କନ୍ଧମାଳ: ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ରୂପାରୋଶନ ସାହୁ ଗତକାଲି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘଟଣାର ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ବ ଆୟୁକ୍ତ ଶ୍ରୀମତୀ ସାହୁ ଆଜି ଉକ୍ତ ଗ୍ରାମକୁ ଯାଇ ୨ ମୃତ ମହିଳା ଓ ଚିକିତ୍ସାଧୀନ ୬ଜଣ ମହିଳାଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିବା ସହ ଘଟଣା ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। କେଉଁ ପରିସ୍ଥିତିରେ ସେମାନେ ଆମ୍ବଟାକୁଆ ଖାଇଥିଲେ ଓ ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ନିୟମିତ ଚାଉଳ ମିଳୁଥିଲା କି ନାହିଁ, ସେ ବାବଦରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। 


COMMERCIAL BREAK
SCROLL TO CONTINUE READING

ତେବେ ୩ମାସ ହେଲା ଚାଉଳ ପାଇ ନଥିବା ସଂପର୍କରେ ଗାଁ ଲୋ‌କେ ଆର୍‌ଡିସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଶ୍ରୀମତୀ ସାହୁ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ବ୍ରାହ୍ମଣୀଗାଁ ବହୁମୁଖୀ ସମବାୟ ସମିତି କାର୍ଯ୍ୟାଳୟ ପରିଦର୍ଶନ କରି ଚାଉଳ ବଣ୍ଟନ ସମ୍ବନ୍ଧୀୟ ନଥିପତ୍ର ଯାଞ୍ଚ କରିଥିଲେ। ଆସନ୍ତା ୧୧ ତାରିଖରେ ଆରଡିସି ପୁଣି ତଦନ୍ତ ପାଇଁ ଆସିବେ। ତଦନ୍ତ ରିପୋର୍ଟ ବିଷୟରେ ଗଣମାଧ୍ୟମକୁ ଜଣାଇ ଦିଆଯିବ ବୋଲି ସୂଚନା ମିଳିଛି। କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଉପସ୍ଥିତ ଥିଲେ। 


ସୂଚନାଥାଉକି, ଆମ୍ବଟାକୁଆ ଜାଉ ଖାଇ ଗତମାସ ୩୧ ତାରିଖରେ ମାଣ୍ଡିପଙ୍କା ଗ୍ରାମର ରମିତା ପାଟମାଝି ଓ ଚଳିତମାସ ୧ ତାରିଖରେ ‌ଦିବ୍ୟାଙ୍ଗ ଯୁବତୀ ରୁନୁ ମାଝିଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଖରାପ ହେବାରୁ ଉଭୟ କଟକ ବଡ଼ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।