Bhubaneswar Metro Rail Project: ଭୁବନେଶ୍ୱର: ରାଜଧାନୀରେ ଗମନାଗମନ ବ୍ୟବସ୍ଥାକୁ ସୁଗମ୍ୟ ଏବଂ ଆରାମଦାୟକ କରିବା ଲକ୍ଷ୍ୟରେ ମଙ୍ଗଳବାର ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ଅନୁସାରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‍ କୁ, ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ରେଳ ତିଆରି ପାଇଁ ଦାୟିତ୍ୱ ପ୍ରଦାନ କରିବେ ଓଡ଼ିଶା ସରକାର। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ରେଳ ନେଟୱାର୍କ ବିଛାଇବାକୁ ଚିନ୍ତା କରାଯାଇଛି। ଏଥିଲାଗି ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ୪ ବର୍ଷରେ ଶେଷ କରିବାକୁ କ୍ୟାବିନେଟ୍‍ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ୨୬ କିଲୋମିଟର ମେଟ୍ରୋ ରେଳ ପ୍ରକଳ୍ପ ଅଧିନରେ ପ୍ରାୟ ୨୦ ଷ୍ଟେସନ୍‍ ନିର୍ମାଣ କରାଯିବ। ଅତ୍ୟାଧୁନିକ ଟିକେଟ ସହ ସିଗନାଲ୍‍ ବ୍ୟବସ୍ଥା କରାଯିବ। ଏହା ସହିତ ଯାତ୍ରୀଙ୍କ ସୁବିଧା ଲାଗି ଅତ୍ୟାଧୁନିକ କୋଚ୍‍ ମଧ୍ୟ ଲଗାଇବାକୁ ସରକାର ଯୋଜନା କରିଛନ୍ତି। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସହ କ୍ୟାବିନେଟ୍‍ ଆଜି ଭୁବନେଶ୍ୱରରେ ଶକ୍ତି ସଞ୍ଚାର ବ୍ୟବସ୍ଥାକୁ ସୁଦଢ଼ କରିବା ଲାଗି ୪୬୯ କୋଟି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଲାଗି ଅନୁମୋଦନ କରିଛନ୍ତି। ପୂର୍ବରୁ କିଛି ଅଞ୍ଚଳରେ ଏପରି ବ୍ୟବସ୍ଥା ଭିତ୍ତିଭୂମି ସୃଷ୍ଟି ଲାଗି ଓପିଟିସିଏଲ୍ କୁ ଏହି ଦାୟିତ୍ୱ ଦିଆଯାଇଥିଲା। ହେଲେ ସମ୍ପୂର୍ଣ୍ଣ ରାଜଧାନୀ ଅଞ୍ଚଳ ଏହି ପ୍ରକଳ୍ପର ଅନ୍ତର୍ଭୁକ୍ତ ହୋଇନଥିଲା। ଓଡ଼ିଶା ଶକ୍ତି ସଞ୍ଚାର ନିଗମ ଲିମିଟେଡ୍‍ (ଓପିଟିସିଏଲ୍‍) କୁ ଏହି ଦାୟିତ୍ୱ ପ୍ରଦାନ ଲାଗି ଥିବା ଶକ୍ତି ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁର କରିଥିବା ନେଇ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। 


ଭୁବନେଶ୍ୱରର ଗୋଠପାଟଣା ଠାରେ ଏକ ନୂଆ ଲୋୟଲା ସ୍କୁଲ ନିର୍ମାଣ ପାଇଁ ଜାଭିଏର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ମ୍ୟାନେଜମେଣ୍ଟକୁ ସରକାର ୯ .୪ ଏକର ଜମି ପ୍ରଦାନ କରିବେ। ଏହି ସରକାରୀ ଜମିକୁ ମାଗଣାରେ ସମ୍ପୃକ୍ତ ପ୍ରତିଷ୍ଠାନକୁ ଦେବା ଲାଗି ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ଆମ ହସ୍‍ପିଟାଲ୍‍ ଯୋଜନାକୁ ମଧ୍ୟ କ୍ୟାବିନେଟ୍‍ ମଞ୍ଜୁର କରିଛନ୍ତି। ୩୩୮୮ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା ଅଧୀନରେ ୧୮୫୮ଟି ନୂଆ ହସ୍‍ପିଟାଲ୍‍ ନିର୍ମାଣ କରାଯିବ। ଏଥିଲାଗି ୫ ବର୍ଷ ସମୟ ଲାଗିବ। 


ବଲାଙ୍ଗୀର ଜିଲ୍ଲାରେ ଦୁଇ ମେଗା ପାଇପ୍‍ ଜଳ ଯୋଗାଣ ଲାଗି ଥିବା ପ୍ରସ୍ତାବକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏଥିରେ ୩୦୭ କୋଟି ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଜଳ ଜୀବନ ମିଶନ ରେ ଏହି ଟଙ୍କା ଖର୍ଚ୍ଚ କରାଯିବ। 
ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ରିଂ ରୋଡ ନିର୍ମାଣକୁ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏଥିଲାଗି ୧୫୬ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁରୀ ପ୍ରଦାନ କରିଛି। ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାକୁ ଏହାର ଲାଘବ କରିବ। ବ୍ରହ୍ମପୁର ସମେତ, ଛତ୍ରପୁର ଏବଂ ଗୋପାଳପୁରର ଏହା ଦ୍ୱାରା ବିକଶିତ ହେବ।