Odisha news: (ନିରଜ ସତପଥି) ସଙ୍କଟରେ ଏବେ ଓଡ଼ିଆ ଅସ୍ମିତା। ରାଜ୍ୟ ସରକାର ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଉଛନ୍ତି ସତ। ହେଲେ ଏହାର କାର୍ଯ୍ୟ କାରିତା କୁ ନେଇ ଏବେ ବି ସନ୍ଦେହ ଦେଖା ଦେଇଛି। ପ୍ରାଥମିକ ଶିକ୍ଷାକୁ ବି ଗୁରୁତ୍ଵ ଦେବା କଥା କହିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। କିନ୍ତୁ ଓଡ଼ିଆ ଭାଷା ଏବେ ବି ସଙ୍କଟରେ ରହିଛି। ଆମେ କହୁଛୁ କୋରାପୁଟ ଜିଲ୍ଲା କଥା। କେବଳ କୋରାପୁଟ ନୁହେଁ ସୀମାନ୍ତ ଅଞ୍ଚଳ କଥା। ସୀମାନ୍ତ ରେ ଓଡ଼ିଆ ଭାଷା ସଙ୍କଟରେ। ଆନ୍ଧ୍ର ସୀମାନ୍ତ ଅଂଚଳରେ ରହିଛି ଅନେକ ପ୍ରାଥମିକ ବିଦ୍ୟାଳୟ। କିନ୍ତୁ ଆଶ୍ଚର୍ଯ୍ୟର କଥା ପିଲାମାନେ ଓଡ଼ିଆ ପଢ଼ିବା ଦୁରେ ଥାଉ ଓଡ଼ିଆରେ କଥା ବି ହୋଇ ପାରୁ ନାହାନ୍ତି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ସୀମାନ୍ତ ଅଞ୍ଚଳରେ ଦେଖା ଦେଇଥିଲେ ମଧ୍ୟ ପୂର୍ବ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ନାହାନ୍ତି। ତେବେ ବର୍ତ୍ତମାନ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କୁ ବଞ୍ଚାଇ ରଖିବା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ। ତାହା ସମୟ କହିବ।

କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳ କୋଟିଆ ପଞ୍ଚାୟତର ନେରେଡି ୱାଲ୍ସା, ଆରଜୁ ବାଲାସା, ତାଡି ବାଲସା, ଧୂଳି ପଦର, ତଳ ସେମ୍ବି, ଉପର ସେମ୍ବୀ, ତଳ ଗଞ୍ଜେଇ ପଦର ଆଦି ବିଭିନ୍ନ ଗ୍ରାମର ପିଲାମାନେ ଓଡ଼ିଆ ଅପେକ୍ଷା ତେଲୁଗୁ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଆର୍ଜୁ ବାଳସା ଗ୍ରାମରେ ଓଡ଼ିଆ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିବାବେଳେ ଆନ୍ଧ୍ର ତରଫରୁ ତେଲୁଗୁ ବିଦ୍ୟାଳୟ କିନ୍ତୁ ଚାଲିଛି। ଫଳରେ ତେଲୁଗୁ ଭାଷାରେ ସେଠାକାର ପିଲା ପାଠ ପଢ଼ୁଛନ୍ତି। କୋଟିଆ ପଞ୍ଚାୟତର ଅନେକ ଗ୍ରାମର ପିଲା ଆନ୍ଧ୍ରରେ ପାଠ ବି ପଢୁଛନ୍ତି। 

ଫଳରେ ଏହି ଅଞ୍ଚଳର ପିଲା ଏବଂ ଅବିଭାବକମାନେ ଓଡ଼ିଆ କହି ପାରୁ ନ ଥିବାବେଳେ ତେଲୁଗୁ ଭାଷା କିନ୍ତୁ କହି ପାରୁଛନ୍ତି ଏବଂ ବୁଝି ବି ପାରୁଛନ୍ତି। କେବଳ କୋଟିଆ ନୁହେଁ, ଆନ୍ଧ୍ର ସିମାବର୍ଟି ଇପାଗୁଡ଼ା, ବାଙ୍ଗାରୁଗୁଡ଼ି, ସୁନାବେଡ଼ା, ସମେତ ଅନେକ ଅଞ୍ଚଳରେ ତେଲୁଗୁ ପ୍ରାଦୁର୍ଭାବ ରହିଛି। ଏପରିକି ଜିଲ୍ଲାର ଅନେକ ସିମାବର୍ତି ଗ୍ରାମରେ ଓଡ଼ିଆ ଭାଷା ସଙ୍କଟରେ। ପ୍ରାଥମିକ ଶିକ୍ଷାକୁ ଗୁରୁତ୍ଵ ଦେବା କଥା କେବଳ କାଗଜ କଲମରେ ସୀମିତ। ପିଅନ ଠାରୁ କିରାଣୀ ଆଉ ହିସାବ ରକ୍ଷକ ସବୁ କାମ ଶିକ୍ଷକମାନଙ୍କ ଉପରେ ଲଦି ଦିଆ ଯାଉଥିବାବେଳେ ଶିକ୍ଷା ପ୍ରତି ଗୁରୁତ୍ବ ରହିବ କେତେବେଳେ? ଅନ୍ୟ ପଟେ ଅଧିକାଂଶ ସମୟ ତାଲିମ ଏବଂ ସରକାରୀ କାର୍ଯ୍ୟକ୍ରମ ଏମିତିରେ ତ ସମୟ ଯାଉଛି। ସେହିପରି ଦୁର୍ଗମ, ଅପହଞ୍ଚ ସମେତ ଦୂର ଦୁରାନ୍ତ ସୀମାନ୍ତ ବିଦ୍ୟାଳୟକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଧିକାଂଶ ଦିନ ଯାଉ ନଥିବା ଯୋଗୁଁ ଆଜି ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସୀମାନ୍ତ ଅଂଚଳରେ ପ୍ରାଥମିକ ଶିକ୍ଷାକୁ ସରକାର କେତେ ଗୁରୁତ୍ଵ ଦେଉଛନ୍ତି ଆଉ ସୀମାନ୍ତ ଅଞ୍ଚଳ ରେ ସଙ୍କଟରେ ପଡ଼ିଥିବା ଓଡ଼ିଆ ଭାଷା ଏଥିରୁ ମୁକୁଳି ପାରୁଛି କି ନାହିଁ। ଏବେ ସେହି ଦିନକୁ ଅପେକ୍ଷା।