Ownership dispute in MGM mines(ଭୁବନେଶ୍ୱର): ରାଜ୍ୟର ପ୍ରତିଷ୍ଠିତ ଖଣି କମ୍ପାନୀ ଏମ୍‍ଜିଏମ୍‍ କମ୍ପାନୀରେ ମାଲିକାନା ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ବିଗତ ୨୪ ବର୍ଷ ହେଲା ବିଜେଡି ସରକାର କ୍ଷମତାରେ ଥିବା ବେଳେ ଏହି କମ୍ପାନୀର ଜଣେ ପାର୍ଟନରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଦୁର୍ନୀତିର ରାସ୍ତା ଖୋଲିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ କୋର୍ଟ ଠାରୁ କେନ୍ଦ୍ର ଯାଏ ପହଞ୍ଚିଥିଲେ ବି ପ୍ରଭାବ, ପ୍ରଶାସନିକ ଫନ୍ଦି ଫିକର ଓ ରାଜନୀତିକ ଫାଇଦା ପାଇଁ ସବୁ ଦୁର୍ନୀତି ଫାଇଲ ତଳେ ଚାପି ହୋଇ ରହିଥିବା ଅଭିଯୋଗ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଘଟଣାଟିର କେନ୍ଦ୍ରବିନ୍ଦୁରେ ରହିଛି ସୁନ୍ଦରଗଡ଼ ଲୌହ ଖଣିଜ ଅଞ୍ଚଳର ଏକ ପ୍ରତିଷ୍ଠିତ ଲୌହ ଖଣି ପାଟବେଡ଼ା। ୧୯୮୦ ମସିହାରେ ଓଡ଼ିଶାର ଜଣେ ଜଣାଶୁଣା ଖଣି ମାଲିକ ଏମ୍‍ ଜି ମହାନ୍ତିଙ୍କ ଏମ୍‍ଜିଏମ ମିନେରାଲ୍‍କୁ ଏହି  ଲୌହଖଣିର ପ୍ରସପେକ୍ଟିଂ ଲାଇସେନ୍ସ (ପିଏଲ୍‌) ଦିଆଯାଇଥିଲା । ପିଏଲ୍ରୁ ନିୟମିତ ଏମଏଲ ଲାଇସେନ୍ସ ପାଇବା ପୂର୍ବରୁ ଏହି ମାଲିକଙ୍କ ତିରୋଧାନ ହୋଇଗଲା। ଏହା-ପରେ ରାଜ୍ୟ ସରକାର ନିୟମ କୋହଳ କରି ତାଙ୍କ ପରିବାରର ଉତ୍ତରାଧିକାରୀ ସୂତ୍ରରେ ୭ଜଣ ଲୋକଙ୍କୁ ନେଇ ଗଠିତ ଏମଜିଏମ ପାର୍ଟନରସିପ୍‌ ଫାର୍ମକୁ ୧୯୮୬ ମସିହାରେ ଲିଜ୍‌ ଦେଇଥିଲେ । ଇତି ମଧ୍ୟରେ ଜଣେ ପାର୍ଟନର ଅବସର ନେଇଥିବାବେଳେ ୨ଜଣ ପାର୍ଟନର ଏହି କମ୍ପାନୀରୁ ଓହରି ଯାଇ ସେମାନଙ୍କ ମାଲିକାନା ହକ୍କୁ ପରିଚାଳନା ପାର୍ଟନରଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିଲାଗି ସରକାରଙ୍କ ଅନୁମତି ନିଆଯାଇ ନାହିଁ। 


ଖଣିଜ ରିହାତି ନିୟମ ୨୦୧୬ର ଧାରା ୨୪ ଅନୁଯାୟୀ ସରକାରଙ୍କ ବିନାଅନୁମତିରେ କୌଣସି ଲୋକ ନିଜର ମାଲିକାନା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଅନ୍ୟ ଲୋକକୁ ହସ୍ତାନ୍ତର କରିପାରିବେ ନାହିଁ । ଦରକାର ପଡ଼ିଲେ ପାର୍ଟନରମାନେ କେବଳ ନିଜର ଲାଭାଂଶକୁ ହସ୍ତାନ୍ତର କରିପାରିବେ । କୌଣସି ପାର୍ଟନର ଓହରିବାକୁ ହେଲେ ସମସ୍ତ ସଦସ୍ୟଙ୍କର ସହମତି ଆବଶ୍ୟକ । ଯାହାକି ପାଟବେଡ଼ା ଖଣି କ୍ଷେତ୍ରରେ ହୋଇନାହିଁ ।


ପୁଣି ଖଣିଜ ରିହାତି ନିୟମ ୨୦୧୬ର ଧାରା ୬୧ ଅନୁଯାୟୀ ପାର୍ଟନରସିପ୍‌ ଫାର୍ମ ପୁନର୍ଗଠନର ୬୦ଦିନ ମଧ୍ୟରେ ଏକ ନୂତନ ଭାଗିଦାରୀ ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବା କଥା। ଏହି ନିୟମ ଉଲଘଂନ କଲେ ଜରିମାନା ସହିତ ଲିଜ୍‌ ବାତିଲ କରିବା ପାଇଁ ସରକାରଙ୍କ ନିକଟରେ କ୍ଷମତା ରହିଛି । କିନ୍ତୁ ପୂର୍ବରୁ କ୍ଷମତାରେ ଥିବା ବିଜେଡି ସରକାର ଏ କ୍ଷେତ୍ରରେ ନୀରବ ରହି ବେନିୟମ ଖଣିଜ ଉତ୍ତୋଳନକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ହୋଇଛି।   



ସରକାର ଏପରି ବେନିୟମ କାର୍ଯ୍ୟ ବିରୁଦ୍ଧରେ ପାଟବେଡ଼ା ଖଣିର ଅବଶିଷ୍ଟ ୪ଜଣ ପାର୍ଟନରଙ୍କ ମଧ୍ୟରୁ ୨ଜଣ ବାଧ୍ୟ ହୋଇ ହାଇକୋର୍ଟକୁ ଯାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜେଡି ସରକାରର କିଛି ପ୍ରଭାବଶାଳୀ ନେତା ଓ ସରକାରୀ ଅନୁଗ୍ରହ ପ୍ରାପ୍ତ କରୁଥିବା କିଛି ବରିଷ୍ଠ ଅଧିକାରୀ ଏହାକୁ ପାରିବାରିକ ବିବାଦ କରି ଆଇନକୁ ମକଚିବାରେ ସକ୍ଷମ ହୋଇଥିବା ଅଭିଯୋଗ ହୋଇଛି।


ତଥ୍ୟ ହେଉଛି ପାଟବେଡ଼ା ଖଣି ପରିବାର ସଦସ୍ୟଙ୍କୁ ଲିଜ୍‌ ଦିଆଯାଇନାହିଁ । ଏହା ପରିବାର ସଦସ୍ୟଙ୍କ ଦ୍ୱାରା ଗଠିତ ପାର୍ଟନରସିପ୍‌ ଫାର୍ମକୁ ଦିଆଯାଇଛି । ଏ-ପରିକି ଏହି ଫାର୍ମର ପରିଚାଳନା ଅଂଶୀଦାର ଥିବା ମ୍ୟାନେଜିଂ ପାର୍ଟନରଙ୍କ ନିକଟରେ ୫୩ ପ୍ରତିଶତ ମାଲିକାନା ଥିବାବେଳେ ସରକାରଙ୍କୁ ଦିଆଯାଇଥିବା ପାର୍ଟନରସିପ୍‌ ଦଲିଲରେ ମାତ୍ର ୨୧.୫ ପ୍ରତିଶତ ଦର୍ଶାଇଛନ୍ତି । ମେସର୍ସ ଏମଜିଏମ ଫାର୍ମରେ ବର୍ତ୍ତମାନ ଥିବା ୪ଜଣ ପାର୍ଟନରଙ୍କ ମଧ୍ୟରୁ ଦୁଇଜଣ ରାଜୀବଲୋଚନ ମହାନ୍ତିଙ୍କ ଠାରୁ ପରିଚାଳନା କ୍ଷମତା ପ୍ରତ୍ୟାହାର କରିନେଇଛନ୍ତି । 


ଅର୍ଥାତ୍‍ ଏହି ପାର୍ଟନରସିପ୍‌ ଫାର୍ମ ପୁନର୍ଗଠିତ ହୋଇନଥିବାବେଳେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେଇ ବେନିୟମ ଭାବରେ ଖଣିଜ ପଦାର୍ଥ ଉତ୍ତୋଳନ କରିବା ପାଇଁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି।ଜଣେ ପାର୍ଟନର ଏ ନେଇ କେନ୍ଦ୍ର ଖଣି ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏବେ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ସରକାର ହେତୁ ଏହି ଦୁର୍ନୀତି ଉପରୁ ପର୍ଦ୍ଦା ଉଠିବ ବୋଲି ଆଶା କରାଯାଇଛି।