କେନ୍ଦୁଆପଦା ରେଳ ଷ୍ଟେସନ୍ ରେ ଘଟିଲା ଦୁର୍ଘଟଣା! ଜରୁରୀକାଳୀନ ସେବାରେ ମକ୍ ଡ୍ରିଲ୍
mock drill training: ମକ୍ ଡ୍ରିଲରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସହିତ ଯୋଗାଯୋଗ ଦକ୍ଷତା ବିକାଶ କରେ। ଟ୍ରେନ୍ ଲାଇନଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ ରହିବାକୁ ସେ କର୍ମଚାରୀମାନଙ୍କୁ ଅନୁରୋଧ କରିଛନ୍ତି। ଖୋର୍ଦ୍ଧାରୋଡ୍ ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ନମୋନାରାୟଣ ମୀନାଙ୍କ ନେତୃତ୍ୱରେ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା।
ଭଦ୍ରକ: ଟ୍ରେନ୍ ଲାଇନଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀକାଳୀନ ପରିସ୍ଥିତିରେ ମଣ୍ଡଳର ସମସ୍ତ ବିଭାଗର ପ୍ରସ୍ତୁତି ଯାଞ୍ଚ କରିବାକୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ କେନ୍ଦୁଆପଦା ରେଲୱେ ଷ୍ଟେସନ୍ ରେ ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି। ରେଳ ଷ୍ଟେସନ୍ ରେ ଏକ ତୀର୍ଥଯାତ୍ରୀ ଟ୍ରେନ୍ ର ଦୁଇଟି କୋଚ୍ ଲାଇନଚ୍ୟୁତ୍ ସମୟରେ ବିଭାଗ ଦ୍ୱାରା ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ମକ୍ ଡ୍ରିଲ୍ କରାଯାଇଥିଲା।
ଟ୍ରେନ୍ ର ଲାଇନଚ୍ୟୁତ୍ ପରେ ତୁରନ୍ତ ଆକ୍ସିଡେଣ୍ଟାଲ୍ ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ୍ ଭ୍ୟାନ୍ ଭଦ୍ରକ ରେଳ ଷ୍ଟେସନ୍ ରୁ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ମକ୍ ଡ୍ରିଲରେ ଆହତ ତଥା ଫସି ରହିଥିବା ଯାତ୍ରୀଙ୍କୁ ପ୍ରଭାବିତ କୋଚ୍ ରୁ ବାହାର କରିବା, ଚିକିତ୍ସା ସହ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର, ଯାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା, ଅନୁକଂପା ରାଶି ପ୍ରଦାନ କରିବା, ଯାତ୍ରୀଙ୍କ ଲଗେଜ୍ ଏବଂ ଜିନିଷପତ୍ରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଭଳି ଉଦ୍ଧାର କାର୍ଯ୍ୟ କରାଯାଇଥିଲା।
ଏଥିରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ମେଡିକାଲ୍ ଟିମ୍, କଟକର ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଏନ୍ଡିଆରଏଫ୍), ଯାଜପୁର କଳିଙ୍ଗ ନଗରର ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ(ଓଡିଆରଏଫ୍), କେନ୍ଦୁଆପଦା ଷ୍ଟେସନ୍ ର ପୁଲିସ, ରେଲୱେ ପୁଲିସ, ରେଳ ସୁରକ୍ଷା ବଳ, ସିଭିଲ ଡିଫେନ୍ସ, ଖୋର୍ଦ୍ଧାରୋଡ୍ ସ୍କାଉଟ୍ସ- ଗାଇଡ୍ ଏବଂ ସମସ୍ତ ଶାଖା ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଖୋର୍ଦ୍ଧାରୋଡ୍ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍.ଏସ୍ ବାଜୱା ମକ୍-ଡ୍ରିଲରେ ଅଂଶଗ୍ରହଣ କରି କହିଛନ୍ତି ଯେ, ଏହି ମକ୍ ଡ୍ରିଲ ହେଉଛି ପ୍ରକୃତ ଘଟଣା ସମୟରେ କରାଯାଇଥିବା ପୁନରୁଦ୍ଧାର କାର୍ଯ୍ୟର ପ୍ରତିକୃତି।
ମକ୍ ଡ୍ରିଲରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସହିତ ଯୋଗାଯୋଗ ଦକ୍ଷତା ବିକାଶ କରେ। ଟ୍ରେନ୍ ଲାଇନଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ ରହିବାକୁ ସେ କର୍ମଚାରୀମାନଙ୍କୁ ଅନୁରୋଧ କରିଛନ୍ତି। ଖୋର୍ଦ୍ଧାରୋଡ୍ ର ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ନମୋନାରାୟଣ ମୀନାଙ୍କ ନେତୃତ୍ୱରେ ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା।