ଓ ଆତଙ୍କିତ ହୋଇପଡିଛନ୍ତି ନଦୀ ତଟ ବର୍ତ୍ତୀ ରେ ବସବାସ କରୁଥିବା ଡିମ୍ବିରିସାହି, ଡେରବା, କମଳାପୁର, କୁମୁଳୁସିଂ, ବୁରୁପଦା, ଜାରପଡା, ଡାବରାଗୁଡା, ଗୟଳମେରା, ବାଲିମୁଳି,କଳାପଙ୍ଗା, ସନ୍ତରାସାହି , କରଞ୍ଜସାହି ଆଦି ଗ୍ରାମବାସୀ । ଆଜକୁ ଦୁଇ ମାସ ତଳେ କିଛି ଗ୍ରାମବାସୀ ଜିଲ୍ଲା ଲଘୁଖଣିଜ ସଂପଦ ଅଧିକାରୀଙ୍କୁ ଜଣାଇବା ପରେ କେବଳ ଗୋଟିଏ ଦିନ ଚଡାଉ କରି ହାତ ଗଣତି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିଥିଲେ । ତେବେ ରାମନଦୀ ରୁ ବେଆଇନ ବାଲି ଉତ୍ତୋଳନ ଚାଲିଥିବା ବେଳେ ଘଟଣା ସ୍ଥଳରେ ଥିବା ଜେସିବି ଅପରେଟର ସଞ୍ଜିବ କୁମାର ଭୁଆଁଙ୍କୁ ପଚାରିବାରେ ବାଲି ଚାରିଆଡେ ଅଭାବ ଯୋଗୁଁ ଉନ୍ନୟନ କାମପାଇଁ ବାଲି ନେବାକୁ ଆସିଥିବା କହିଛନ୍ତି ।


ଅଞ୍ଜରବା ଗ୍ରାମର ସମ୍ପୃକ୍ତ ଯୁବକ ଜଣଙ୍କୁ ପଚାରିବାରେ ନଦୀ ଉପର ମୁଣ୍ଡରେ କୁମୁଳିସିଂ ଠାରେ ଜିରାଙ୍ଗ ପଞ୍ଚାୟତର ଲୋକେ ବର୍ଷ ବର୍ଷ ଧରି ବେଆଇନ ବାଲି ଉତ୍ତୋଳନ କରିଆସୁଛନ୍ତି କିନ୍ତୁ ଏହାକୁ ରୋକିବା ପାଇଁ ଆର ଉଦୟଗିରି ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲା କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗ୍ରାମର ଯୁବ ଗୋଷ୍ଠୀ ବାଧ୍ୟ ହୋଇ ଆଉ ଏକ ବାଲି ଘାଟ ନିର୍ମାଣ କରିବା ସହ ଟ୍ରାକ୍ଟର ପିଛା ଟଙ୍କା ଆଦାୟ କରୁଥିବା ସ୍ବୀକାର କରିଛନ୍ତି ଗ୍ରାମର ଅଜୟ ମାଝି କହିଛନ୍ତି । ବାଲିଘାଟରୁ ଯେଉଁ ଟଙ୍କା ଆଦାୟ ହେଉଛି ଗାଁ କଲ୍ୟାଣ ପାଣ୍ଠିରେ ମିଶାଉଥିବା ଗ୍ରାମର ସଲମନ ମାଝି କହିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ସଂପର୍କରେ ପଚାରିବା ପାଇଁ ଆର ଉଦୟଗିରି ତହସିଲଦାର ଯ୍ୟୋତିମୟ ଦାଶ ଙ୍କୁ ଫୋନ ଯୋଗେ ସମ୍ପର୍କ କରିବାରେ କୈଣସି ପ୍ରତିକ୍ରୀୟା ମିଳିପାରିନାହିଁ । ଜିଲ୍ଲା ଲଘୁ ଖଣିଜ ସମ୍ପଦ ଅଧିକାରୀ ଡିପେନ୍ ପରିଡାଙ୍କୁ ଏ ସମ୍ପର୍କରେ ପଚାରିବାରେ ଜିଲ୍ଲାରେ ମାତ୍ର ଜଣେ ମଧ୍ୟ ଅଧିକାରୀ ଥିବା ହେତୁ ବାଲି ଉତ୍ତୋଳନ ସ୍ଥାନରେ ପହଞ୍ଚିବା ସମ୍ଭବ ହୋଇପାରୁନାହିଁ । ଖବର ମିଳିଲେ ଚଡାଉ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜ ପ୍ରତିକ୍ରୀୟାରେ କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।