Kunjabihari Rath Yatra: ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ଶ୍ରୀକ୍ଷେତ୍ର ପୁରୀ ସମେତ ବିଶ୍ୱର କୋଣ ଅନୁକୋଣରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥାଏ।  ହେଲେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ସୁଭଦ୍ରା କ୍ଷେତ୍ର ଗଡକୁଜଙ୍ଗ ଠାରେ "ବାସୀ ରଥଯାତ୍ରା" ପରମ୍ପରା କେଉଁ ଆବାହନ କାଳରୁ ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ପରି ଚଳିତ ବର୍ଷ ସୁଭଦ୍ରା ଶ୍ରୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଗଡକୁଜଙ୍ଗ ସ୍ଥିତ ଶ୍ରୀ ଶ୍ରୀ କୁଞ୍ଜବିହାରୀଙ୍କ ପୀଠରେ ରଥଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ପ୍ରସିଦ୍ଧ ଗଡକୁଜଙ୍ଗ କୁଞ୍ଜବିହାରୀଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିନିଧି ଭାବେ ଦଧିବାମନଜୀୟୁ ରଥାରୂଢ ହୋଇ ଘୋଷଯାତ୍ରାରେ ଯାଇଥାନ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ରଥଯାତ୍ରାର ପର ଦିନ ଅପରାହ୍ନରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏହି କ୍ରମରେ ଏଥର ପାରମ୍ପରିକ ପୂଜାର୍ଚ୍ଚନା, ପହଣ୍ଡି, ଛେରାପହଁରା ଆଦି କାର୍ଯ୍ୟକ୍ରମ ପରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଗତ କିଛି ବର୍ଷ ଧରି ଏଠାରେ ପୁର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ ଠାକୁର ରାଜା ହୋଇ ଛେରାପହଁରା କରୁଥିବା ବେଳେ ଗତ ୫ବର୍ଷ ଧରି ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଛେରାପହଁରା କରି ଆସୁଛନ୍ତି। 


ପ୍ରବଳ ଗ୍ରୀଷ୍ମପ୍ରବାହ ହୋଇଥିବା ସତ୍ୱେ କୁଞ୍ଜବିହାରୀଙ୍କ ପୀଠରେ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୁର୍ବତନ ସାଂସଦ କୁଳମଣି ସାମଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଆଖପାଖର ହଜାର ହଜାର ଭକ୍ତଶ୍ରଦ୍ଧାଳୁ ଦଧିବାମନଜୀୟୁଙ୍କ ଦର୍ଶନ କରିବା ସହ ରଥଟାଣି ପ୍ରଭୁକୃପା ଲାଭ କରିଥିଲେ। ଗତ ୧୫୨୮ ମସିହାରେ କଳାପାହାଡ଼ ଉତ୍କଳ ଆକ୍ରମଣ କରି ଶ୍ରୀକ୍ଷେତ୍ରରୁ ଶ୍ରୀଜୀୟୁଙ୍କୁ ନେଇ ଗଙ୍ଗାନଦୀ କୂଳରେ ଦାହ କରିଥିଲେ। ସେଠାରୁ ଅକ୍ଷତ ବ୍ରହ୍ମକୁ ବିଶର ମହାନ୍ତି ନାମକ ଜଣେ ଭକ୍ତ ମୃଦଙ୍ଗ ମଧ୍ୟରେ ପୁରାଇ ଗଡକୁଜଙ୍ଗ ଆଣିଥିଲେ। 


ଚତୁର୍ଦ୍ଧାମୂର୍ତ୍ତି ଗଡକୁଜଙ୍ଗ ଠାରେ କିଛି ବର୍ଷ ପୂଜା ପାଇବା ପରେ ଶ୍ରୀକ୍ଷେତ୍ର ଫେରିଥିଲେ। ହେଲେ ଶ୍ରୀଜୀୟୁଙ୍କୁ ରଖି ଭକ୍ତିର ସହ ପୂଜାର୍ଚ୍ଚନା କରୁଥିବା ଗଡକୁଜଙ୍ଗ ରାଜା ରାଣୀଙ୍କ ଭକ୍ତି ଡୋରରେ ବନ୍ଧା ଠାକୁରଙ୍କ ନିର୍ଦେଶ ଅନୁଯାୟୀ ଦେବୀ ସୁଭଦ୍ରା ଏହି ପୀଠରେ ଅବସ୍ଥାନ କରିଆସୁଛନ୍ତି। ଯାହାକି ମାଦଳା ପାଞ୍ଜିରେ ବର୍ଣ୍ଣିତ ହୋଇଛି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଶ୍ରୀକ୍ଷେତ୍ର ରଥଯାତ୍ରା ପରଦିନ ଏଠାରେ ସ୍ୱୟଂ ବିଜେ ହୋଇ ଭକ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।


କିମ୍ବଦନ୍ତୀ ଭରା ଏହି ପ୍ରାଚୀନ ପୀଠରେ ୫୨୭ ବର୍ଷ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବେଳେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସଧ୍ୟା ସାତଟାରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ରାଜା ହୋଇ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ପଦାଧିକାରୀ ରଥଯାତ୍ରାର ସଫଳ ଆୟୋଜନକୁ ତଦାରଖ କରିଥିଲେ। ଅନ୍ୟପଟେ ଏରସମା, ବାଲିକୁଦା,କୁଜଙ୍ଗ ଅଞ୍ଚଳ ସମେତ ଜଗତସିଂହପୁର ଜିଲ୍ଲାର ଜନପ୍ରତିନିଧି ଏବଂ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଏହି ଐତିହାସିକ ରଥଯାତ୍ରାରେ ସାମିଲ ହୋଇ ପ୍ରଭୁଙ୍କ କୃପାଲାଭ କରିଥିଲେ। ପ୍ରସିଦ୍ଧ ସୁଭଦ୍ରା କ୍ଷେତ୍ର ବାସୀ ରଥଯାତ୍ରା ଆନନ୍ଦ ଉଲ୍ଲାସର ସହ ସମାପନ ହୋଇଥିଲା।