ଆସନ୍ତାକାଲି ଅତିରିକ୍ତ ବଜେଟ୍, ଆଗତ ହେବ ଜିଏସ୍ଟି ଅଧ୍ୟାଦେଶ
ଦିନର ଦ୍ୱିତୀୟାର୍ଦ୍ଧରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇପାରେ। ପୂର୍ବରୁ ବଜେଟକୁ କ୍ୟାବିନେଟ ଅନୁମୋଦନ ମିଳିଛି।
ଭୁବନେଶ୍ୱର: ମଙ୍ଗଳବାରଠାରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚଳିତ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ଗୃହର ଅନୁମୋଦନ ଲୋଡ଼ିବା କାର୍ଯ୍ୟକ୍ରମ ରହିଛି। ଦିନର ଦ୍ୱିତୀୟାର୍ଦ୍ଧରେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇପାରେ। ପୂର୍ବରୁ ବଜେଟକୁ କ୍ୟାବିନେଟ ଅନୁମୋଦନ ମିଳିଛି।
ସରକାରକୁ ଆସିବା ପରେ ପ୍ରଥମ ତଥା ଗତ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଥିଲା। ଏବେ ବିଭିନ୍ନ ଜନହିତକର ଯୋଜନା ବାବଦ ଖର୍ଚ୍ଚକୁ ପୂରଣ କରିବାଲାଗି ସରକାର ଆଉଥରେ ଖର୍ଚ୍ଚଦାବି କରିପାରନ୍ତି। ଡିସେମ୍ବର ୩୧ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନର ପ୍ରଥମ ଦିନ ବିଶେଷ ସରଗରମ ହେବାର ସମ୍ଭାବନା ରହିଛି। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଗୃହ ଆରମ୍ଭରୁ ବାଚସ୍ପତିଙ୍କ ମାଧ୍ୟମରେ ଗୃହର ପୂର୍ବତନ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ। ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସମେତ ଧନେଶ୍ୱର ମାଝି, ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳକେଶରୀ ପରିଡ଼ା ଏବଂ ପୂର୍ଣ୍ଣଚନ୍ଦ୍ର ମାଝିଙ୍କୁ ଗୃହ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ୱରୂପ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ପ୍ରକାଶ କରିବ।
ଏହାପରେ ଗୃହରେ ପ୍ରଶ୍ନୋାତ୍ତର କାଳ ଆରମ୍ଭ ହେବ। ଏହି ସମୟରେ ବିରୋଧୀ ଦଳ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ଉଠାଇବା ସମ୍ଭାବନା ରହିଛି। ହେଲେ ପ୍ରଶ୍ନୋତ୍ତର କାଳନରେ କୌଣସି ଅଲଗା ପ୍ରସଙ୍ଗ ନେବା ଗୃହର ପ୍ରଥା ବିରୋଧୀ ହେବ।
ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଏସ୍ଟି ଅଧ୍ୟାଦେଶକୁ ଗୃହର ଅନୁମୋଦନ ଲାଗି ଉପସ୍ଥାପନ କରିବେ। ୨୦୨୪ର ଏହା ପ୍ରଥମ ଅଧ୍ୟାଦେଶ। ସମ୍ବିଧାନର ଧାରା ୨୧୩(୨) ଅନୁସାରେ ଏହି ଅଧ୍ୟାଦେଶ ବିଧାନସଭାରେ ଗୃହୀତ ହେବାର ଆବଶ୍ୟକତା ରହିଛି। ଗତ ବିଧାନସଭାରେ ଗୃହ ଦ୍ୱାରା ଅନୁମୋଦିତ ବିଭିନ୍ନ ବିଧେୟକ ଯେଉଁଗୁଡ଼ିକ ରାଜ୍ୟପାଳଙ୍କ ଅନୁମୋଦନ ପ୍ରାପ୍ତ କରିଛି ସେ ସମ୍ପର୍କରେ ତଥ୍ୟ ରଖିବେ ବିଧାନସଭାର ସଚିବ। ଏହା ପରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ଖର୍ଚ୍ଚଦାବି ଉପସ୍ଥାପନ କରିବେ। ପରେ ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇପାରେ।
Also Read- ମହଙ୍ଗା ପଡିଲା ବିନା ହେଲମେଟ୍ ରିଲ୍ସ , ଫସିଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ
Also Read- Shani Transit 2025: ଶନିଦେବଙ୍କ ପ୍ରଭାବ, ନୂଆ ବର୍ଷରେ ୫ ରାଶିର ବ୍ୟକ୍ତିଙ୍କୁ ଧନ ଲାଭ