ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ (ବିଏଫ୍ଏଫ୍)। ଜୟଦେବ ଭବନଠାରେ ପୂର୍ବାହ୍ନରୁ ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଉତ୍ସବର ଉଦଘାଟନ୍ ହୋଇଥିଲା। ଏହି ଉତ୍ସବ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୧୨ଟର ତାରିଖରେ ଉଦଯାପିତ ହେବ। ଏହି ଅବସରରେ ଓଡ଼ିଆ ସିନେମାର ନଅ ଦଶନ୍ଧିର ଯାତ୍ରାକୁ ନେଇ ପ୍ରସ୍ତୁତ ଏକ ଗବେଷଣାମୂଳକ ପୁସ୍ତକ ଲୋକାର୍ପଣ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଚଳଚ୍ଚିତ୍ର ଉତ୍ସବର ପ୍ରଥମ ଦିନର ପ୍ରଥମ ସୋ’ ରେ ନୀରଦ ମହାପାତ୍ରଙ୍କ ‘ମାୟା ମିରିଗ’ ପ୍ରଦର୍ଶିତ ହୋଇଥିଲା। ପରେ ପରେ ପାର୍ବତୀ ଘୋଷଙ୍କ ‘ଛ’ ମାଣ ଆଠ ଗୁଣ୍ଠ, ମନମୋହନ ମହାପାତ୍ରଙ୍କ ‘ଭିଜାମାଟିର ସ୍ୱର୍ଗ’, ସମ୍ବିତ ମହାନ୍ତିଙ୍କ ‘ହାଲୋ ଆର୍ସି’ ଏବଂ ଫିଲ୍ମସ୍ ଡିଭିଜନ ପ୍ରସ୍ତୁତ ‘ରିମେମ୍ବରିଂ ପ୍ରମୋଦ ପତି’ ସିନେମାଗୁଡ଼ିକ ପ୍ରଦର୍ଶିତ ହୋଇଥିଲା। ଏହିସବୁ ଓଡ଼ିଆ କ୍ଲାସିକ୍ ସିନେମା ଦେଖିବା ପାଇଁ ଜୟଦେବ ଭବନ ପ୍ରେକ୍ଷାଳୟ ପୂରି ଉଠିଥିଲା।


ଏହି ଅବସରରେ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲିଉଡର ପରିଚିତ ନିର୍ଦ୍ଦେଶକ କେତନ ମେହଟ୍ଟା ଯୋଗଦେଇ ‘ମଣିଷ ଜୀବନର ଏକ ବଡ଼ ଆଧାର ହେଉଛି ଆମ ସଂସ୍କୃତି। ସିନେମା ହେଉଛି ଆମ ସଂସ୍କୃତି ଏବଂ ସମୟର ଏକ ଶକ୍ତିଶାଳୀ ପ୍ରତିଫଳନ। ସଂସ୍କୃତିର ପ୍ରସାର ପାଇଁ ସିନେମା ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ତେଣୁ ଚଳଚ୍ଚିତ୍ର ନିର୍ମାଣ ବେଳେ ଆମକୁ ବ୍ୟବସାୟ ସହିତ ସଂସ୍କୃତି ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ’ ବୋଲି କହିଥିଲେ। ସେହିପରି ଜଣାଶୁଣା ଅଭିନେତା ତଥା ନାସନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ କହିଥିଲେ ଯୋଗଦେଇ ଦର୍ଶକମାନେ ପ୍ରେକ୍ଷାଳୟକୁ ଆସି ସିନେମା ଦେଖିଲେ ହିଁ ଆମ ଚଳଚ୍ଚିତ୍ରର ବିକାଶ ହୋଇପାରିବ। ଏହା ନିର୍ମାତା ଓ କଳାକାରମାନଙ୍କୁ ଭଲ କାମ କରିବା ପାଇଁ ପ୍ରେରଣା ଦେବା ସହ ଚଳଚ୍ଚିତ୍ର ଶିଳ୍ପକୁ ପୁଣିଥରେ ସଶକ୍ତ କରିପାରିବ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଲିଉଡର ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଦୀପା ସାହି, ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ପ୍ରସିଦ୍ଧ ସିନେମାଟୋଗ୍ରାଫର ତଥା ନିର୍ଦ୍ଦେଶକ ଅପୂର୍ବ କିଶୋର ବୀର ଯୋଗଦେଇ ଚଳଚ୍ଚିତ୍ର ଜଗତର ବିଶେଷତ୍ୱ ଓ ବିଭିନ୍ନ ଆହ୍ୱାନ ସମ୍ପର୍କରେ କହିଥିଲେ।


 ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ ଭଳି କାର୍ଯ୍ୟକ୍ରମ ଚଳଚ୍ଚିତ୍ର ନିର୍ମାତା ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ସହ ଆଜିର ସିନେମାକୁ ଦର୍ଶକମାନଙ୍କ ସହ ଯୋଡ଼ିବାରେ ବିଶେଷ ସାହାଯ୍ୟ କରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ଆରମ୍ଭରେ ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବର ଆବାହକ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରି ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ଉତ୍ସବର ଆଭିମୁଖ୍ୟ ଏବଂ ପ୍ରସ୍ତୁତି ସମ୍ପର୍କରେ ସେ ଉପସ୍ଥାପନ କରିଥିଲେ। ଉତ୍ସବର ଅନ୍ୟତମ ଆୟୋଜକ ଅଭିନେତ୍ରୀ ମଧୁମିତା ମହାନ୍ତି, ବରିଷ୍ଠ ସିନେ ସାମ୍ବାଦିକ ତଥା ଉତ୍ସବର ଅନ୍ୟତମ ଆୟୋଜକ ଅଶୋକ ପାଲିତ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଶେଷରେ ବଲିଉଡର ବିଶିଷ୍ଟ ସାଉଣ୍ଡ ଡିଜାଇନର ଅତିଥି ଓ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଚଳଚ୍ଚିତ୍ର ଉତ୍ସବ ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମ ସୂଚୀଅନୁଯାୟୀ ପ୍ରତିଦିନ ସକାଳ ୯ଟା ୩୦ରୁ ସନ୍ଧ୍ୟା ସ୍କ୍ରିନିଂ କରାଯିବ। ଏହି କାର୍ଯ୍ୟକ୍ରମ ଓଡ଼ିଆ ସିନେପ୍ରେମୀ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯାଇଛି। ଏଥିସହ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ବିଶେଷ ଅବଦାନ ପାଇଁ ପ୍ରମୁଖ ବ୍ୟକ୍ତି ବିଶେଷମାନଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଥିଲା।