Odisha Cabinet Decision Today: ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବିବାଦୀୟ ଆଦିବାସୀ ସ୍ଥାବର ସମ୍ପତ୍ତିର ହସ୍ତାନ୍ତର ଆଇନ-୧୯୫୬ ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରିଛନ୍ତି। ସେହିବରି ୧୬୯ ନୂଆ ବର୍ଗଙ୍କୁ ଆଦିବାସୀ ତାଲିକାରେ ସାମିଲ୍‍ କରିବାକୁ ଅନୁମୋଦନ କରିଛନ୍ତି। ଜାନୁଆରୀ ୨୯ ତାରିଖ ସୋମବାର ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଆଦିବାସୀଙ୍କୁ ଧ୍ୟାନରେ ରଖି ଏକ ସ୍ୱତନ୍ତ୍ର ଭାଷା କମିଶନ ସ୍ଥାପନ ସହ ୨୧ ଆଦିବାସୀ ଭାଷାର ବିକାଶ ପାଇଁ ସ୍କୁଲ୍‍ ପାଠ୍ୟକ୍ରମରେ ସାମିଲ୍ କରିବା ଏବଂ ହୋ, ମୁଣ୍ଡାରୀ, କୁଇ, ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦର ସାମିଲ୍‍ ପାଇଁ ପଦକ୍ଷେପ ନେବାକୁ ବଦ୍ଧପରିକର ହୋଇଛନ୍ତି ଓଡ଼ିଶା ସରକାର। 


COMMERCIAL BREAK
SCROLL TO CONTINUE READING

ରାଜ୍ୟର ଆଦିବାସୀ ସମ୍ପ୍ରଦାୟଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନଭେମ୍ବର ୧୪ ତାରିଖର କ୍ୟାବିନେଟ୍‍ ବୈଠକରେ ଏହାକୁ ଗ୍ରହଣ କରାଯାଇଥିଲା। ଏହାଦ୍ୱାରା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ନିଜ ଜମିକୁ ଋଣ ପାଇଁ ବ୍ୟାଙ୍କରେ ବନ୍ଧକ ରଖିବା ଏବଂ ବିଭିନ୍ନ ଆନୁଷ୍ଠାନିକ ବ୍ୟବହାର ପାଇଁ ଜମି ବିକ୍ରି କରିବାକୁ କ୍ଷମତା ପ୍ରଦାନ କରାଯାଇଥିଲା। ହେଲେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରତିବାଦର ସ୍ୱର ଜୋର ହୋଇଥିବାରୁ ୩ ଦିନ ମଧ୍ୟରେ ୟୁ-ଟର୍ନ ନେଇଥିଲେ ସରକାର। ଏହି କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ୍‍ ଲଗାଇଥିଲେ। ସୋମବାର ବିଧି ଅନୁସାରେ କ୍ୟାବିନେଟ୍‍ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଲାଗି କ୍ୟାବିନେଟ୍‍ ଅନୁମୋଦନ କରିଛି। 


ଅପରପକ୍ଷେ ସରକାରଙ୍କ କ୍ୟାବିନେଟ୍‍ ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ‘ଲାଭ’ ନାମରେ ଏକ ନୂଆ ଯୋଜନାକୁ ଅନୁମୋଦନ କରିଛନ୍ତି। ଲଘୁ ବନଜାତ ଦ୍ରବ୍ୟ କାରବାରରେ ଏହା ଆଦିବାସୀ ସମ୍ପ୍ରଦାୟଙ୍କୁ ସହାୟକ ହେବ। ଏହି ଯୋଜନା ସମ୍ବନ୍ଧରେ ଅଧିକ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ‘ଲାଭ’ ହେଉଛି ଶତ ପ୍ରତିଶତ ରାଜ୍ୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଏହା ଲଘୁ ବନଜାତ ଦ୍ରବ୍ୟକୁ ୧୦୦ ପ୍ରତିଶତ ସହାୟକ ମୂଲ୍ୟ ଦେବାକୁ କାର୍ଯ୍ୟକାରୀ କରାଯିବ। ସରକାରଙ୍କ ଦ୍ୱାରା ଏହା ପ୍ରତିବର୍ଷ ସ୍ଥିର କରାଯିବ। ମିଶନ ଶକ୍ତି ସହ ଏହି କାର୍ଯ୍ୟକ୍ରମକୁ ସମନ୍ୱିତ ଭାବେ ରୂପାୟନ କରାଯିବ। ସ୍ୱୟଂ ସହାୟକ ଗୋଷ୍ଠାୀଙ୍କ ଦ୍ୱାରା ବିଭିନ୍ନ ସ୍ତାନରେ କ୍ରୟ କେନ୍ଦ୍ର ଖୋଲାଯାଇ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯିବ। ଏଥିଲାଗି ସମ୍ପୃକ୍ତ ସଂଗ୍ରହକାରୀଏେଜନ୍ସୀ ୨ ପ୍ରତିଶତ କମିଶନ ପାଇବ। 


ଏହି ଯୋଜନାରେ ରାୟଗଡ଼ାରେ ଏକ ସ୍ୱତନ୍ତ୍ର ତେନ୍ତୁଳି ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ କରାଯିବ। ଯେଉଁଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ଆଦିବାସୀଙ୍କ ଭାଷା ସୁରକ୍ଷା ଲାଗି ଏକ ସ୍ୱତନ୍ତ୍ର କମିଶନ ସ୍ଥାପନ ପାଇଁ ବିଭାଗୀୟ ପ୍ରସ୍ତାକୁ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏହିକ୍ରମରେ ୨୧ ଆଦିବାସୀ ଭାଷାର ସୁରକ୍ଷା ହେବ। ସ୍କୁଲ୍‍ ପାଠ୍ୟକ୍ରମକୁ ଏହି ଭାଷାରେ ପଢ଼ାଯିବା ପାଇଁ ବ୍ୟବସ୍ଥା ହେବ। ହୋ, ମୁଣ୍ଡା, କୁଇ ଭାଷାକୁ ଦେଶର ସମ୍ବିଧାନର ଅଷ୍ଟମ ଅନୁଚ୍ଛଦରେ ସାମିଲ୍‍ କରିବା ଲାଗି ଏହି କମିଶନ ପ୍ରୟାସ କରିବ ବୋଲି କ୍ୟାବିନେଟ୍‍ ବୈଠକ ଶେଷରେ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।