BJD: ଭୁବନେଶ୍ୱର: ବିଧାନସଭାର ବଜେଟ୍‍ ଅଧିବେଶନ ଶେଷ ହୋଇଛି। ୨୫ ଦିନ ଧରି ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ପାରିତ ହୋଇଥିଲା। ଗୃହରେ ବଜେଟ୍‍ ଗ୍ରହଣ କରାଯିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ୪୯୨୧ଟି ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ସରକାର ଦେଇଥିଲେ। ୨୮୭୪ଟି ତାରକା ପ୍ରଶ୍ନ ପଚରାଯିବାକୁ କାର୍ଯ୍ୟକ୍ରମରେ ସ୍ଥିର କରାଯାଇଥିଲେ ମଧ୍‍ୟ ଗୃହରେ ଅଚଳାବସ୍ଥା କାରଣରୁ ତାହା ସମ୍ଭବ ହୋଇ ପାରି ନଥିଲା। ଅନେକ ପ୍ରସଙ୍ଗରେ ଗୃହ ମୁଲତବୀ ରହିଥିଲା। ବିରୋଧୀ ଦଳ ଚିରାଚରିତ ଭାବେ ବାଚସ୍ପତିଙ୍କ ଟେବଲ ଉପରକୁ ଚଢ଼ିବା, ମାଇକ୍‍ ଭାଙ୍ଗିବା, କକ୍ଷତ୍ୟାଗ କରିବା, ବିକ୍ଷୋଭ ପ୍ରଦର୍ଶନ କରିବା, ଗୃହର ମଧ୍ୟଭାଗରେ ସ୍ଲୋଗାନ ଦେବା ଆଦି ଦୃଶ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ବିରୋଧୀ ଦଳ ଭାବେ ନୂଆ କରି ଦାୟିତ୍ୱ ନେଇଥିବା ବିଜୁ ଜନତା ଦଳ ନିଜର ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ଉପସ୍ଥାପନ କରିବାରେ ସଫଳ ହେଲା କି? ଏ ପ୍ରଶ୍ନକୁ ନେଇ ଅନେକ ଆଲୋଚନା ଚାଲିଛି। ଆସନ୍ତୁ ନଜର ପକାଇବା କିଛି ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ।  


COMMERCIAL BREAK
SCROLL TO CONTINUE READING

ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ୨୪ ବର୍ଷର ଶାସନ ପରେ ବିରୋଧୀ ଦଳ ଆସନ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତା ହୋଇଛନ୍ତି ନବୀନ ପଟ୍ଟନାୟକ। ଶାସନ ଓ ସରକାରକୁ ଭଲ ଭାବେ ବୁଝିଥିବା ଏବଂ ବିଧାନସଭାରେ ବିରୋଧୀ ଦଳର ସମାଲୋଚନା, କାର୍ଯ୍ୟକଳାପକୁ ଅନୁଧ୍ୟାନ କରିଥିବା ବିଜେଡି ଏଥର ନିଜେ ଦାୟିତ୍ୱ ନିର୍ବାହ କରିବାକୁ ଦାୟିତ୍ୱ ଲାଭ କରିଛି। ରାଜନୀତି ବିଜ୍ଞାନରେ ଗଣତନ୍ତ୍ରର ଆତ୍ମା କହିଲେ ବିରୋଧୀଦଳକୁ ବୁଝାଇଥାଏ। କାରଣ ସରକାରୀ ଦଳର ଭୁଲ୍‍ ପଦକ୍ଷେପକୁ ରୋକିବା ସହିତ ବାଟ ଭୁଲା ସରକାରକୁ ପଥ ପ୍ରଦର୍ଶନ କରାଇଥାଏ ବିରୋଧୀଦଳ। କିନ୍ତୁ ଓଡ଼ିଶାରେ ଏ କ୍ଷେତ୍ରରେ ବିରୋଧୀଦଳ ବିଫଳ ହୋଇଛି। ସପ୍ତଦଶ ବିଧାନସଭାର ପ୍ରଥମ ତଥା ବଜେଟ୍‍ ଅଧିବେଶନ ଗୁରୁବାର ଦିନ ସରିଛି। ଜୁଲାଇ ୨୨ରୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ୍‍ ଅଧିବେଶନ କାଳରେ ରାଜ୍ୟରେ ବିରୋଧୀଦଳ କିଏ ବୋଲି ଜଣାପଡ଼ିଲା ନାହିଁ। ଯାହାକି ରାଜନୀତିକ ମହଲରେ ଚିନ୍ତାର କାରଣ ହୋଇଛି।


