Odisha Assembly(ଭୁବନେଶ୍ୱର) : ବିଧାନସଭାରେ ପୁଣିଥରେ ଆଜି ଅଚଳାବସ୍ଥା ସୃଷ୍ଟି ହୋଇଛି। ଅସ୍ୱାଭାବିକ ସ୍ଥିତିକୁ ନେଇ ବାଚସ୍ପତି ପ୍ରଶ୍ନୋତ୍ତର କାଳ ଆରମ୍ଭ ରୁ ହିଁ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ଯାଏ ମୁଲତବୀ(adjourn) କରିଛନ୍ତି। ଯଦି ଏଭଳି ପରିସ୍ଥିତି ଜାରି ହୁଏ ତେବେ ବିଧାନସଭା ଦୁଇଦିନ (Odisha Assembly) ପୂର୍ବରୁ ବି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବାର ଆଶଙ୍କା ରହିଛି।  ଆଜି ଅପରାହ୍ନରେ ସରକାର ଚଳାଇବା ପାଇଁ ସବୁଠାରୁ ଆବଶ୍ୟକ ଅତିରିକ୍ତ ବଜେଟ୍‍କୁ (Budget )ଭୋଟ୍‍ ଗ୍ରହଣ (voting) ପାଇଁ ବିଧାନସଭାରେ ଉପସ୍ଥାପନ କରିବେ। ନିର୍ଦ୍ଧାରଣ ଅନୁସାରେ,  ଏହା ଅକ୍ଟାବର ୩ ତାରିଖରେ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଥିଲା। ଏହି ବିଲ୍‍ ପାରିତ ହେବା ପରେ ସରକାରଙ୍କ ପାଇଁ ଏ ମୌସୁମୀ ଅଧିବେଶନର ମୂଳ ଆବଶ୍ୟକତା ପୂରଣ ହୋଇପାରିବ। ଏହା ପୂର୍ବରୁ ସରକାର ଆତ୍ୟାବଶ୍ୟକ ବିଲ୍‍ସବୁ ଗୃହରେ ପାରିତ କରି ସାରିଛନ୍ତି।  ଆଜି କେବଳ ଖର୍ଚ୍ଚ ଦାବି ଉପରେ ଭୋଟ ଗ୍ରହଣ ତଥା ଏ-ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‍ ଗ୍ରହଣ କରାଯିବ ବୋଲି ବିଧାନସଭା ପକ୍ଷରୁ ପ୍ରକାଶିତ ଆଜିର କାର୍ଯ୍ୟସୂଚୀରେ ଦର୍ଶାଯାଇଛି। 


COMMERCIAL BREAK
SCROLL TO CONTINUE READING

ଗତ ବିଧାନସଭା ଅଧିବେଶନ ଗୁଡ଼ିକୁ ଦେଖିଲେ ବିଧାନସଭାର ଅଧିବେଶନ ଅନେକ ଥର ନିର୍ଦ୍ଧାରିତ ତାରିଖ ପୂର୍ବରୁ ବନ୍ଦ ହୋଇଛି। ବିଗତ ୪ ବର୍ଷର ଇତିହାସକୁ ଦେଖିଲେ କେବେ ବି  ସରକାର ବିଧାନସଭାର ନିର୍ଦ୍ଧାରିତ ଦିନକୁ ପୂରଣ କରିପାରି ନାହାନ୍ତି। ବିଧାନସଭାର ଓ୍ୱେବ୍‍ସାଇଟ୍ ରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୯ ମସିହାରେ ସରକାର ମାତ୍ର ୪୮ ଦିନ ପାଇଁ ବିଧାନସଭା ଅଧିବେଶନ ଡକାଇଥିଲା। ୨୦୨୦ ମସିହାରେ ସମୁଦାୟ ଅଧିବେଶନ ଦିବସ ସଂଖ୍ୟା ଥିଲା ୩୮। ଅର୍ଥାତ୍‍ ପ୍ରଥମ ବର୍ଷ ଠାରୁ ଦ୍ୱିତୀୟ ବର୍ଷରେ ସରକାର କମ୍‍ ସମୟ ପାଇଁ ଗୃହରେ ଲୋକ ପ୍ରସଙ୍ଗକୁ ଆଲୋଚନା କରିଛନ୍ତି। ୨୦୨୧ ମସିହାରେ ଏହି ଦିବସ ସଂଖ୍ୟା କିନ୍ତୁ ବଢ଼ିଥିଲା। ହେଲେ ନିର୍ଦ୍ଧାରିତ ଦିବସରେ ପହଞ୍ଚିପାରି ନଥିଲା। ସେ ବର୍ଷ ସମୁଦାୟ ୫୨ ଦିନ ବିଧାନସଭା ଅଧିବେଶନ ବସିଥିଲା।  ୨୦୨୨ ମସିହାରେ ପୁଣିଥରେ ପୁରୁଣା ରୋଗ ଦେଖିବାକୁ ମିଳିଥିଲା। ଏ-ବର୍ଷ ବାରମ୍ବାର ଗୃହ ମୁଲତବୀ ଦେଖିବାକୁ ମିଳିଥିଲା। ସମୁଦାୟ ଅଧିବେଶନ ବସିଥିବା ଦିବସ ସଂଖ୍ୟା ମାତ୍ର ୩୫ ଦିନରେ ସୀମିତ ରହିଥିଲା। 


୨୦୨୩  ଅର୍ଥାତ୍‍ ଚଳିତ ବର୍ଷ ଶେଷ ହେବାକୁ ଯାଇଛି। ଏହି ବର୍ଷ ସମୁଦାୟ ୨୨ ଦିନ ଅଧିବେଶନ ବସିଛି। ଏବେ ବର୍ଷର ଶେଷ ଅଧିବେଶନ ଭାବେ ସରକାର ୧୧ କାର୍ଯ୍ୟ ଦିବସ ସ୍ଥିର କରିଛନ୍ତି। ଏଣୁ ଏଥର ବି ସରକାର ନିର୍ଦ୍ଧାରିତ ୬୦ ଦିନ ବସିବାକୁ ଚିନ୍ତା ବି କରି ନାହାନ୍ତି। ଅପରପକ୍ଷେ ଅତିରିକ୍ତ ବଜେଟ୍‍ ପରିତ କରିବା ମୁଖ୍ୟ ପ୍ରସଙ୍ଗ ଥିବାରୁ ସରକାର ଏହାକୁ ନିଜ ସଂଖ୍ୟା ଗରିଷ୍ଠତାରେ ଯେ, କୌଣସି ସମୟରେ ପାରିତ କରାଇ ବିଧାନସଭାକୁ ମୁଲତବୀ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।