Super Cyclone 1999 Odisha: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟା ରଚିଥିଲା ତାଣ୍ଡବ। କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଧନ ଜୀବନ ହାନି ହେବା ସହ ହଜାର ହଜାର ଘର ତାର ଅସ୍ଥିତ୍ୱ ହରାଇଥିଲା। ଆଜି ସେହି କଥା ମନେପଡିଲେ ଲୋମମୂଳ ଟାଙ୍କୁରି ଉଠୁଛି। ଇତି ମଧ୍ୟରେ ମହାବାତ୍ୟାକୁ ୨୪ ବର୍ଷ ପୂରି ଛୁଇଁଛି ୨୫ ବର୍ଷ। ସେହି ଦିନର ସେହି କାଳ ରାତ୍ରିର ସ୍ମୃତି କୁ ମନେ ପକାଉଛନ୍ତି କେନ୍ଦ୍ରାପଡ଼ା ବାସୀ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ରାପଡା ଜିଲ୍ଲାରେ ୧୯୯୯ ମସିହାର ମହାବାତ୍ୟା ରଚିଥିଲା ତାଣ୍ଡବ। ଯାହାର ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ରାଜନଗର ଏବଂ ମହାକାଳପଡା ବ୍ଲକ। ହଜାର ହଜାର ଲୋକେ ପ୍ରଭାବିତ ହୋଇଥିବା ବେଳେ ଲକ୍ଷାଧିକ ଘର ମାଟିରେ ମିଶି ଯାଇଥିଲା। ଆଜି ମଧ୍ୟ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିବା ତାଣ୍ଡବ ଲୋକଙ୍କ ମନରୁ ଲିଭିନାହିଁ। ଆଜି ମଧ୍ୟ ସେହି ଦିନର କଥା ମନେପଡିଲେ ଲୋମ ଟାଙ୍କୁରି ଉଠିବା ସହ ଆଖିରେ ଲୁହ ଆସିଯାଉଛି। ଭଗବାନ କରନ୍ତୁ ଆଉ ସେଭଳି ମହାବିପଦ ନଆସୁ ବୋଲି କହୁଛନ୍ତି ମହାବାତ୍ୟାକୁ ଅଙ୍ଗେ ଲିଭାଇଥିବା ଲୋକ। 


ରାଜନଗର ସାତଭାୟାର ସାତଟି ଗାଁ ମଧ୍ୟରୁ ପାଞ୍ଚଟି ଗାଁ ୧୯୭୧ ମସିହାରେ ହୋଇଥିବା ବାତ୍ୟାରେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ସେହିପରି ୧୯୯୯ ମସିହାରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାରେ ସାତଭାୟା ତାହାର ଅସ୍ଥିତ୍ଵ ହରାଇଥିଲା। ସେହିଦିନ କାଳରାତ୍ରି କଥା ମନେପକାଇବା ବେଳେ ଆଖିରେ ଲୁହ ଜକେଇ ଆସେ। ସେହିଦିନ ଠାରୁ ଅକ୍ଟୋବର ମାସ ଆସିଲେ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ସରକାର ୧୯୯୯ ମସିହା ପରେ ଜିଲ୍ଲାର ଉପକୂଳବର୍ତ୍ତୀ ରାଜନଗର ଅଞ୍ଚଳର ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ଆଜି ପଯ୍ୟନ୍ତ ୪୭ ବାତ୍ୟା ଆଶ୍ରୟସ୍ଥଳି ନିର୍ମାଣ କରାଯାଇଛି। ମହାବାତ୍ୟାର କରାଳ ଗ୍ରାସରୁ ଅଳ୍ପକେ ବର୍ତ୍ତି ଯାଇଥିଲା କେନ୍ଦ୍ରାପଡା ଜିଲ୍ଲା। କାରଣ ହେନ୍ତାଳ ବଣ ପାଇଁ ସୁରକ୍ଷିତ ରହିଥିଲା କେନ୍ଦ୍ରାପଡା। ବାତ୍ୟା ପରେ ସରକାର ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ବ୍ୟାପକ ସୃଷ୍ଟି କରିବା ପାଇଁ ପରିକଳ୍ପନା କରିଥିଲେ। ଯାହା ଆଜି ବାସ୍ତବ ରୂପ ନେଇଛି। ଜୈବବିବିଧତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଥିବା ଅପରାଜେୟ ଶକ୍ତି କାରଣରୁ ଲୁଣାଜଙ୍ଗଲ ପରିସରବୃଦ୍ଧି ପାଇଁ କେବଳ ଭାରତ ନୁହେଁ ବରଂ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। 


ରାଜ୍ୟରେ ୨୫୮.୫୯ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ରହିଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି। କେନ୍ଦ୍ରାପଡା ଜିଲ୍ଲାକୁ ବାଦ ଦେଲେ ବାଲେଶ୍ୱର, ଭଦ୍ରକ, ଜଗସିଂହପୁର, ପୁରୀ ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ଲୁଣା ଜଙ୍ଗଲ ରହିଛି। ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ୨୦୨୧ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟ ପ୍ରକାଶ ପାଇଥିଲା। ସମଗ୍ର ଦେଶରେ ମାତ୍ର ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ କେବଳ ଓଡିଶାରେ ୮.୩୪ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଏହିସଂଖ୍ୟା ମଧ୍ୟରୁ କେବଳ ଭିତରକନିକାରେ ୭.୭୬ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ବ୍ରାହ୍ମଣୀ, ବୈତରଣୀ, ଖରସ୍ରୋତା ଅବବାହିକାରେ ବିସ୍ତୃତ ହୋଇଥିବା ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକା ଜାତୀୟ ଉଦ୍ୟାନରେ ରହିଛି। ଭିତରକନିକାର ଲୁଣାଜଙ୍ଗଲ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବାତ୍ୟା ସମୟରେ ଉପକୂଳକୁ ସୁରକ୍ଷା ଯୋଗାଇ ଆସିଛି। ଲୁଣା ଜଙ୍ଗଲର ପରିସରବୃଦ୍ଧି ପାଇ ପ୍ରତି ବର୍ଷ ରାଜନଗର ବନବିଭାଗ ପକ୍ଷରୁ ମ୍ୟାନଗ୍ରୁଭ ପ୍ଲାଣ୍ଟେସନ୍ କରାଯାଉଛି। ଭିତରକନିକାରେ ଲୁଣାଜଙ୍ଗଲ ପରିସର ବୃଦ୍ଧି ପାଇଁ ଗତ କିଛିବର୍ଷ ହେଲା ବ୍ୟାପକ ମ୍ୟାନଗ୍ରୁଭ ପ୍ଲାଣ୍ଟେସନ କରାଯାଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସଙ୍ଗଠନ ତଥା ପ୍ରଶାସନିକ ସ୍ଥରରେ ମହାବାତ୍ୟାର ବର୍ଷ ପୂର୍ତ୍ତି ପାଳନ କରାଯାଉଥିବା ବେଳେ ହେନ୍ତାଳ ବଣ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟସରକାର।