Matric Exam 2024: ଆଜିଠାରୁ  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) (Board Of Secondary Education, Odisha) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ।  ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ହାଇସ୍କୁଲ୍ ସାର୍ଟିପିକେଟ୍ ପରୀକ୍ଷା ଦେବେ।  ସେମାନଙ୍କ ଲାଗି ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର  କରାଯାଇଛି।  ପ୍ରଶ୍ନ ପତ୍ର ରଖିବା ପାଇଁ ୩୧୩ ନୋଡାଲ୍ ସେଣ୍ଟର ହୋଇଛି।  ସେହିପରି, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିପିକେଟ୍ ପରୀକ୍ଷା ନିମନ୍ତେ ୭ ହଜାର ୮୩୧ ଜଣ ଛାତ୍ରଛାତ୍ରୀ ଫର୍ମ ପିଲପ୍ କରିଛନ୍ତି। ସେମାନଙ୍କ ଲାଗି ୫୫ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଛି। ସଂସ୍କୃତ ମାଧ୍ୟମରେ ୩ ହଜାର ୩୭ ଜଣ ପରୀକ୍ଷାର୍ଥୀଙ୍କ ନିମନ୍ତେ ୧୦୭ ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଛି।


COMMERCIAL BREAK
SCROLL TO CONTINUE READING

ପରୀକ୍ଷାର ପ୍ରଥମ ଦିନ ଅର୍ଥାତ୍ ଆଜି ମାତୃଭାଷା (ସାହିତ୍ୟ),୨୩ ରେ ଇଂରାଜୀ, ୨୬ରେ ଗଣିତ,୨୮ ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ ୪ରେ  ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ହେବ। ସକାଳ ସାଢେ  ୭ଟାରେ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯିବ। ସକାଳ ୮ଟା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଓଏମଆର୍ ସିଟ୍ ପ୍ରଦାନ କରାଯିବ। ୮ଟା ୧୫ ମିନିଟ୍ ପରେ, ଆଉ ପରୀକ୍ଷା କେନ୍ଦ୍ରକୁ  ପରୀକ୍ଷା ଲାଗି ଅନୁମତି ଦିଆଯିବ ନାହିଁ। ସାଢେ ୮ଟା ରେ ପରୀକ୍ଷାର୍ଥୀଙ୍କୁ ଓଏମଆରସିଟ୍ ପ୍ରଦାନ କରାଯିବ।  ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ଟାରେ ପରୀକ୍ଷା ସରିବ


ଏଥର ମାଟ୍ରିକ  ପରୀକ୍ଷାର୍ଥୀଙ୍କ କପି ରୋକିବା ଲାଗି ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ଥର ଲାଗି AI ବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବେସଡ୍‌ କ୍ୟାମେରାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସୁଧାର ଆଣିବା ସହ କପି ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପ୍ରଥମ ଥର ବୋର୍ଡ଼ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିପାଇଁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଏକ କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏହି କଣ୍ଟୋଲ ରୁମରୁ ବୋର୍ଡ଼ କର୍ତ୍ତୃପକ୍ଷ ରାଜ୍ୟର ବିଭିନ୍ନ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରର ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିପାରିବେ । ଏହା ଉପରେ ନଜର ରଖିବା ପାଇଁ ୨୦ ଜଣ ପର୍ଯ୍ୟବେକ୍ଷକ, ୩ ଜଣ ଅଭିଜ୍ଞ ବୈଷୟିକ ବିଶେଷଜ୍ଞ ଓ ଶିକ୍ଷା ବିଭାଗର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ଏହି କ୍ୟାମେରା କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ଆପେ ଆପେ ଜୁମ୍‌-ଇନ୍ ଇଫେକ୍ଟ କାର୍ଯ୍ୟକାରୀ କରିବ ଏବଂ ଗତିବିଧିକୁ ଅତ୍ୟନ୍ତ ପାଖରୁ ନିରୀକ୍ଷଣ କରିବ । ପରୀକ୍ଷାର୍ଥୀଙ୍କ ଆଖି ଓ ହାବଭାବ ଦେଖି ମଧ୍ୟ ଅନେକ କିଛି ଠଉରାଇପାରିବ । ଏହାଛଡ଼ା AI ବେସଡ୍ କ୍ୟାମେରା ସଂପୂର୍ଣ୍ଣ ପରୀକ୍ଷାକେନ୍ଦ୍ର ଉପରେ ମଧ୍ୟ ନଜର ରଖିବ ।