ନିକଟରେ ଶେଷ ହୋଇଥିବା ନିର୍ବାଚନରେ ୫୧ଟି ଆସନ ସହିତ ବିରୋଧୀଦଳର ବିଜେଡିକୁ ମାନ୍ୟତା ମିଳିଛି। ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ବିରୋଧୀଦଳର ନେତା ହେବା ପରେ  ଆଶା ଥିଲା ସେ ଶୃଙ୍ଖଳିତ ଭାବେ ଗୃହରେ ଉପସ୍ଥିତ ରହିବେ। ସରକାରୀ ଦଳର  କାର୍ଯ୍ୟ ଓ ଉତ୍ତରଦାୟିତ୍ୱକୁ ପରଖିବେ। କିନ୍ତୁ ବାସ୍ତବରେ ତାହା ଓଲଟା ହୋଇଛି। ମୁଖ୍ୟମନ୍ତ୍ରୀ ଥିବାବେଳେ ଶ୍ରୀ ପଟ୍ଟନାୟକ ଯେଉଁଭଳି ଭାବେ ଗୃହକୁ କମ୍‍ ଆସୁଥିଲେ, ସେହି ଧାରା ବଜାୟ ରଖିଛନ୍ତି। 
ଖାଲି ସେତିକି ନୁହେଁ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବି ଗୃହରେ ଦେଖିବାକୁ ମିଳି ନାହିଁ। ସ୍ୱାସ୍ଥ୍ୟାବସ୍ଥା କାରଣରୁ ସେ ଆସି ନଥିବା କୁହାଯାଇଛି। ବିରୋଧୀ ଦଳର ନେତା କୌଣସି ପ୍ରସଙ୍ଗକୁ ଉଠାଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ହିଁ ଏହି ଦୁଇଜଣ ଗୃହକୁ ଆସୁଥିବା ମନେ ହୋଇଛି।  ଖାଲି ସେତିକି ନୁହେଁ  ବିରୋଧୀ ଦଳର ମୁଖ୍ୟସେଚକ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ଅଛନ୍ତି। ଉପମୁଖ୍ୟସଚେତକ ଡ. ଅରୁଣ ସାହୁ କେବଳ କାମ ଚଳାଉଥିବାର ଦେଖିବାକୁ ମିଳିଥିଲା।


ବିଜେଡି ପକ୍ଷରୁ ସରକାରଙ୍କ କାମକୁ ଯେପରି ସମାଲୋଚନା କରିବା କଥା ତାହା ଦେଖିବାକୁ ମିଳିନାହିଁ। କାରଣ ତିନିମାସ ତଳେ ବିଜେଡି ସରକାରରେ ଥିଲା। ଯାହା ବି ପ୍ରଶ୍ନ କରିବେ ସେ ସବୁର ଦୋଷ ବିଜେଡି ମୁଣ୍ଡ ଉପରକୁ ଯିବ। ତେଣୁ ବିଜେଡି ନିଜ ଦାୟିତ୍ୱକୁ ଭୁଲି ସମ୍ପୂର୍ଣ୍ଣ ଅଧିବେଶନ କାଳରେ ନୀରବ ରହିବାକୁ ରହିବାକୁ ଶ୍ରେୟସ୍କର ମନେ କରିଛି। ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ବିଧାନସଭାରେ ଯେଉଁ ହଟ୍ଟଗୋଳ ହେଉଥିଲା ତାହା ବିଜେଡି ପରିବର୍ତ୍ତେ କଂଗ୍ରେସ କରୁଥିଲା। କଂଗ୍ରେସର ସାରଥୀ ହୋଇ ବିଜେଡି ରାହୁଲ ଗାନ୍ଧିଙ୍କ ଓବିସି ପ୍ରସଙ୍ଗକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ କକ୍ଷତ୍ୟାଗ କରୁଥିବାବେଳେ ବିଜେଡି କୌଣସି ଘୋଷଣା ନ କରି ତାଙ୍କ ପଛେ ପଛେ ଗୃହରୁ ବାହାରି ଯାଉଥିବା ଦେଖିବାକୁ ମିଳିଥିଲା। ଏଥିରୁ ଜଣାପଡ଼ୁଥିଲା କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ବିଜେଡିର ନେତୃତ୍ୱ ନେଉଛି।


ମୁଖ୍ୟ ବିରୋଧୀଦଳ ବିଜେଡିର ଏପରି ଅବସ୍ଥାରୁ କଂଗ୍ରେସ ଭରପୁର ଫାଇଦା ଉଠାଇଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମ୍ପୂର୍ଣ୍ଣ ଅଧିବେଶନ କାଳରେ ଗୃହରେ ଉପସ୍ଥିତ ରହି ବିଜେପି ସରକାରକୁ ଅକଳରେ ପକାଉଥିବା ଦେଖିବାକୁ ମିଳୁଥିଲା। ଏପରିକି ବିରୋଧୀଦଳର ଭୂମିକା କଂଗ୍ରେସ ତୁଲାଉଥିବା ପରିଲକ୍ଷିତ ହେଉଥିଲା। 


ଯଦି ଏପରି ଧାରା ଜାରୀ ରହେ ତେବେ ଆଗାମୀ ଦିନରେ ବିଜେଡି ବିରୋଧୀଦଳର ଯେଉଁ ମାନ୍ୟତା ପାଇଛି ତାହା କାଗଜ ରହିବ ଓ କଂଗ୍ରେସ ବିରୋଧୀଦଳର କାମ କରିବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।